Latest Odisha News

BREAKING NEWS

ବିଜେପୁର ନିର୍ବାଚନ ପ୍ରଚାର; ବହୁ ଆଗରେ ବିଜେଡ଼ି

ବରଗଡ଼: ଫଳାଫଳ ତ ଦୂରର କଥା ନିର୍ବାଚନ ନ ହେଉଣୁ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଶାସକ ବିଜେଡ଼ିର ପତିଆରା ଦେଖି ଆଚମ୍ବିତ ହୋଇ ପଡ଼ିଛନ୍ତି । ଖାଲି ସେତିକି ନୁହେଁ, ବରିଷ୍ଠ ନେତା ସୁର ରାଉତରାୟ ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନ ଜିତିପାରିବା ଅସମ୍ଭବ ବୋଲି ସ୍ୱୀକାର କରିଛନ୍ତି । ଅବଶ୍ୟ ଏକଥା କାହାକୁ ଅଛପା ନୁହେଁ, ସାରା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ବିଜେଡ଼ିର ଜୋରସର୍ ପ୍ରଚାରକୁ ଦେଖି ସୁର ଏହା କହିଛନ୍ତି । ଆଗାମୀ ୨୧ ଅକ୍ଟୋବରରେ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ୩ ପ୍ରମୁଖ ଦଳର ତୁଙ୍ଗନେତାମାନେ ଏବେ ବିଜେପୁରରେ ପ୍ରଚାର କାର୍ଯ୍ୟକୁ ସରଗରମ କରିଦେଇଛନ୍ତି ।

ନିର୍ବାଚନ ମଣ୍ଡଳୀର ଯେଉଁ ୩ଟି ବ୍ଲକରେ ଶାସକ ବିଜେଡ଼ିର ବେଶ୍ ପତିଆରା ଦେଖିବାକୁ ମିଳିଛି ସେହି ବ୍ଳକ ଗୁଡ଼ିକ ହେଲା – ବିଜେପୁର, ବରପାଲି ଏବଂ ଗାଇସିଲଟ । ଏହି ସବୁ ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଖାଲି ବିଜେଡ଼ି ପୋଷ୍ଟର ସାଙ୍ଗକୁ ଶଙ୍ଖଦଳର ବିରାଟ ହୋର୍ଡ଼ିଂ । ଘରେ ଘରେ ଶଙ୍ଖଦଳର ମାଳମାଳ ପୋଷ୍ଟର ଏବଂ ବିଜେଡ଼ି ପତାକା ଲହରୁଛି । ଏଠାରେ ଗତ ଦୁଇଟି ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି, ଏଥର ମଧ୍ୟ ବିଜେଡ଼ି ଏଠାରେ ସୁବିଧାଜନକ ସ୍ଥିତିରେ ରହିଛି ।

ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ ଯିଏକି ଏଥର ଏହି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି, ସେ ଏଥର କିନ୍ତୁ ବିପୁଳ ସଂଖ୍ୟାରେ ଜିତିବା ନେଇ ବେଶ୍ ଆଶାବାଦୀ । ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ରୀତା ବିଜେଡ଼ିରେ ଯୋଗଦାନ କରି ୨୦୧୮ ଉପ-ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ଖୋଦ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ବିଜୟ ହାସଲ କରିଥିଲେ । କଥାହେଉଛି ଏପର୍ଯ୍ୟନ୍ତ ସମଗ୍ର ନିର୍ବାଚନ ମଣ୍ଡଳୀରେ ନବୀନ ହାୱା ବହୁଛି ବୋଲି ରାଜନୈତିକ ବିଶାରଦ କହୁଛନ୍ତି ।

ଅବଶ୍ୟ ନବୀନ ନିର୍ବାଚନ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ନିର୍ବାଚନ ମଣ୍ଡଳୀର ଏହିସବୁ ବ୍ଲକର ବିକାଶ ଲାଗି ଅନେକ ଜନହିତକର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ମଞ୍ଜୁରୀ ଦେଇଛନ୍ତି । ନିର୍ବାଚନ ମଣ୍ଡଳୀର ଅଧିକାଂଶ ଅଞ୍ଚଳରେ ରାସ୍ତାଘାଟ କାର୍ଯ୍ୟ ଅନେକ ଦିନରୁ ଆରମ୍ଭ ମଧ୍ୟ ହୋଇଯାଇଛି ।

ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେପି ମଧ୍ୟ ନିଜର ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛି । ଶନିବାର ଦିନ ପ୍ରଚାରର ଅନ୍ତିମ ଦିବସ ଥିବା ବେଳେ ଗୁରୁବାର ଓ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଅନେକ ସ୍ଥାନରେ ରୋଡ୍ ଶୋ କରିବା ସହିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି । ନିର୍ବାଚନୀ ସଭାଗୁଡ଼ିକରେ ଧର୍ମେନ୍ଦ୍ର କିନ୍ତୁ ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ବିଜେପୁର ଆସନ ଜିତିବା ପରେ କାହିଁକି ଏହି ଆସନ ଛାଡ଼ିଦେଲେ ତାହାର ଜବାବ ସବୁ ସଭାରେ ମାଗିଛନ୍ତି । ଧର୍ମେନ୍ଦ୍ରଙ୍କ ବ୍ୟତୀତ ସାଂସଦ ତଥା ଦଳର ସଭାପତି ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚଲାଇଛନ୍ତି । ନିର୍ବାଚନ ପୂର୍ବରୁ ପୂର୍ବତନ ବିଜେପି ବିଧାୟକ ତଥା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ଦଳରୁ ଇସ୍ତଫା ପ୍ରଦାନ କରିବା ଦଳକୁ ନିଶ୍ଚିତଭାବେ କ୍ଷତି ପହଞ୍ଚାଇଥିବ ଏହା ଦଳର ନେତୃତ୍ୱ ନିଶ୍ଛିତ ହୃଦୟଙ୍ଗମ କରିପାରୁଥିବେ ବୋଲି ରାଜନୈତିକ ବିଶାରଦମାନେ ମତ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଜେପୁରରେ ରୋଡ୍ ଶୋ କରିଛନ୍ତି । ନବୀନଙ୍କ ରୋଡ୍ ଶୋରେ ବିପୁଳ ସଂଖ୍ୟାରେ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହି ନିର୍ବାଚନୀ ଉଷ୍ମତାରେ ନବୀନ କିନ୍ତୁ ଏପର୍ଯ୍ୟନ୍ତ ଧମେନ୍ଦ୍ରଙ୍କ ସମାଲୋଚନାର ଜବାବ ଦେଇନାହାଁନ୍ତି । ପୂର୍ବପରି ନବୀନଙ୍କ ରୋଡ଼ ଶୋକୁ ବିପୁଳ ସମର୍ଥନ ମିଳିପାରୁଛି ।

ନିର୍ବାଚନ ଲାଗି ଭୋଟଗ୍ରହଣ ୨୧ ତାରିଖ ରହିଥିବା ବେଳେ ଭୋଟ ଗଣତି ହୋଇ ଫଳାଫଳ ୨୪ରେ ଘୋଷଣା ହେବ ।

ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନକୁ ପ୍ରଚାରର ମୁଖ୍ୟ ଆୟୁଧ କରିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ତାଙ୍କର ଦୃଢ ନେତୃତ୍ୱକୁ ପାଥେୟ କରି ଏହି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛନ୍ତି ।

ବରିଷ୍ଠ କଂଗ୍ରେସ ନେତାମାନଙ୍କର ନିରୁତ୍ସାହଜନକ ଟିପ୍ପଣୀକୁ ନଶୁଣି ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଘର ଘର ବୁଲି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଅବଶ୍ୟ ପୂର୍ବରୁ ବିଜେପୁର କଂଗ୍ରେସର ଏକ ଗଡ଼ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସମୟରେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତୃଣମୂଳସ୍ତରରେ ବେଶ୍ ଶକ୍ତିଶାଳୀ ଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏହି ନିର୍ବାଚନରେ ଦଳର ମଙ୍ଗୁଆଳ ସାଜିଛନ୍ତି । ଦଳ ପକ୍ଷରୁ ଅନେକ ସ୍ଥାନରେ ନିର୍ବାଚନୀ ସଭା ସାଙ୍ଗକୁ ସିଧାସଳଖ ଭୋଟରଙ୍କୁ ଭେଟୁଛନ୍ତି ଏହି ତୁଙ୍ଗନେତାମାନେ ।

ବିଜେପୁର ଉପ-ନିର୍ବାଚନ ଲାଗି ପ୍ରଚାର ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିବା ବେଳେ ୩ ପ୍ରମୁଖ ଦଳ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସାଧ୍ୟମତେ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.