Latest Odisha News

ଆଦାନୀ ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତକୁ ସମର୍ଥନ, ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସେବିରୁ ଏସ୍ଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍)କୁ ତଦନ୍ତ ହସ୍ତାନ୍ତର କରିବାର କୌଣସି ଆଧାର ନାହିଁ।

ଆଦାନୀ କମ୍ପାନୀ ଦ୍ୱାରା ଷ୍ଟକ ମୂଲ୍ୟରେ ହେରଫେର ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ ଏକାଧିକ ପିଟିସନର ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ଟି ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି।

ସେବିର ନିୟାମକ ଢାଞ୍ଚାରେ ପ୍ରବେଶ କରିବା ପାଇଁ ଏହି ଅଦାଲତର କ୍ଷମତା ସୀମିତ। ଏଫପିଆଇ ଏବଂ ଏଲଓଡିଆର୍ ନିୟମରେ ସଂଶୋଧନ ପ୍ରତ୍ୟାହାର କରିବାକୁ ସେବିକୁ ନିର୍ଦ୍ଦେଶ ଦେବା ପାଇଁ କୌଣସି ବୈଧ ଆଧାର ନାହିଁ। ନିୟମରେ କୌଣସି ତ୍ରୁଟି ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ସେବି ୨୨ଟି ମାମଲାରୁ ୨୦ଟିରେ ତଦନ୍ତ ଶେଷ କରିଛି। ସଲିସିଟର ଜେନେରାଲଙ୍କ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଅନ୍ୟ ଦୁଇଟି ମାମଲାର ତଦନ୍ତ ତିନି ମାସ ମଧ୍ୟରେ ଶେଷ କରିବାକୁ ଆମେ ସେବିକୁ ନିର୍ଦ୍ଦେଶ ଦେଉଛୁ ବୋଲି କୋର୍ଟ କହିଛନ୍ତି।

ଆଇନଜୀବୀ ବିଶାଲ ତିୱାରୀ, ଏମଏଲ ଶର୍ମା ଏବଂ କଂଗ୍ରେସ ନେତ୍ରୀ ଜୟା ଠାକୁର ଏବଂ ଅନାମିକା ଜୟସୱାଲଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ରାୟ ଗତ ବର୍ଷ ନଭେମ୍ବର ୨୪ରେ ସଂରକ୍ଷିତ ରହିଥିଲା। ଯାହା ଆଜି ଶୁଣାଣି ହୋଇଛି।

ଆବେଦନରେ ଦର୍ଶାଯାଇଛି ଯେ ମୋଦୀ ସରକାରଙ୍କ ଘନିଷ୍ଠ ବିବେଚନା କରାଯାଉଥିବା ଆଦାନୀ ଗ୍ରୁପ୍ ଏହାର ସେୟାର ମୂଲ୍ୟ ବୃଦ୍ଧି କରିଛି ଏବଂ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଏହି ଗ୍ରୁପ ଅଧୀନରେ ଥିବା ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ପରେ କିନ୍ତୁ ଉପରମୁହାଁ ହୋଇଥିବା ଦେଖିବାକୁ ମିିଳିଛି।

Leave A Reply

Your email address will not be published.