କାମଦେବ ମହାରଣା
ଆଜି ବି ତାର ଫୋନ ଆସିଲାନି। ୟା ଅର୍ଥ ଏଇଆ ନୁହେଁ ଯେ ସେ ସବୁଦିନ କଲ୍ କରେ କିନ୍ତୁ ମୋ ମୋବାଇଲ୍ ରେ କଲ୍ ଆସିବା ମାତ୍ରେ ମୁଁ ତା କଥା ଭାବେ।ଭାବିବାକୁ ଭଲଲାଗେ।
ମୁଁ ଜାଣିଛି ଆପଣ ଏବେ ତା ନାଁ ପଚାରିବେ।ହେଲେ କ୍ଷମା କରିବେ ।ଆପଣ ଯେତେ ପଚାରିଲେ ବି ତା ନାଆଁ ସଂଗୀତା ବୋଲି ମୁଁ ମୋଟେ କହିବିନି।ଆଉ ସେ ମୋର ସଂପର୍କରେ ପ୍ରେମିକା ବୋଲି ମୋ ଠୁ ଶୁଣିବାର ଆଶା ଛାଡ଼ି ଦିଅନ୍ତୁ।ତେଣିକି ଆପଣଙ୍କ ଇଚ୍ଛା।ତାକୁ ମତେ ନେଇ ଯାହା ଭାବିବାର ଭାବନ୍ତୁ। ଢୋ…..
ତା ବିଷୟରେ କିଛି କହୁଛି । ଶୁଣନ୍ତୁ ।
ତାର ମୋର ଦେଖା ହୋଇଥିଲା ସେଇ ନୂଆ ହୋଇ ଗହଳି ଲାଗୁଥିବା ଛକର ଚା ଦୋକାନ ପାଖରେ।ୟା ମାନେ ଏଇଆ ନୁହେଁ ଯେ ସେ ଚା ପି ଏ।ହେଲେ ସେଦିନ ସେ ସେଠି ଠିଆ ହୋଇଥିଲା,ତା ସ୍ବାମୀ ଓ ଝିଅଙ୍କ ସହ।ସେମାନେ ଆମ ସହରକୁ ବୁଲିବାକୁ ଆସିଥିଲେ।ନଈ କୂଳିଆ ଆମ ସହରରେ ସନ୍ଧ୍ୟା ବେଳଟା ଖୁବ୍ ଗହଳି ଚହଳି ।ସେମାନେ କାହିଁକି ଆସିଥିଲେ ମୁଁ ଜାଣିନି।କିନ୍ତୁ ଯେତେବେଳେ ନୂଆ ନୂଆ ସ୍କୁଟି ଚଳାଉଥିବା ଝିଅ ଟିଏ ନଈ ବନ୍ଧର ଗୋବର ଗଦା ଉପରେ ପଡ଼ିଗଲା ଗୋଟେ ଜୋର ହସ ଶୁଭିଲା।ଅବଶ୍ୟ ସେ ହସ ରେ କିଛି ମାତ୍ରାରେ ଶ୍ରାବ୍ୟ ସୌନ୍ଦର୍ଯ୍ୟ ଥିଲା ଯାହା ମୋ ହସ ଠୁ ବେଶୀ ଭଲ ବୋଲି ମୋର ହୃଦବୋଧ ହେଲା।ମୁଁ ସେ ହସର ପ୍ରେମରେ ପଡିଗଲି।ସେଇ ବଦମାସ୍ ପ୍ରେମର ଡାକରେ ମୁଁ ତା ମୁହଁକୁ ଚାହିଁଲି।ସେ ବି ମୋତେ ଚାହିଁଥିଲା।ଆଖିରେ ଆଖି ମିଶିଲେ ପ୍ରେମ ହୋଇଯାଏ ବୋଲି ଗୁଡ଼ାଏ ବହିରୁ ପଢି ପଢି ବୋର୍ ହୋଇଯାଇଥିଲି,ମାତ୍ର ହସରେ ହସ ମିଶିଲେ ବି ପ୍ରେମ ହୁଏ ଏଇଟା ମୋ ପାଇଁ ଗୋଟେ ନୂଆ ଅନୁଭବ।ବିଶ୍ୱାସ କରନ୍ତୁ କୁଢ଼ କୁଢ଼ ହସ ଭିତରେ ତା ହସ ଖୁବ୍ ନିଆରା।ଆଉ ତା ଆଖି ଦୁଇଟି….
କେହିକେହି ମୋର ଶବଦ୍ ବାଚଳମୀ କୁ କବିତା ବୋଲି କୁହନ୍ତି।ସତ କହୁଛି ସେଇ ମୁହୂର୍ତ୍ତରେ ଶବ୍ଦ କେଇଟା ମୋ ଭିତରେ ଲଢେଇ ବି କଲେ। କଇଁ,ସମୁଦ୍ର,ନୀଳ ପଦ୍ମ ଇତ୍ୟାଦି ଇତ୍ୟାଦି…
ମନେ ମନେ ମୁଁ ଗୋଟେ କବିତା ଲେଖିଲି ଏବଂ ଭୁଲିଗଲି।
ମତେ ମଲେଇ ମରା ଚା ପିତା ଲାଗିଲା।ଫିଙ୍ଗିଦେଲା ପରେ ମୋ ପାଖରେ କେବଳ ମୁହଁ ଟିଏ ହିଁ ଥିଲା।କାରଣ ସେଥିରେ ହସଟିଏ ଏବେବି ସତେଜ ହୋଇ ଫୁଟିଥିଲା।ଏମିତି କହିଲେ ସାରା ଦିନ କେତେ ନା କେତେ ହସ ଦେଖିଦେଖି ମୁଁ ବିରକ୍ତ ହୋଇଯାଇଥିଲି।କିନ୍ତୁ ଏ ହସରେ ଗୋଟେ ଆମନ୍ତ୍ରଣ ଥିଲା।
ମତେ ଆଗ ପଛ ଉପର ତଳ ଅନ୍ଧାର ଦିଶିଲା।
କେଇମୁହୂର୍ତ୍ତ ପରେ ବାପ ଝିଅ ହାତ ଧରାଧରି ହୋଇ ନଈ ଆଡକୁ ଚାଲିଗଲେ।ଚା ଦୋକାନରେ ଗହଳି ବି ମରିଯାଇଥିଲା। ବିସ୍ମୟର ମୂର୍ତ୍ତି ହୋଇ ଠିଆହୋଇଥିଲା ଗୋଟେ ନାରୀ ଦେହ।ସେ ପବନ କଥା କୁହନ୍ତୁନି। ପୁଣି ନଈ କୂଳିଆ ପବନ। ଯେତିକି ଶୀତଳ ସେତିକି ବାଚାଳ।ନୀଳ ଶାଢ଼ୀ ଆଉ କଳା କେଶ ଦେଖିଲେ ତାର ପାଗଳାମୀ ବାହାରେ।
ଗୋଟେ ଫିଲ୍ମ୍ ର ସିନ୍ ପରି ପବନ ହାତରେ ହାତ ଛନ୍ଦି ନୀଳ ପଣତ ଟେ ମୋ ନାକ ଛୁଇଁ ଉଡିଗଲା।ସତେ ଯେମିତି ସେ ପଣତ ଟା ମାଲିକାଣୀ ର ମନ।ମୁଁ ଟିକେ ଘୁଂଚିଗଲି।ସେ ବେଞ୍ଚ ଉପରେ ବସିପଡ଼ିଲା।
ଗୋଟେ କୁକୁର ଆସିଲା । ମୋ ଚପଲ ଉପରେ ନାକ ଥୋଇ ନଈ ଆଡକୁ ଚାଲିଗଲା । ନଈ କଥା ମୋ ମନକୁ ଆସିଲା।ପୁଣି ସେ ବାପାଝିଅ ।
ନିଉଟନ୍ କହିଥିବା ରିଲେଟିଭିଟିର ସୂତ୍ର ମୋର ମନେ ପଡିଲା ଏବଂ ମନ ମୋର ଫିଜିକ୍ସ ପ୍ରାକ୍ଟିକାଲ୍ ହଲ୍ ର ଟେବୁଲ୍ ପାଲଟି ଗଲା।ସେ ଟେବୁଲ୍ ଚାରିପାଖେ ମୋ ଅତୀତ ଠିଆ ହୋଇଥିଲା।ହଠାତ୍ ସେଠି ମୁଁ ଆବିଷ୍କାର କଲି ଏଇ ନାରୀ ଜଣଙ୍କୁ ।
ମୋ ଭିତରେ ଏମିତି ପାଗଳାମୀ ନୂଆ ନୁହେଁ।ଯେତେବେଳେ ଖୁବ୍ ଖୁସି ଥାଏ ମୁଁ ଏମିତି ଆନମନା ହୁଏ,ଦୁଃଖି ଥିଲା ବେଳେ ବି।ତେବେ ଏବେ ମୋ ଅବସ୍ଥା ଖୁସି ଆଉ ଦୁଃଖି ର ବଳୟ ବାହାରେ।
ହଁ, କଣ କହୁଥିଲି ଟି…ମନେ ପଡ଼ିଲା ସେ ସ୍ତ୍ରୀ ଲୋକ ଜଣକ ମୋ ସହିତ ବେଞ୍ଚ ଉପରେ ବସିଥିଲେ ।
ଆପଣ ନଈ କୂଳକୁ ଗଲେନି! ଆମ ନଈ ଖୁବ୍ ସୁଧାର । ମୁଁ ଖୁବ୍ ଧିରେ କହିଲି।
ସେ ମୋ କଥା ଶୁଣିଲେ ବୋଲି ଧାରଣା ଦେବାକୁ ଯାଇ ପବନସହ କ୍ରୀଡ଼ାରତ ଓଢ଼ଣୀକୁ କାବୁ କଲେ।ମୋ ଆଡ଼କୁ ନ ଅନେଇ କହିଲେ – ମତେ ନଈ ଭଲ ଲାଗେନା ।
ଭଲ ଲାଗେନା କି ଈର୍ଷା ହୁଏ – ମୋ ପାଟିରୁ ହଠାତ୍ ବାହାରି ପଡ଼ିଲା। ଈର୍ଷା….କାହାକୁ… ସେ ମତେ ତଥାପି ନଚାହିଁ କହିଲେ । ଏତକ ଶବ୍ଦ ଯେପରି ପଥରେ ତିଆରି। ଗୋଟେ ନଈ ଆଉ ଗୋଟେ ନଈ କୁ ଈର୍ଷା କରେ…. ମୁଁ ଆଉ ଟିକେ ଶବ୍ଦକୁ ଓଜନ ଦେଇ କହିଲି।
ହେଲୋ…..
ତୁମେ ସେ କବି ଫବି ନୁହଁ ତ।ସେ କବି ଗୁଡ଼ାକ ହିଁ ଏମିତି କୁହନ୍ତି। ଏତକ କହି ସାରି ସେ ଏକ ରକମ ଠିଆ ହୋଇଯାଇଥିଲେ। ଏତେ ପାଖରେ ଜଣେ ଅପରିଚିତାକୁ ଦେଖି ମୋ ଭିତରେ ଗୋଟେ ତରଙ୍ଗ ଖେଳିଗଲା।ମୁଁ ମୁହଁ ଟାଣ କରି କହିଲି –
ହଁ ମୁଁ କବି! ଆପଣ ବି ନଈ!!ଆପଣ ନକଲେ ବି ଆମ ନଈ ଈର୍ଷା କରୁଚି ଆପଣଙ୍କୁ।ଦେଖନ୍ତୁ କେମିତି ଚାଲି ଯାଉଛି ଧିରେ ଧିରେ।
ସେ ଆଉ କିଛି କହିଲେ ନାହିଁ।ସୂର୍ଯ୍ୟ ଅସ୍ତ ହେଉ ହେଉ ଦିଗନ୍ତ ଉପରେ ଖସି ପଡିଲା । ଏଇ କେଇ ମୁହୂର୍ତ୍ତ ପୂର୍ବର ହସନ୍ତ ମୁହଁ ଉପରେ ଫେବ୍ରୁଆରୀ ଦରପାକଳ ସଂଜ ମାଡ଼ି ଆସୁଥିଲା ।
ଯାନ୍ତ୍ରିକ ବିଭାଗ, ପୂର୍ବତଟ ରେଳପଥ, ପୁରୀ
Comments are closed.