Latest Odisha News

ଘରେ ପଡ଼ିଛି ସ୍ତ୍ରୀର ରକ୍ତ ଜୁଡୁବୁଡ଼ୁ ମୃତଦେହ, ୨ ଛୁଆଙ୍କୁ ନେଇ ଫେରାର୍ ସ୍ୱାମୀ

ନବରଙ୍ଗପୁର: ସ୍ତ୍ରୀକୁ ମାରିଲା… ୨ ଛୁଆଙ୍କୁ ନେଇ କୁଆଡ଼େ ପଳାଇଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖିଡ଼ିଙ୍ଗଗୁଡ଼ା ଗାଁରେ ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ କେଉଁ ଆଡ଼େ ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ମାଆକୁ ମାରିବା ପରେ ୨ ଛୁଆକୁ ନେଇ ପଳାଇଥିବା ଅଭିଯୋଗ କରିଛନ୍ତି ମୃତ ନିର ବଞ୍ଜାରାଙ୍କ ପରିବାର ଲୋକ । ଏନେଇ ନିରଙ୍କ ବାପା ମଇଦଲପୁର ଥାନାରେ ଏତଲା ଦେଇଛନ୍ତି ।

ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ କରିଛି । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ତୀର୍ଥ ବଞ୍ଜାରା ଫେରାର୍ ଥିବାରୁ ସନ୍ଦେହ ବଢ଼ୁଛି । ବୁଧବାର ଘରେ କେହି ନଥିବା ବେଳେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରିଛି ପୋଲିସ । ଆଉ ହତ୍ୟା ପରେ ତୀର୍ଥ ୨ ଝିଅଙ୍କୁ ନେଇ ପଳାଇଛି ।

ପୂର୍ବରୁ ସେ ହାଇଦ୍ରାବାଦରେ ଦାଦନ ଖଟୁ ଥିବାରୁ ସେଠାରେ ଯାଇ ଲୁଚିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ । ତେବେ ହତ୍ୟା ପଛରେ ପରକିୟା ପ୍ରୀତି ଥାଇପାରେ ବୋଲି ପୋଲିସ ଆଶଙ୍କା କରୁଛି । ନିରଙ୍କୁ କିଏ ମାରିଲା ? ନିରଙ୍କୁ ହତ୍ୟା ପରେ କୁଆଡ଼େ ଗଲେ ୨ ଛୁଆ ? ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.