ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାଷ୍ଟରପ୍ଲାନ; ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ବଦଳାଇବାକୁ ପ୍ରସ୍ତୁତ ହେଲା ନୂଆ ବ୍ଲୁ-ପ୍ରିଣ୍ଟ
ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଧବାର ସ୍ଥାନୀୟ ମିଶନ ଶକ୍ତି ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବଡ଼ ପ୍ୟାକେଜ୍ ଜାରି କରିଛନ୍ତି। ରାଜ୍ୟର ମୋଟ ୨,୮୮,୧୯୮ଟି ମହିଳା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ବାବଦକୁ ସରକାର ୧୪୭.୧୬ କୋଟି ଟଙ୍କାର ସୁଦ୍ଧ ରିହାତି ସହାୟତା ରାଶି ସିଧାସଳଖ ପ୍ରଦାନ କରିଛନ୍ତି।
ମହିଳା ଓ ଶିଶୁ ବିକାଶ ସହ ମିଶନ ଶକ୍ତି ବିଭାଗର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ ଏକ ବଡ଼ ସଫଳତାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଥିବା ‘ଲକ୍ଷପତି ଦିଦି’ ଅଭିଯାନରେ ଓଡ଼ିଶା ନିର୍ଦ୍ଧାରିତ ସମୟ ସୀମାର ପ୍ରାୟ ବର୍ଷେ ପୂର୍ବରୁ ହିଁ ନିଜର ଲକ୍ଷ୍ୟ ହାସଲ କରିସାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରେକର୍ଡ ସଂଖ୍ୟକ ୨୬,୩୯,୯୦୯ ଜଣ ମହିଳା ‘ଲକ୍ଷପତି ଦିଦି’ ଭାବେ ଉଭା ହୋଇ ସାରିଛନ୍ତି। ଆଗାମୀ ଦିନରେ ଏହି ମହିଳାମାନଙ୍କୁ କେବଳ ଲକ୍ଷପତି ନୁହେଁ, ବରଂ ‘ମହାଲକ୍ଷପତି’ ଓ ‘କୋଟିପତି ଦିଦି’ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସରକାରଙ୍କ ପ୍ରାଥମିକତା ରହିବ।
ଏହି ମେଗା ସମ୍ମିଳନୀରେ ସାରା ଓଡ଼ିଶାର ୩୦ଟି ଯାକ ଜିଲ୍ଲାର ଜିଲ୍ଲା ସ୍ତରୀୟ ମହାସଂଘର ପ୍ରାୟ ୩୩0 ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଯୋଗ ଦେଇଥିଲେ। ମହିଳା ଗୋଷ୍ଠୀଗୁଡ଼ିକୁ ଆହୁରି ମଜଭୁତ କରିବା ପାଇଁ ସୁଦ୍ଧ ରିହାତି ବ୍ୟତୀତ ୨୬ଟି ଜିଲ୍ଲାର ୨୩,୫୩୬ଟି ଏସଏଚଜି କୁ ୪୫.୭୧ କୋଟି ଟଙ୍କାର ବୁଲନ୍ତି ପାଣ୍ଠି ପ୍ରଦାନ କରାଯାଇଛି। ସେହିଭଳି ଗ୍ରାମାଞ୍ଚଳର ସାଂଗଠନିକ ବେସକୁ ସୁଦୃଢ଼ କରିବା ପାଇଁ ୨୭ଟି ଜିଲ୍ଲାର ୬୨୪ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘକୁ ସମୁଦାୟ ୧୮.୫୭ କୋଟି ଟଙ୍କାର ସମୁଦାୟ ବିନିଯୋଗ ପାଣ୍ଠି ବଣ୍ଟା ଯାଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ, ୨୦୩୬ ମସିହାରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ରାଜ୍ୟକୁ ଏକ ସମୃଦ୍ଧ ଏବଂ ବିକଶିତ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ଏକ ଭିଜନ ପ୍ରସ୍ତୁତ କରିଛନ୍ତି। ଏହି ମେଗା ରୂପାନ୍ତରଣ ଯାତ୍ରାରେ ମହିଳାମାନେ ହିଁ ମୁଖ୍ୟ ସାରଥୀ ସାଜିବେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ସଚିବ ମାନସୀ ନିମ୍ଭାଲ, ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ବହୁ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ଥିଲେ।
