Latest Odisha News

BREAKING NEWS

ପୁଣି ଗୋଟିଏ ଟ୍ରାକରେ ମୁହାଁମୁହିଁ ହେଲେ ୨ ଟ୍ରେନ୍, ରେଲୱେ ଦେଲା ସ୍ପଷ୍ଟୀକରଣ

ବିଳାସପୁର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୧୦ ଦିନ ବିତିଛି । ବାହାନଗା ବାହୁନି ବାହୁନି କାନ୍ଦୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ରେଳ ବିଭାଗର ଅବହେଳା । ଛତିଶଗଡ଼ର ବିଳାସପୁରରେ ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓରେ ଦେଖା ଯାଉଛି ଏକ ପାସେଞ୍ଜର ଟ୍ରେନ୍ ଛିଡ଼ା ହୋଇଥିବା ଟ୍ରାକରେ ବିପରୀତ ଦିଗରୁ ଆଉ ଏକ ଟ୍ରେନ୍ ଆସୁଛି । ଜୟରାମ ନଗର ଷ୍ଟେସନର ଭିଡିଓଟି ଭାଇରାଲ୍ ହୋଇଥିବା ବେଳେ ରେଲୱେ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।

ସୂଚନା ଅନୁସାରେ, ଶନିବାର ଜୟରାମନଗର ଓ ଜାଞ୍ଜଗିରି-ଚମ୍ପା ଜିଲ୍ଲାର କୋଟମିସୋନର ମଧ୍ୟରେ ମେମୁ ଟ୍ରେନ୍ ଓ ଏକ ମାଲଗାଡ଼ି ଗୋଟିଏ ଟ୍ରାକରେ ରହିଥିଲେ । ମେମୁ ଟ୍ରେନ୍ କୋରବା ଅଭିମୁଖେ ଯାଉଥିଲା । ତେବେ ଦୁଇ ଟ୍ରେନ୍ ଧକ୍କା ହେବା ପୂର୍ବରୁ ଅଟକାଇ ଦିଆଯାଇଥିଲା ।

ଭିଡିଓ ଭାଇରାଲ୍ ପରେ ରେଲୱେ ପକ୍ଷରୁ କୁହାଯାଇଛି, ଜୟରାମନଗର-ବିଳାସପୁର ସେକ୍ସନ୍ ଅଟୋମେଟିକ୍ ସିଗନାଲିଂ ବ୍ଲକ ସେକ୍ସନ୍ ଅଟେ ।

ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନରେ ଟ୍ରାକରେ ଛିଡ଼ା ହୋଇଥିବା ଲୁହା ପଥର ବୋଝେଇ ମାଲବାହୀକୁ କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା ଦେଇ ଛିଟକି ପଡ଼ିଥିଲା । ଅନ୍ୟ ଟ୍ରାକରେ ଅତିକ୍ରମ କରୁଥିବା ଯଶବନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Leave A Reply

Your email address will not be published.