Latest Odisha News

ସପ୍ତାହକୁ ୯୦ ଘଣ୍ଟା କାର୍ଯ୍ୟ ପ୍ରସଙ୍ଗ; ଆନନ୍ଦ ମହିନ୍ଦ୍ରାଙ୍କ ସମର୍ଥନରେ ଆଦର ପୁନାୱାଲା… 

ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟ ସମୟକୁ ନେଇ ଚାଲିଥିବା ବିତର୍କ ମଧ୍ୟକୁ ଏଣ୍ଟ୍ରି କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା। ସେ କାମର ଗୁଣବତ୍ତା ଏବଂ କାର୍ଯ୍ୟ ଓ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଆଦର ପୁନାୱାଲା ସୋସିଆଲ ମିଡିଆରେ ଆନନ୍ଦ ମହିନ୍ଦ୍ରାଙ୍କ ମନ୍ତବ୍ୟକୁ ସମର୍ଥନ କରି ଏକ ପୋଷ୍ଟ କରିଛନ୍ତି। ମୋ ପତ୍ନୀ ଅଦ୍ଭୁତ। ମୁଁ ତାକୁ ଦେଖିବାକୁ ପସନ୍ଦ କରେ। ସେ ମଧ୍ଯ ଭାବନ୍ତି ମୁଁ ବହୁତ ଭଲ। ଆଉ କାମର ପରିମାଣ ଠାରୁ କାମର ଗୁଣବତ୍ତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ସେହିପରି ପୂର୍ବରୁ କାର୍ଯ୍ୟ ଅବଧିକୁ ନେଇ ଆନନ୍ଦ ମହିନ୍ଦ୍ରା ମଧ୍ଯ ପ୍ରତିକ୍ରିୟା ରଖିଥିଲେ। ଦିଲ୍ଲୀରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବରେ ସାମିଲ ହୋଇ ସେ କହିଥିଲେ ଯେ, କାମର ପରିମାଣ ଉପରେ ନୁହେଁ, ଗୁଣବତ୍ତା ଉପରେ ଧ୍ୟାନ ଦିଅ, କାରଣ ଦୁନିଆ ୧୦ ଘଣ୍ଟା ମଧ୍ୟରେ ବଦଳି ପାରିବ।

ଉଲ୍ଲେଖଯୋଗ୍ୟ, ଏଲ୍ ଆଣ୍ଡ ଟି ଅଧ୍ୟକ୍ଷଙ୍କ ୯୦ ଘଣ୍ଟା କାମ କରିବା ସମ୍ପର୍କିତ ମନ୍ତବ୍ୟକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଏକ ଭିଡିଓ କନଫରେନ୍ସ ଜରିଆରେ କର୍ମଚାରୀମାନଙ୍କୁ ପରାମର୍ଶ ଦେବାକୁ ଯାଇ କହିଥିଲେ ସପ୍ତାହରେ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ। ଖାଲି ଏତିକି ନୁହେଁ ସେ କର୍ମଚାରୀମାନଙ୍କୁ ଆହୁରି ମଧ୍ୟ କହିଥିଲେ, ‘ତୁମେ ଘରେ ରହି କେତେ ସମୟ ତୁମର ସ୍ତ୍ରୀକୁ ଚାହିଁ ରହିବ, ଘରେ କମ୍ ରୁହ ଏବଂ ଅଫିସରେ ଅଧିକ କାମ କରିବା ସହ ଅଧିକ ସମୟ ବିତାଇବା ଉଚିତ୍। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା।

ଅପରପକ୍ଷରେ ଗତ ବର୍ଷ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ମଧ୍ୟ ଯୁବପିଢ଼ିଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ ବୋଲି କହିଥିଲେ ଯାହାକୁ ନେଇ ଜୋରଦାର ବିତର୍କ ମଧ୍ଯ ହୋଇଥିଲା।

 

Comments are closed.