ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ଦୁଇ ପରୀକ୍ଷା ନେଇ ପ୍ରେସମିଟ୍ କରିଛି CHSE। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ । ୧ ହଜାର ୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ । ଅନ୍ୟପଟେ ଦିବ୍ୟାଙ୍ଗମାନଙ୍କ ପାଇଁ ୪ଘଣ୍ଟାର ପରୀକ୍ଷା ଅବଧି ରହିବ । ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି । ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ ପ୍ରକାଶ ପାଇବ । ପରୀକ୍ଷାକୁ ନେଇ ଯେଉଁମାନେ ଗୁଜବ ସୃଷ୍ଟି କରିବେ, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ରହିବ। ସବୁ ପରୀକ୍ଷା କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ସେହିପରି ସବୁ ସେଣ୍ଟରରେ ଲାଗିବ ସିସି ଟିଭି କ୍ୟାମେରା। ପରୀକ୍ଷା ସୁରୁଖୁରୁ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଛି CHSE। ପଞ୍ଚସ୍ତରୀୟ ସ୍କ୍ବାର୍ଡ଼ ପରୀକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ।
ସୂଚନା ଅନୁଯାୟୀ, ଫେବ୍ରୁଆରି ୧୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଓ ଉତ୍ତରଖାତାଗୁଡ଼ିକ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)କୁ ପଠାଯିବ। ପରୀକ୍ଷା ହବ୍ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥରକ ହବ୍ ସଂଖ୍ୟା ୨୦୫କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୨୦୪ଟି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ବବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ଗ୍ରହଣ ଓ ତାହାକୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ଏବଂ ପରୀକ୍ଷା କେନ୍ଦ୍ରର ତଦାରଖ ଦିଗରେ ଇଏମ୍ଏଚ୍ଗୁଡ଼ିକ କାର୍ଯ୍ୟ କରିବ।
Comments are closed.