Latest Odisha News

BREAKING NEWS

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି।

୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ ବଡ଼ ବାତାବରଣ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଯାହାର ପ୍ରତିଫଳନ କର୍ଣ୍ଣାଟକରେ ଦେଖିବାକୁ ମିଳିଥିବା କଂଗ୍ରେସ ସମେତ ରାଜନୀତି ସମୀକ୍ଷକ ମାନେ ମତ ରଖୁଛନ୍ତି।

ତେଣୁ ଏହାକୁ ଆଖି ଆଗରେ ରଖି କଂଗ୍ରେସ ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ଆରମ୍ଭ କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହୋଇଥିବା ଏହି ଯାତ୍ରା ୧୨ ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କଭର କରିଥିଲା।

ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରା ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ଗୁଜୁରାଟରୁ ଆରମ୍ଭ ହୋଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଯିବ। ଗୁଜୁରାଟ ପୋରବନ୍ଦରରୁ ଅରୁଣାଚଳ ପ୍ରଦେଶର ପର୍ଶୁରାମକୁଣ୍ଡ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ସୂଚନା ମିଳିଛି।

ରାହୁଲଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡୋ ଯାତ୍ରା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୂଆ ସକାଳର ଆରମ୍ଭ ବୋଲି କୁହାଯାଉଥିଲା। ଦକ୍ଷିଣ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ରାହୁଲଙ୍କ ସହ ଲକ୍ଷ ଲକ୍ଷ ଲୋକ ଯୋଡି ହୋଇଥିଲେ।

ବିଜେପି ଶାସନକୁ ଆସିବା ପରେ ଦେଶରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହେବା ସହ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଏପରିକି ଏହାକୁ ନେଇ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦ ଛାଡିବା ସହ ସମୟକ୍ରମେ ଦଳ ଭିତରେ ବହୁ ବରିଷ୍ଠ ନେତାଙ୍କ ବିଦ୍ରୋହ ଦେଖା ଦେଇଥିଲା।

ଏପରିକି ଦଳର ଏଭଳି ଅବସ୍ଥା ପାଇଁ ଦଳୀୟ ନେତା ରାହୁଲଙ୍କୁ ଦାୟୀ କରିବା ସହ ବିଜେପି ରାହୁଲଙ୍କ ଛବିକୁ ମଳିନ ପକାଇ ଦେଇଥିବା ଚର୍ଚ୍ଚା ହେଲା। କିନ୍ତୁ ଭାରତ ଯୋଡୋ ଯାତ୍ରା ରାହୁଲଙ୍କ ସମେତ କଂଗ୍ରେସ ଛବିକୁ ଉଜ୍ବଳ କରିଥିବା କୁହାଯାଉଥିବାବେଳେ ଏବେ କର୍ଣ୍ଣାଟକ ନିର୍ବାଚନରେ ତାର ସଫଳତା ଦେଖିବାକୁ ମିଳିଥିବା କୁହାଯାଉଛି।

କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରା ୨୧ ଦିନ ଧରି ଚାଲିଥିବା ବେଳେ ୫୧୧ କିଲୋମିଟର କଭର ହୋଇଥିଲା। କର୍ଣ୍ଣାଟକର ଗୁଣ୍ଡଲୁପେଟ ନିର୍ବାଚନ ମଣ୍ଡଳୀରୁ ରାଇଚର ରୁରାଲ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ଯାତ୍ରା କଭର କରିଥିଲା। ଏଥିମଧ୍ୟରେ ୨୧ ଟି ନିର୍ବାଚନ ମଣ୍ଡଳୀ ରହିଥିଲା। ଯେଉଁଥିରୁ ଏଥର ନିର୍ବାଚନରେ କଂଗ୍ରେସ ୧୬ ଟିରେ ଜିତିବାକୁ ସମର୍ଥ ହୋଇଛି। କଂଗ୍ରେସ ଜିତିଥିବା ୧୬ ଟି ସିଟ ମଧ୍ୟରୁ ୧୫ ଜଣ କଂଗ୍ରେସ ପ୍ରାର୍ଥୀ ଓ ମେଲୁକୋଟରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟ ହୋଇଛନ୍ତି।

୨୦୧୮ ମସିହା ନିର୍ବାଚନରେ ଏହି ୨୧ ନିର୍ବାଚନ ମଣ୍ଡଳୀରୁ ୧୨ ଟି ରେ ବିଜେପି ଜିତିଥିବାବେଳେ ମାତ୍ର ୫ ଟିରେ କଂଗ୍ରେସ ଜିତିଥିଲା। ଜେଡିଏସ ୪ ଟିରେ ଜିତିଥିଲା। ଭାରତ ଯୋଡୋ ଯାତ୍ରା ଯୋଗୁ ଏସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ୨୪ ପ୍ରତିଶତରୁ ୭୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏପରିକି ଏହାର ପ୍ରଭାବ ସମଗ୍ର କର୍ଣ୍ଣାଟକରେ ପଡିବା ଆଲୋଚନା ହେଉଥିବା ବେଳେ ଅନ୍ୟ ୨୦୩ ଟି ବିଧାନସଭା କ୍ଷେତ୍ରରେ ଭୋଟ ପ୍ରତିଶତ ୩୭ ରୁ ୫୯ କୁ ବୃଦ୍ଧି ପାଇଛି।

କଂଗ୍ରେସ ମୋଟ ୪୩ ପ୍ରତିଶତ ଭୋଟ ପାଇବାକୁ ସମର୍ଥ ହୋଇଛି ଯାହାକି ଦୀର୍ଘ ବର୍ଷର ବ୍ୟବଧାନ ପରେ ମିଳିଛି। ଯାତ୍ରା ଯୋଗୁ ଲୋକଙ୍କ ସମେତ ଦଳୀୟ କର୍ମୀ କାର୍ଯ୍ୟକର୍ତାଙ୍କ ଉତ୍ସାହ ବହୁଗୁଣିତ ହୋଇଛି। ତେଣୁ କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରାର ବଡ଼ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଯାତ୍ରା ୧୨ ଟି ରାଜ୍ୟ କଭର କରିଥିଲା।

ଏବେ କର୍ଣ୍ଣାଟକ ନିର୍ବାଚନ ଶେଷ ହୋଇଥିବାବେଳେ ଆଗକୁ ଭାରତ ଯୋଡୋ ଯାତ୍ରା କଭର କରିଥିବା ଅନ୍ୟାନ୍ୟ ରାଜ୍ୟର ନିର୍ବାଚନ ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନରେ ନିର୍ବାଚନ ରହିଛି। ତେଣୁ କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରାର ବଡ଼ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏ ସବୁ ରାଜ୍ୟରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି କଂଗ୍ରେସ ବଡ଼ ଆଶା ରଖିଛି।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ବିଜେପି ତୀଵ୍ର ସମାଲୋଚନା କରିଥିବାବେଳେ ଏହାକୁ ଭାରତ ତୋଡୋ ଯାତ୍ରା ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ତେଣୁ ଏବେ ଯାତ୍ରାର ଏଡ଼େ ବଡ଼ ପ୍ରଭାବ ପଡିଥିବା କୁହାଯାଉଥିବା ବେଳେ ଆଗକୁ ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ବିଜେପିର ଚିନ୍ତା ବଢ଼ାଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.