ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ।
ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ ଏକାଠି ହେବା ସହ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ଏକତା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ବେଳେ ପାଟନାରେ ବିରୋଧୀଙ୍କୁ ଏକାଠି କରିବାକୁ ସବୁ ପ୍ରସ୍ତୁତି କରୁଛନ୍ତି।
ଦେଶର ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ନୀତିଶ ଭେଟିବା ସହ ଆଲୋଚନା କରିଛନ୍ତି। ତେଣୁ ଏହାକୁ ରୂପ ଦେବାକୁ ଲାଗିଛନ୍ତି ନୀତିଶ। କର୍ଣ୍ଣାଟକରେ କଂଗ୍ରେସ ସରକାରର ଶପଥ ଗ୍ରହଣ ଉତ୍ସବ ପରେ ବିରୋଧୀ ଏକାଠି ହେବା ତାରିଖ ଚୁଡାନ୍ତ ହେବ।
ବିରୋଧୀ ଦଳ ଗୁଡ଼ିକର ବୈଠକରେ କଣ ଚର୍ଚ୍ଚା ହେବ, ବିରୋଧୀ କିଭଳି ଆଗକୁ ବଢ଼ିବେ ସବୁ ବିଷୟରେ ଆଲୋଚନା ହେବ। କର୍ଣ୍ଣାଟକରେ ବିପୁଳ ବିଜୟ ପରେ ତାମିଲନାଡୁ ମୁଖ୍ୟ ଏମ କେ ଷ୍ଟାଲିନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ବିଜେପିକୁ ହରାଇହେବ ବୋଲି କହିଛନ୍ତି।
ତେଣୁ ବିରୋଧୀଙ୍କ ମିଳନ ସହ ବିଜେପିକୁ ସତ୍ତାରୁ ହଟାଇବା ପାଇଁ ଏକ ନୂଆ ଫ୍ରଣ୍ଟ ଗଢ଼ାଯିବ ବୋଲି ସୂଚନା ମିଳିଛି । ମେଣ୍ଟର ଆବାହକ କିଏ ହେବ ସେ ସମ୍ପର୍କରେ ପାଟନା ବୈଠକରେ ନିଷ୍ପତ୍ତି ହେବ। ଜେଡିୟୁ ନୀତିଶଙ୍କୁ ନୂତନ ଫ୍ରଣ୍ଟର ଆବାହକ ନିଯୁକ୍ତିକୁ ନେଇ ବଡ଼ ଆଶା ରଖିଛନ୍ତି।
ଏପରିକି ବୈଠକରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଯୋଗ ଦେବା ନେଇ କୁହାଯାଉଛି। ସେହିଭଳି କଂଗ୍ରେସ, ଆରଜେଡି, ଜେଡିୟୁ, ତୃଣମୂଳ କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତିମୋର୍ଚା, ସମାଜବାଦୀ ପାର୍ଟି, ଏନସିପି, ଶିବସେନା, ଡିଏମକେ, ଆପ, ସିପିଆଇ, ସିପିଏମ, ସମେତ ଅନ୍ୟ କିଛି ଆଞ୍ଚଳିକ ଦଳ ଯୋଗ ଦେଇପାରନ୍ତି।
ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଏକାଠି ହେଉଥିବା ବେଳେ ବିଆରଏସ ବିରୋଧୀଙ୍କ ସହ ଏକାଠି ହେବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ କଂଗ୍ରେସ ବିରୋଧୀଙ୍କ ନେତୃତ୍ୱ ନେବା ପ୍ରସଙ୍ଗକୁ ବିରୋଧ କରୁଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିବା ବେଳେ ବିରୋଧୀ ଏକତା ଦିଗରେ ଦଳର ଆଭିମୁଖ୍ୟ ନେଇ ଚର୍ଚ୍ଚା ହୋଇଛି।
କର୍ଣ୍ଣାଟକରେ ଜିତିବା ପରେ କଂଗ୍ରେସ ବିରୋଧୀଙ୍କ ନେତୃତ୍ୱ ନେବା କଥା ଉଠୁଥିବା ବେଳେ କେସିଆର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି। ତେଲେଙ୍ଗାନାରେ କଂଗ୍ରେସ ମୁଖ୍ୟ ବିରୋଧୀ ଭୂମିକାରେ ଥିବାରୁ ବିରୋଧୀ ମେଣ୍ଟର ନେତୃତ୍ୱ ନେଲେ ବିଆରଏସ ମେଣ୍ଟରେ ରହିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।
ତେଲେଙ୍ଗାନା ନିର୍ବାଚନକୁ ଆଉ ୬ ମାସରୁ କମ ସମୟ ଥିବା ବେଳେ କଂଗ୍ରେସ ନେତୃତ୍ୱରେ ବିରୋଧୀ ମେଣ୍ଟରେ ସାମିଲ ହେଲେ ଏହା ଦଳକୁ ବୁମେରାଂ ହୋଇପାରେ ବୋଲି ଦଳ ଚିନ୍ତା କରୁଛି। କେସିଆର ଦଳର କାର୍ଯ୍ୟକାରୀ ସଭାପତି କେ ଟି ରାମରାଓ ଙ୍କୁ ବିରୋଧୀ ମେଣ୍ଟ ବୈଠକକୁ ପଠାଇବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।
କେବଳ ବିଆରଏସ ନୁହେଁ ଟିଏମସି ମୁଖ୍ୟ ମମତା ମଧ୍ୟ କଂଗ୍ରେସ ଦଳ ବିରୋଧୀ ମେଣ୍ଟର ନେତୃତ୍ୱ ନେବା ସପକ୍ଷରେ ନାହାନ୍ତି। ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରିବାଲ ମଧ୍ୟ କଂଗ୍ରେସ ନେତୃତ୍ୱକୁ କେତେ ଗ୍ରହଣ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି। ଯାହାକୁ ନେଇ ବିରୋଧୀ ଏକତା ଉପରେ ପ୍ରଶ୍ନ ଉଠିଛି।
ସେପଟେ କଂଗ୍ରେସ ମଧ୍ୟ ନିଜେ ଦମଦାର ଢଙ୍ଗରେ ନୂଆ ଷ୍ଟ୍ରାଟେଜି ସହ ଆଗେଇ ଚାଲିଥିବା ବେଳେ ବିରୋଧୀ ଏକତାକୁ ଗୁରୁତ୍ୱ ଦେଉଛି। କିନ୍ତୁ ବିଭିନ୍ନ ଆଂଚଳିକ ଦଳ ବିରୋଧୀ ମେଣ୍ଟରେ କଂଗ୍ରେସ ନେତୃତ୍ୱକୁ ପସନ୍ଦ କରୁ ନ ଥିବାରୁ ଏହା କିଭଳି ସଫଳ ହେବ ତାକୁ ନେଇ ଚର୍ଚ୍ଚା ହେଉଛି।
Comments are closed.