Latest Odisha News

BREAKING NEWS

ସରକାରଙ୍କ କାର୍ଯ୍ୟରେ ଯାଉଥିବା ବେଳେ ହେଲେ ଦୁର୍ଘଟଣାର ଶିକାର, ଏବେ ଶଯ୍ୟାଶାୟୀ ଗ୍ରାମରକ୍ଷୀ ସୁଧୀର

ନବରଙ୍ଗପୁର: ଚିକିତ୍ସା ଅଭାବରୁ ଶର୍ଯ୍ୟାଶାୟୀ ହୋଇ ପଡିରହିଛନ୍ତି ଗ୍ରାମରକ୍ଷୀ ସୁଧୀର ନାୟକ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରଙ୍କ କାମରେ ଯାଉଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସୁଧୀର । କିନ୍ତୁ ସରକାର ସାହାର୍ଯ୍ୟ କରିବା ବଦଳରେ ମୁହଁ ଫେରେଇନେଲେ । ଚିକିତ୍ସା ପାଇଁ ବାରମ୍ବାର ସରକାରଙ୍କୁ ଗୁହାରି କରୁଥିଲେ ମଧ୍ୟ ସାହାଯ୍ୟରୁ ମୁହଁ ଫେରାଇନେଇଛି ଜିଲ୍ଲା ପ୍ରଶାସନ। ଏବେ ଜିଇଁବାକୁ ସଂଘର୍ଷ କରୁଛନ୍ତି ସୁଧୀରଙ୍କ ପରିବାର।

ସୂଚନା ଅନୁସାରେ, ଗତ ୨୦୨୨ ଫେବୃଆରୀ ମାସ ୧୮ ତାରିଖ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଗ୍ରାମରକ୍ଷୀ ସୁଧୀର ନାୟକଙ୍କର କୋଷାଗୁମୁଡ଼ା ବ୍ଲକରେ ଡ୍ୟୁଟି ପଡିଥିଲା । ନିର୍ବାଚନୀ ଦାଇତ୍ୱ ତୁଲାଇବା ପାଇଁ ସଜବାଜ ହୋଇ ଘରୁ ବହାରିପଡିଥିଲା ସୁଧୀର। ସୁଧୀରଙ୍କ ସହ ତିନୋଟି ଥାନାର ୩୨ ଜଣ ଗ୍ରାମରକ୍ଷୀ ଗୋଟିଏ ବସରେ ନବରଙ୍ଗପୁରରୁ କୋଷାଗୁମୁଡ଼ା ଅଭିମୁଖେ ଯାତ୍ରା କରୁଥିଲେ । ଗ୍ରାମରକ୍ଷୀ ମାନଙ୍କୁ ନେଇ ଯାଉଥିବା ବସଟି ପାପଡାହାଣ୍ଡି ନିକଟ ସୋରିଷପଦରଗାଁ ନିକଟରେ ଭାରସ୍ୟାମ ହରାଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୩ ଜଣ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିଲା ଓ ୨୯ ଜଣ ଗ୍ରାମରକ୍ଷୀ ଆହତ ହୋଇଥିଲେ । ଏହି ଆହତ ମାନଙ୍କ ମଧ୍ୟରେ ଥିଲେ ବଡ଼କୁମୁଲି ଗ୍ରାମର ଗ୍ରାମରକ୍ଷୀ ସୁଧୀର ନାୟକ । ତାଙ୍କର ଦୁଇ କାନ୍ଧ, ଡାହାଣ ଆଣ୍ଠୁ ଓ ଅଣ୍ଟା ଭାଙ୍ଗି ଯାଇଥିଲା । ୫ ଦିନ ନବରଙ୍ଗପୁର ମେଡିକାଲରେ ରଖି ପରେ ଡିସଚାର୍ଜ କରି ଘରକୁ ପଠେଇ ଦିଆଯାଇଥିଲା।

ମେଡିକାଲରେ ଥିବାସମୟରେ ରେଡକ୍ରସ ପାଣ୍ଠିରୁ ସମସ୍ତ ଗୁରୁତର ମାନଙ୍କୁ ମାତ୍ର ୫ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରି ଚୁପ ବସିଯାଇଥିଲା ଜିଲ୍ଲା ପ୍ରଶାସନ। ବସ ଦୁର୍ଘଟଣାରେ ସୁଧୀର ନାୟକ ଓ ତାଙ୍କ ପୁରା ପରିବାର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ ଓ ପ୍ରଭାବିତ ହୋଇଛି । ସୁଧୀର ଶଯ୍ୟାଶାୟୀ ହେବାପରେ କୁଲିମଜୁରୀ କରି ତାଙ୍କ ସ୍ତ୍ରୀ ଡାଳିମ୍ବ ନାୟକ ପରିବାରର ସାତ ପ୍ରାଣୀଙ୍କ ପେଟପାଇଁ ଦାନା ଯୋଗାଡ଼ କରୁଚି। ଅର୍ଥ ଅଭାବରୁ ଘରେ ଦେଶୀ ଚିକିତ୍ସାରେ ଲାଗିପଡିଛନ୍ତି ପରିବାର । ୪ ଜଣ ଝିଅରୁ ଦୁଇଝିଅ ଅଧାରୁ ପାଠ ଛାଡି ଘରେ ଅଛନ୍ତି । ନବରଙ୍ଗପୁର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ ଏମିତିକି ରାଜ୍ୟନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଲିଖିତ ଗୁହାରି ଜଣାଇ ନିରାଶ ହୋଇଛନ୍ତି ପରିବାର।

Leave A Reply

Your email address will not be published.