Latest Odisha News

ଚାରିଦିନ ବିତିଲା କଂଗ୍ରେସ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେଲାନି

ସଭାପତି ପାଇଁ ଚାରିଜଣଙ୍କ ନାମ ଚର୍ଚ୍ଚାରେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଦିନ ଗଡ଼ି ଗଡ଼ି ଚାଲିଛି । ଯେଉଁମାନେ ନାମାଙ୍କନ ଫର୍ମ ନେଇଛନ୍ତି ସେମାନଙ୍କ ମଧ୍ୟରୁ କେହି ବି ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି ।  ୨୪ରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ସମୟ ସେପ୍ଟେମ୍ବର ୩୦ ରେ ଶେଷ ହେଉଛି । ଚାରି ଦିନ ବିତିଗଲାଣି କିନ୍ତୁ କେହି ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି । ଆଉ ମଝିରେ ଦୁଇ ଦିନ ରହିଲା । ଦଳ ଭିତରେ କିଏ ସଭାପତି ହେବ ସେ ନେଇ କେନ୍ଦ୍ରୀୟ ନେତା ସ୍ଥିର କରିପାରୁନାହାଁନ୍ତି । ଅଶୋକ ଗେହଲୋଟ ରେସରୁ ବାହାରିବା ପରେ ପୁଣି କିଏ ହାଇକମାଣ୍ଡଙ୍କ ବିଶ୍ବାସଭାଜନ ହେବ ତାହା ଉପରେ ଆଲୋଚନା ଜାରି ରହିଛି ।

ଜାତୀୟ ଗଣମାଧ୍ୟମ ଅନୁସାରେ ଶଶୀ ଥରୁର, ମଲ୍ଲିକାର୍ଜୁନ ଖାଡଗେ, ଦିଗବିଜୟ ସିଂହ, କେସି ବେଣୁଗୋପାଳ, ମୁକୁଲ ଓ୍ବାସନିକ ଏପରି କିଛି ନାମ ଶୁଣାଯାଉଛି ଯେଉଁମାନେ କି କଂଗ୍ରେସ ସଭାପତି ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ସଭାପତି  ସୋନିଆ ଗାନ୍ଧୀଙ୍କ ସଙ୍କେତ ମିଳୁନଥିବାରୁ ଏଯାଏଁ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା କୁହାଯାଉଛି । ରବିବାର ଘଟଣା ପାଇଁ ଅଶୋକ ଗେହଲୋଟ କ୍ଷମା ମାଗିଥିଲେ ମଧ୍ୟ ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଯେପରି ରାଜସ୍ଥାନରେ ଉପହାସ କରାଗଲା ତାହାକୁ ହାଲୁକା ଭାବେ ଗ୍ରହଣ କରିନାହାଁନ୍ତି ସୋନିଆ ଗାନ୍ଧୀ ।
ଗୋଟିଏ ପଟେ ଶଶୀ ଥରୁର ଶେଷ ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଚର୍ଚା ହେଉଛି । ତେବେ କିଛି ନେତା ନାମାଙ୍କନ ଫର୍ମ ନେଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ କିଏ କେବେ କରିବେ ତାହା ଜଣାପଡୁନାହିଁ । ଏବିଷୟରେ କେହି ମୁହଁ ବି ଖୋଲୁନାହାଁନ୍ତି । ଏପରିକି ଅଶୋକ ଗେହଲୋଟ ନାମାଙ୍କନ ପତ୍ର ଦାଖଲ କରିବେ କି ନାହିଁ ତାହା ମଧ୍ୟ ସେ ସ୍ପଷ୍ଟ କରୁନାହାଁନ୍ତି ।
ସେପଟେ ରାଜସ୍ଥାନ ରାଜନୈତିକ ସଂକଟର ସମାଧାନରେ ଲାଗିପଡ଼ିଛନ୍ତି ସୋନିଆ ଗାନ୍ଧୀ । ସଚ୍ଚିନ ପାଇଲଟ ଦିଲ୍ଲୀରେ ପହଁଚି ନିଜ ଲବି ଆରମ୍ଭ କରିଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତି ହେବାକୁ ଚାହାଁନ୍ତି ସଚ୍ଚିନ ପାଇଲଟ । କିନ୍ତୁ ଅଶୋକ ଗେହଲୋଟ ତାଙ୍କୁ ବାଟ ଛାଡୁନାହାଁନ୍ତି । ତାଙ୍କ ସମର୍ଥକମାନେ ଏହା କରାଇଦେବାକୁ ଚାହୁଁନାହାଁନ୍ତି । ଗେହଲୋଟ ଏନେଇ ଯେଉଁ ସବୁ ସଫେଇ ଦେଇଛନ୍ତି ତାହା ସୋନିଆ ଗାନ୍ଧୀଙ୍କୁ ବିଶ୍ବାସଯୋଗ୍ୟ ହେଉନାହିଁ । ବିଧାୟକମାନଙ୍କ ଇସ୍ତଫା ପ୍ରସଙ୍ଗକୁ ହାଲୁକାଭାବେ ନେଇନାହାଁନ୍ତି ସୋନିଆ ଗାନ୍ଧୀ । ଯାହା ଫଳରେ ଅଶୋକ ଗେହଲୋଟଙ୍କୁ ଦଳର ମଂଗ ଧରିବାକୁ କେନ୍ଦ୍ରୀୟ ନେତୃବୃନ୍ଦ ଏବେ ଅମଙ୍ଗ ହେଉଛନ୍ତି ।
ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିବାରୁ ନାମାଙ୍କନ ପତ୍ର ଦାଖଲ ଶେଷ ଦିନ ସେପ୍ଟେମ୍ବର ୩୦ ରହିଛି । ତେବେ ଶଶି ଥରୁରଙ୍କ ସହ ଆଉ କିଏ ପ୍ରତିଦ୍ବନ୍ଦ୍ବିତା କରିବେ କଂଗ୍ରେସ ପକ୍ଷରୁ ତାହା ସ୍ପଷ୍ଟ ହେଉନାହିଁ । ସେପ୍ଟେମ୍ବର ୩୦ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ଅକ୍ଟୋବର ୧ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୮ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ନିର୍ବାଚନ ଅକ୍ଟୋବର ୧୭ ତାରିଖରେ ହେବ । ୧୯ରେ ଭୋଟ ଗଣତି ଓ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ । ତେବେ ସଭାପତି ସିଏ ହେବ ଯାହାକୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମର୍ଥନ ରହିବ । ତେବେ ସୋନିଆ ଗାନ୍ଧୀ କାହାକୁ ସମର୍ଥନ କରୁଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.