Latest Odisha News

BREAKING NEWS

Proof of Citizenship: ଆଧାର, ଭୋଟର ID, ଏବେ ପାସପୋର୍ଟ ବି ନୁହେଁ…କେମିତି କରିବେ ପ୍ରମାଣ? ଆପଣ ଜଣେ ଭାରତୀୟ ନାଗରିକ…

ନୂଆଦିଲ୍ଲୀ: ନା ଆଧାର, ନା ଭୋଟର ଆଇଡି…ଏବେ ପାସପୋର୍ଟ ବି ନୁହେଁ

MEA ବୟାନରେ ହଇଚଇ!

ଭାରତୀୟ ନାଗରିକତାର ପ୍ରମାଣ କ’ଣ?

ଜଣେ ସାଧାରଣ ଭାରତୀୟଙ୍କୁ ଯଦି ପଚାରାଯାଏ ତାଙ୍କ ନାଗରିକତାର ପ୍ରମାଣ କ’ଣ, ଅଧିକାଂଶ ଲୋକ ଆଧାର କାର୍ଡ, ଭୋଟର ଆଇଡି କିମ୍ବା ପାସପୋର୍ଟର ନାମ ନେବେ। କିନ୍ତୁ ବୈଦେଶିକ ମନ୍ତ୍ରଣାଳୟ (MEA)ର ଏକ ସାମ୍ପ୍ରତିକ ସ୍ପଷ୍ଟୀକରଣ ପରେ ଏହି ଧାରଣାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି। ମନ୍ତ୍ରଣାଳୟ କହିଛି ଯେ, ପାସପୋର୍ଟ ମୂଳତଃ ଏକ ଯାତ୍ରା ଦସ୍ତାବିଜ (Travel Document), ଏହାକୁ ନାଗରିକତାର ଶେଷ କିମ୍ବା ଅକାଟ୍ୟ ପ୍ରମାଣ ଭାବେ ଗଣାଯାଇପାରିବ ନାହିଁ।

୧୪ତମ ପାସପୋର୍ଟ ସେବା ଦିବସ ଅବସରରେ MEA ପକ୍ଷରୁ ଦିଆଯାଇଥିବା ଏହି ବୟାନ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ଉଠିଛି, ଯଦି ଆଧାର, ଭୋଟର ଆଇଡି ଓ ପାସପୋର୍ଟ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ନୁହେଁ, ତେବେ ଭାରତୀୟ ନାଗରିକତା ପ୍ରମାଣ କରିବା ପାଇଁ ଶେଷରେ କେଉଁ ଦସ୍ତାବିଜ ଉପରେ ଭରସା କରାଯିବ?

ବିଦେଶ ମନ୍ତ୍ରଣାଳୟ କହିବା ଅନୁଯାୟୀ, ପାସପୋର୍ଟ ହେଉଛି ଆନ୍ତର୍ଜାତିକ ଯାତ୍ରାକୁ ସହଜ କରିବା ପାଇଁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ଦସ୍ତାବିଜ। ଏହା ନିଶ୍ଚିତ ଭାବେ ଭାରତୀୟ ନାଗରିକଙ୍କୁ ଦିଆଯାଏ, କିନ୍ତୁ କେବଳ ପାସପୋର୍ଟ ଥିବାରୁ ଜଣେ ବ୍ୟକ୍ତିଙ୍କ ନାଗରିକତା ସ୍ୱତଃସିଦ୍ଧ ହୋଇଯାଏ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପାସପୋର୍ଟର ପଛ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଥାଏ ଯେ ଏହା “ଭାରତ ସରକାରଙ୍କ ସମ୍ପତ୍ତି” ଏବଂ ସରକାର ଚାହିଁଲେ ଯେକୌଣସି ସମୟରେ ଏହାକୁ ଫେରାଇ ନେଇପାରିବେ।

ତେବେ ଏହା ପ୍ରଥମ ନୁହେଁ, ନାଗରିକତା ପ୍ରମାଣକୁ ନେଇ ଦ୍ୱନ୍ଦ୍ୱ ପୂର୍ବରୁ ବି ଉପୁଜିଛି । ଏହା ପୂର୍ବରୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ, ବରଂ ଏହା କେବଳ ପରିଚୟପତ୍ର। ସେହିପରି ଭୋଟର ଆଇଡିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟଦାତାଙ୍କ ପରିଚୟ ନିଶ୍ଚିତ କରିବା ଏବଂ ଭୋଟ ଅଧିକାର ପ୍ରଦାନ କରିବା। ଏହାକୁ ମଧ୍ୟ ନାଗରିକତାର ଚୂଡାନ୍ତ ଦସ୍ତାବିଜ ଭାବେ ଗଣାଯାଏ ନାହିଁ।

ତେବେ କିଏ ଭାରତର ନାଗରିକ? ଭାରତୀୟ ନାଗରିକତା ଆଇନ ଅନୁଯାୟୀ

  • ୨୬ ଜାନୁଆରୀ ୧୯୫୦ ଠାରୁ ୧ ଜୁଲାଇ ୧୯୮୭ ମଧ୍ୟରେ ଭାରତରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ଜନ୍ମସୂତ୍ରରେ ଭାରତୀୟ ନାଗରିକ।
  • ୧ ଜୁଲାଇ ୧୯୮୭ ପରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମାତା କିମ୍ବା ପିତାଙ୍କ ମଧ୍ୟରୁ ଅତି କମରେ ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ।
  • ୩ ଡିସେମ୍ବର ୨୦୦୪ କିମ୍ବା ତା’ପରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ପାଇଁ ନିୟମ ଆହୁରି କଡ଼ା। ଏଥିପାଇଁ ଦୁଇଜଣ ଅଭିଭାବକ ଭାରତୀୟ ହେବା କିମ୍ବା ଜଣେ ଭାରତୀୟ ଏବଂ ଅନ୍ୟଜଣ ଅବୈଧ ପ୍ରବାସୀ ନ ହେବା ଆବଶ୍ୟକ।

MEAର ବୟାନ ପରେ ସାଧାରଣ ଲୋକଙ୍କ ମନରେ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି। ପାସପୋର୍ଟ, ଆଧାର କିମ୍ବା ଭୋଟର କାର୍ଡ; ଏହି ତିନୋଟି ଦସ୍ତାବିଜ ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଜରୁରୀ। ବର୍ଷ ବର୍ଷ ଧରି ଲୋକମାନେ ଏହାକୁ ନିଜ ପରିଚୟ ଏବଂ ନାଗରିକତାର ପ୍ରମାଣ ବୋଲି ଭାବି ଆସୁଥିଲେ। ଏବେ ଏହି ତିନୋଟି ଦସ୍ତାବିଜକୁ ନେଇ ଉଠିଥିବା ପ୍ରଶ୍ନ ସାଧାରଣ ନାଗରିକଙ୍କୁ ଅଡୁଆରେ ପକାଇଛି । ବିଶେଷଜ୍ଞମାନଙ୍କ ମତରେ, ନାଗରିକତା ନିର୍ଣ୍ଣୟ କୌଣସି ଗୋଟିଏ ଦସ୍ତାବିଜ ଦ୍ୱାରା ହୁଏ ନାହିଁ। ଜନ୍ମ ସାର୍ଟିଫିକେଟ, ଅଭିଭାବକଙ୍କ ନାଗରିକତା ସମ୍ବନ୍ଧୀୟ ରେକର୍ଡ, ନାଗରିକତା ପ୍ରମାଣପତ୍ର ଏବଂ ଆଇନଗତ ଦସ୍ତାବିଜଗୁଡ଼ିକ ମିଶି ଏହାର ଆଧାର ହୋଇଥାଏ। ତଥାପି ବିଦେଶ ମନ୍ତ୍ରଣାଳୟର ଏହି ସ୍ପଷ୍ଟୀକରଣ ପୁଣିଥରେ ସେହି ପ୍ରଶ୍ନକୁ ଆଗକୁ ଆଣିଛି; “ଶେଷରେ ଭାରତୀୟ ନାଗରିକତାର ସବୁଠୁ ଶକ୍ତିଶାଳୀ ପ୍ରମାଣ କ’ଣ?”

Leave A Reply

Your email address will not be published.