Latest Odisha News

ସଂସ୍କାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ସଂସ୍କାରର ଅର୍ଥ- ଶରୀର ମନ ଓ ଆଞଗାର ଶୁଦ୍ଧିକରଣ ବା ପବିତ୍ରତା । ପରବର୍ତ୍ତୀ ପୀଢ଼ିକୁ ଶିକ୍ଷା, ଦିକ୍ଷା, ଉତ୍ତମ ଗୁଣ, ବ୍ୟବହାର, ନୈତିକ ମୂଲ୍ୟବୋଧର ଜ୍ଞାନ ପ୍ରଦାନ କରିବା ସଂସ୍କାର ଓ ସଂସ୍କୃତି । ଜନ୍ମରୁ ଯଦି ପିଲାଟିକୁ ସଂସ୍କାରିତ କରିବା ତାହାହଲେ ଶିଶୁଟି ବଡହେଲେ ଜଣେ ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରେ । ଶିଶୁଟି ଭୂମିଷ୍ଠ ହେବା ପରେ ଶିକ୍ଷାର ଆରମ୍ଭ ହୁଏ । ସେ ପରିବାରରୁ ହିଁ ସଂସ୍କାରିତ ହୋଇଥାଏ । ବାପା ମାଆଙ୍କର ପ୍ରଧାନ କର୍ତ୍ତବ୍ୟ ପିଲାଟିକୁ ନୈତିକ ସଂସ୍କାର ଜ୍ଞାନ ପ୍ରଦାନ କରିବା । ଶିଶୁଟି ସଂସ୍କାରିତ ହେଲେ ଭଲ ମଣିଷ ହୋଇଥାଏ ।

ଦଶଟି ଉତ୍ତମ ସଂସ୍କାର- ୧. ବାପା ମାଆଙ୍କୁ ସ୧ାନ, ୨. ସତ୍ୟନିଷ୍ଠା ଏବଂ ଏକାଗ୍ରତା, ୩. ସହଯୋଗ, ୪. କର୍ତ୍ତବ୍ୟ ନିଷ୍ଠା, ୫. ଶ୍ରଦ୍ଧା, ୬. ରାଷ୍ଟ୍ରଭକ୍ତି, ୭.ସହନଶୀଳତା, ୮. ଉଜ୍ୱଳ ଚରିତ୍ର, ୯. ବଡ଼ମାନଙ୍କୁ ସମ୍ମାନ , ୧୦. ଈଶ୍ୱରୀୟ ଭାବନା ।

କହିବାକୁ ଗଲେ “ଆମର କର୍ମ ହିଁ ସଂସ୍କାର’ । ଆମର ପ୍ରାର୨ କର୍ମ ପରବର୍ତ୍ତୀ ପୀଢ଼ିକୁ ଅଧିକ ସଂସ୍କାରିତ କରିଥାଏ । ତାହା ଉପରେ ସୁନ୍ଦର କଥାଟିଏ- ଜଣେ ରାଜାଙ୍କର ଗୋଟିଏ ସୁନ୍ଦରୀ ଘୋଡି ଥିଲା । ରାଜାଙ୍କର ସେ ଭାରି ବିଶ୍ୱାସୀ ଥିଲା । ଯୁଦ୍ଧରେ ସେ କେତେଥର ରାଜାଙ୍କର ପ୍ରାଣ ବଞ୍ଚାଇଅଛି । ଘୋଡିଟି ରାଜାଙ୍କର ଅତି ପ୍ରିୟ ଥିଲା । କିଛିଦିନ ପରେ ଘୋଡିଟିର ଏକ ସନ୍ତାନ ହେଲା । ସନ୍ତାନଟି ଅତ୍ୟନ୍ତ ସୁନ୍ଦର ଏବଂ ହୃଷ୍ଟପୃଷ୍ଟ କିନ୍ତୁ ଗୋଟିଏ ଆଖିକୁ ଦେଖା ଯାଉ ନ ଥିଲା । କଣା ଥିଲା । ସନ୍ତାନଟି ବଡ ହେଲା ପରେ ମାଆଙ୍କୁ ପଚାରିଲା- ମାଆ ! ମୋତେ ଏତେ ସୁନ୍ଦର ହୃଷ୍ଟପୃଷ୍ଟ କରି ଜନ୍ମ କଲ କିନ୍ତୁ କଣା କଲ କାହିଁକି? ମାଆ କହିଲା! ମୁଁ ଯେତେବେଳେ ଗର୍ଭବତୀ ଥିଲି । ତୁ ମୋର ଗର୍ଭରେ ବଡ ହୋଇଥିଲୁ । ସେତେବେଳେ ରାଜା ମୋ ପିଠି ଉପରେ ବସି ଯାଉଥିଲେ । ତାଙ୍କର ଚାବୁକ ପ୍ରହାର ମୋର ଆଖି ଉପରେ ବାଜିଥିଲା, ଯାହାଦ୍ୱାରା କି ତୁ କଣା ହୋଇ ଜନ୍ମ ହେଲୁ । ଏହା ଶୁଣି ଘୋଡା ସନ୍ତାନଟି କ୍ରୋଧିତ ଓ ପ୍ରତିଶୋଧ ପରାୟଣ ହେଲା । ମାଆ କିନ୍ତୁ ଶିଶୁକୁ ବୁଝାଇଲା- ଯାହାର ଅନ୍ନରେ ଆମେ ପ୍ରତିପାଳିତ । ଯିଏ କି ଆମକୁ ପାଳନ ପୋଷଣ କରି ଛୋଟରୁ ବଡ କରିଛନ୍ତି । ଯଦି କୌଣସି ଦିନ କ୍ରୋଧରେ ବାଡେଇ ଦେଇଛନ୍ତି ତାହାବୋଲି ଆମେ ପ୍ରତିଶୋଧ ପରାୟଣ ହେବାଉଚିତ୍ ନୁହେଁ । ଆମକୁ ଏତେ ବଡ଼ କରିବାରେ ତାଙ୍କର ଅବଦାନ ରହିଛି । ତେଣୁ ପ୍ରତିଶୋଧ ପରାୟଣ ନ ହୋଇ ସହିଷ୍ଣୁ ଧୈର୍ଯ୍ୟବାନ୍ ହୁଅ । ମାଆଙ୍କର କଥାକୁ ସନ୍ତାନ
ସେଦିନ ଗ୍ରହଣ କରି ନ ଥିଲା । ଘୋଡା ସନ୍ତାନଟି ବଡ ହେଲା । ରାଜା ତାକୁ ଯୁଦ୍ଧ କ୍ଷେତ୍ରକୁ ନେଇଗଲେ ।
ଯୁଦ୍ଧ ଚାଲିଥିବା ସମୟରେ ରାଜା ଯୁଦ୍ଧରେ ଆହତ ହେଲେ । ଘୋଡ଼ାଟି ଦେଖିଲା ରାଜା ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଘୋଡ଼ାଟି କାଳବିଳମ୍ବ ନ କରି ରାଜାଙ୍କୁ ରାଜ ପ୍ରାସାଦକୁ ଧରି ପଳାଇ ଆସିଥିଲା । ରାଜା ଜୀବନ ଦାନ ପାଇଲେ । ଘୋଡ଼ାଟି ଆସି ମାଆଙ୍କୁ କହିଲା- ମାଆ! ରାଜାଙ୍କଠାରେ ଆଜି ପ୍ରତିଶୋଧ ନେବାର ଏକ ବଡ ସୁଯୋଗ ଥିଲା କିନ୍ତୁ ଯୁଦ୍ଧ କ୍ଷେତ୍ରରେ ସେ ଭାବନା ଉଦ୍ରେକ ହେଲା ନାହିଁ । ମୁଁ ଅସହିଷ୍ଣୁ ହୋଇପାରିଲି
ନାହିଁ । ଘୋଡିଟି ହସିକରି କହିଲା- ପୁତ୍ର! ତୋର ଶରୀରରେ ମୋର ରକ୍ତ ପ୍ରବାହିତହୋଇଅଛି । ତୋର ସଂସ୍କାର ହିଁ ସେମିତି । ତୁ ଚାହିଁଲେ ମଧ୍ୟ ଅନ୍ୟର ଅନିଷ୍ଟ କରି ପାରିବୁ ନାହିଁ । କାରଣ ବାପା ମାଆର ସଂସ୍କାରକୁ ନେଇ ତୋର ସଂସ୍କାର । ତୋର ଅବଚେତନ ମନରେ ସଂସ୍କାର ଅଛି । ବାପା ମାଆଙ୍କର କର୍ମ ଫଳ ଏବଂ ସଂସ୍କାର, ଶିଶୁଟିକୁ ଉତ୍ତମ ଗୁଣରେ ଉତ୍ତମ ବ୍ୟକ୍ତିତ୍ୱରେ ପରିଣତ କରିଥାଏ ।

Leave A Reply

Your email address will not be published.