Latest Odisha News

BREAKING NEWS

ଏହି ଫିଲ୍ମ ଜରିଆରେ ଗ୍ରାଉଣ୍ଡ ତିଆରି କରିଥିଲେ ବିଜୟ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି ଅଭିନେତାରୁ ଜନନେତା ପାଲଟିଥିବା ସୁପରଷ୍ଟାର୍ ‘ଥାଲାପତି’ ବିଜୟ। ଏବେ ସେ ମୁଖ୍ୟମନ୍ତ୍ରୀ ଆସନର ଖୁବ୍ ନିକଟତର। କିନ୍ତୁ ୨୦୨୬ର ଏହି ବିଜୟ କ’ଣ ହଠାତ୍ ମିଳିଛି ? ନା, ଏହା ପଛରେ ରହିଛି ବର୍ଷ ବର୍ଷର ଏକ ସୁଚିନ୍ତିତ ରଣନୀତି। ନିଜ ଚଳଚ୍ଚିତ୍ର ଜରିଆରେ ସେ କିଭଳି ଭାବେ ନିଜର ରାଜନୈତିକ ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ, ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ।

ସୁପରଷ୍ଟାର୍ ବିଜୟ; ଯେତେବେଳେ ସେ ନିଜ କ୍ୟାରିୟରର ଶୀର୍ଷରେ ଥିଲେ, ସେତେବେଳେ ସେ କେବଳ ମାରପିଟ୍ କିମ୍ବା ରୋମାଣ୍ଟିକ ସିନେମାରେ ସୀମିତ ରହିନଥିଲେ। ବରଂ ସେ ନିଜ ଚଳଚ୍ଚିତ୍ରକୁ ସାମାଜିକ ଓ ରାଜନୈତିକ ସଂସ୍କାରର ଏକ ମାଧ୍ୟମ ଭାବେ ବ୍ୟବହାର କରିଥିଲେ। ସମୀକ୍ଷକମାନଙ୍କ ମତରେ, ତାଙ୍କର ପ୍ରତିଟି ଫିଲ୍ମ ତାଙ୍କୁ ଜଣେ ଜନସେବକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିଥିଲା।

ଆସନ୍ତୁ ନଜର ପକାଇବା ସେହି ଚଳଚ୍ଚିତ୍ର ଉପରେ, ଯାହା ବଦଳାଇ ଦେଇଥିଲା ତାଙ୍କର ଭାବମୂର୍ତ୍ତି:

କାଥ୍ଥି (Kaththi ): ୨୦୧୪ରେ ରିଲିଜ ହୋଇଥିବା ଏହି ଫିଲ୍ମ ଜରିଆରେ ବିଜୟ କୃଷି ସଂକଟ ଏବଂ କର୍ପୋରେଟ୍ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ପାଣି ସମସ୍ୟା ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖାଇ ସେ ପ୍ରମାଣ କରିଥିଲେ ଯେ ତାଙ୍କ ହୃଦୟ ସାଧାରଣ ଜନତାଙ୍କ ପାଇଁ କାନ୍ଦେ।

ମେର୍ସଲ୍ (Mersal ): ୨୦୧୭ରେ ରିଲିଜ ହୋଇଥିବା ଏବି ମୁଭି ଘରୋଇ ସ୍ୱାସ୍ଥ୍ୟ ସେବାରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା । ଶସ୍ତା ଏବଂ ଗୁଣବତ୍ତା ସମ୍ପନ୍ନ ଚିକିତ୍ସା ପାଇଁ ତାଙ୍କ ଚରିତ୍ରର ସଂଗ୍ରାମ ଲୋକଙ୍କୁ ବହୁତ ପ୍ରଭାବିତ କରିଥିଲା।

ସରକାର (Sarkar ): ୨୦୧୮ରେ ମୁକ୍ତିଲାଭ କରିଥିବା ଏହି ସିନେମାରୁ ହିଁ ଆରମ୍ଭ ହୋଇଥିଲା ବିଜୟଙ୍କ ରାଜନୈତିକ ଲଢ଼େଇ। ନିର୍ବାଚନରେ ଜାଲିଆତି ଏବଂ ଭୋଟରଙ୍କ ଅଧିକାରକୁ ନେଇ ଫିଲ୍ମରେ ବିଜୟ ଶାସନ ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ।

ବିଗିଲ୍ (Bigil ): ୨୦୧୯ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରୀଡ଼ା ଜଗତରେ ଚାଲିଥିବା ଭେଦଭାବ ଏବଂ ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଛି, ଏହି ଫିଲ୍ମ ମାଧ୍ୟମରେ ସେ ପ୍ରତିଟି ପରିବାରର ପ୍ରିୟ ହୋଇପାରିଥିଲେ।

ଏହି ସବୁ ବ୍ଲକବଷ୍ଟର ଚଳଚ୍ଚିତ୍ରଗୁଡ଼ିକରେ ବିଜୟ ଜଣେ ‘ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ ବା ସାଧାରଣ ଜନତାଙ୍କ ସ୍ୱର ଭାବେ ନିଜକୁ ଉପସ୍ଥାପିତ କରିଥିଲେ। ଫିଲ୍ମର ସମାଧାନ ବାସ୍ତବବାଦୀ ନହେଲେ ମଧ୍ୟ, ତାଙ୍କର କ୍ଲିନ୍ ଇଣ୍ଟେଣ୍ଟ୍ ଲୋକଙ୍କ ମନ ଜିତି ନେଇଥିଲା। ଏବଂ ଏହି ଭାବମୂର୍ତ୍ତି ହିଁ ୨୦୨୬ ନିର୍ବାଚନ ବୈତରଣୀ ପାର୍ ହେବାରେ ତାଙ୍କ ପାଇଁ ସଞ୍ଜୀବନୀ ସାଜିଛି।

ଆଜି ଫଳାଫଳ ସମସ୍ତଙ୍କ ସାମ୍ନାରେ। ଯେଉଁ ଲୋକମାନେ ଦିନେ ତାଙ୍କୁ କେବଳ ଜଣେ ସିନେମା ତାରକା ଭାବୁଥିଲେ, ଆଜି ସେମାନେ ତାଙ୍କୁ ତାମିଲନାଡୁର ଭବିଷ୍ୟତ ଭାବେ ଗ୍ରହଣ କରିଛନ୍ତି। ତାମିଲନାଡୁର ଶାସନ ଭାର ଗ୍ରହଣ କରିବା ପାଇଁ ସେ ଏବେ ମାତ୍ର କିଛି ପାଦ ଦୂରରେ। ଏବେ ଅପେକ୍ଷା, ପରଦାରେ ଅସମ୍ଭବକୁ ସମ୍ଭବ କରୁଥିବା ଏହି ମହାନାୟକ, ବାସ୍ତବ ଜୀବନରେ ଜନତାଙ୍କ ଆଶା ଓ ବିଶ୍ୱାସକୁ କେତେଦୂର ପୂରଣ କରୁଛନ୍ତି।

Leave A Reply

Your email address will not be published.