Latest Odisha News

BREAKING NEWS

‘ଓଡ଼ିଶାରେ ମହିଳା ସଶକ୍ତ’, କେନ୍ଦ୍ର ଦେଲା ସାର୍ଟିଫିକେଟ !

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ଥିବାରୁ ବିଜେଡି ପୁଣି ମହିଳାଙ୍କୁ ଫୋକସ କରିବା ପ୍ରକ୍ରିୟାକୁ ଜୋରଦାର କରିଛି। ଏଥିରେ ଦଳକୁ ବେଶ ସହାୟକ ହୋଇଛି ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ। ଓଡ଼ିଶାର ୮୭ ପ୍ରତିଶତ ମହିଳାଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଥିବା ସହ ସେମାନେ ଏହାକୁ ବ୍ୟବହାର କରୁଛନ୍ତି। ଯାହାକି ଜାତୀୟ ହାରଠୁ ମଧ୍ୟ ଅଧିକ। ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ବିଜେଡି ସରକାର ମହିଳାଙ୍କୁ ସାବଲମ୍ବୀ କରାଇବାରେ ଦେଶର ଅନ୍ୟାନ୍ୟ ରାଜ୍ୟଠୁ ଉପରେ ବୋଲି କୁହାଯାଏ। ମିଶନ ଶକ୍ତି ଦ୍ୱାରା ଓଡ଼ିଶାର ମହିଳା ଅଧିକ ସଶକ୍ତ ହୋଇଛନ୍ତି ବୋଲି ବିଜେଡି ପକ୍ଷରୁ ଆଲୋଚନା ହୁଏ। ତେଣୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ମହିଳାଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓଡିଶା ବହୁ ରାଜ୍ୟଠୁ ଆଗରେ ରହିଛି ବୋଲି ବିଜେଡି ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟର ଆକାରରେ ଶୋଭା ପାଉଛି।

ବିଜେପି ଶାସିତ ରାଜ୍ୟ ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏପରିକି ଜାତୀୟ ହାରଠୁ ମଧ୍ୟ ଓଡିଶା ଆଗରେ ରହିଥିବା ସର୍ଭେରେ ଆସିଛି। ୧୫ ବର୍ଷରୁ ୪୯ ବର୍ଷ ମଧ୍ୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ୮୭ ପ୍ରତିଶତ ମହିଳାଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଥିବା ସହ ସେମାନେ ଏହାକୁ ବ୍ୟବହାର କରୁଛନ୍ତି। ସେହି ଅନୁପାତରେ ଗୁଜୁରାଟରେ ୭୦ ପ୍ରତିଶତ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ୭୫ ପ୍ରତିଶତ ମହିଳାଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଅଛି। ଏପରିକି ଦେଶର ୭୮.୬ ପ୍ରତିଶତ ମହିଳାଙ୍କର ଆକାଉଣ୍ଟ ଥିବାବେଳେ ଓଡ଼ିଶାର ଅନୁପାତ ତାଠୁ ଉପରେ ।

ରାଜ୍ୟରେ ମିଶନ ଶକ୍ତି ବିଜେଡି ସରକାରର ପ୍ରମୁଖ ଫୋକସ ପଏଣ୍ଟ ରହିଛି। ଏପରିକି ମିଶନ ଶକ୍ତିକୁ ଏକ ବିଭାଗ କରାଯାଇଛି। ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିର ଅଂଶ ହୋଇଛନ୍ତି। ବିଭିନ୍ନ ସରକାରୀ ସ୍କିମ ଏବଂ କମ ସୁଧରେ ଋଣ ଆଦି ପ୍ରଦାନ କରି ମିଶନ ଶକ୍ତି ମାଧ୍ୟମରେ ମହିଳା ଗୋଷ୍ଠୀଙ୍କୁ ଶକ୍ତ କରାଯାଉଛି। କିନ୍ତୁ ଏହାକୁ ନେଇ ବିଭିନ୍ନ ସମୟରେ ରାଜନୀତି ତୀବ୍ର ହୋଇଛି।

ବିରୋଧୀ ମିଶନ ଶକ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ବଦଳରେ ସେମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଏପରିକି ବିଭିନ୍ନ ନିର୍ବାଚନ ସମୟରେ ମହିଳା ଗୋଷ୍ଠୀ ଦ୍ୱାରା ଭୋଟରଙ୍କୁ ଟଙ୍କା ବାଣ୍ଟିବା କାମ ସରକାରୀ ଦଳ କରାଏ ବୋଲି ଅଭିଯୋଗ ହୁଏ।

ତେଣୁ ସ୍ୱାବଲମ୍ବୀ କରିବା ନାଁ ରେ ବିଜେଡି ମହିଳାଙ୍କୁ ଭୋଟ ପାଇଁ ବ୍ୟବହାର କରୁଥିବା କୁହାଯାଏ। କିନ୍ତୁ ଏବେ ଖୋଦ କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟ ଆସିବା ପରେ ବିଜେଡି ଏହାକୁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଛି। ଏପରିକି ଏହି ତଥ୍ୟ ଅନୁଯାୟୀ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ଅନୁପାତକୁ ନେଇ ଏକ ତୁଳନାତ୍ମକ ଚିତ୍ର ଶାସକ ଦଳ ନେତାଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି।

ରାଜ୍ୟରେ ମହିଳା ପ୍ରସଂଗ ନେଇ ବିଜେପି ଶାସକ ବିଜେଡିକୁ ଘେରୁଥିବାବେଳେ ପ୍ରକୃତରେ ବିଜେଡି ଯେ ମହିଳା ସଶକ୍ତିକରଣ ପାଇଁ କାମ କରୁଛି ସେ କଥା ଏହି ସର୍ଭେ ରିପୋର୍ଟ ମାଧ୍ୟମରେ ଦେଖାଇବାକୁ ଉଦ୍ୟମ କରିଛି ରାଜ୍ୟର ଶାସକ ଦଳ। ଆଗକୁ ନିର୍ବାଚନ ଥିବାରୁ ଏହା ବିଜେଡିକୁ କେତେ ସହାୟକ ହେବ ତାକୁ ହିଁ ଅପେକ୍ଷା।

Leave A Reply

Your email address will not be published.