Latest Odisha News

BREAKING NEWS

‘କର୍ଣ୍ଣାଟକ ପ୍ରଚାର’ ଚାଲିଛି ରାହୁଲ ଶୋ

ଭୁବନେଶ୍ୱର : କର୍ଣ୍ଣାଟକରେ ରାହୁଲଙ୍କ ଜୋରଦାର ପ୍ରଚାର। କୋଲାରରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିବା ବେଳେ ଠିକ ସେହି ଜାଗାରୁ ହିଁ ରାହୁଲ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ। ନିଜ ସଦସ୍ୟ ପଦ ରଦ୍ଦ ପାଇଁ ଚର୍ଚ୍ଚାରେ ଥିବା ରାହୁଲ ଏହାକୁ ପ୍ରମୁଖ ମୁଦ୍ଦା କରିଥିବା ବେଳେ କୋଲାର ରାଲିରେ ରାହୁଲ ଗାନ୍ଧି ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇଛନ୍ତି।

କୋଲାରରେ ପ୍ରଚାରର ଦିନକ ପରେ ରାହୁଲ ଭାଲକୀ ଏବଂ ହମନାବାଦରେ ଜୋରଦାର ପ୍ରଚାର କରିଛନ୍ତି । କର୍ଣ୍ଣାଟକରେ ବିଜେପି ସରକାରର ଦୁର୍ନୀତି ବିରୋଧରେ ବର୍ଷିଛନ୍ତି ରାହୁଲ । ବିଜେପିକୁ ୪୦ ପ୍ରତିଶତ କମିଶନ ସରକାର କହିବା ସହ ଦଳକୁ ମାତ୍ର ୪୦ ଟି ସିଟ ଦେବା ପାଇଁ କର୍ଣ୍ଣାଟକବାସୀଙ୍କୁ କହିଛନ୍ତି ରାହୁଲ ।

ଏଥିସହିତ କଂଗ୍ରେସକୁ ୧୫୦ ଟି ସିଟରେ ଜିତାଇ ବିଜେପିକୁ ବିଧାୟକ କିଣିବାର ସୁଯୋଗ ନ ଦେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି ରାହୁଲ ।ସଂରକ୍ଷଣ ପ୍ରସଙ୍ଗକୁ ମଧ୍ୟ ନିର୍ବାଚନ ପ୍ରଚାରରେ ପ୍ରମୁଖ ପ୍ରସଙ୍ଗ କରିଛନ୍ତି । ବିଜେପି ନିର୍ବାଚନରେ ମିଛ ପ୍ରତିଶୃତି ଦେଇଥିବା ଅଭିଯୋଗ କରିବା ସହ ବର୍ଷକୁ ଦୁଇ କୋଟି ଚାକିରି ଏବଂ ୧୫ ଲକ୍ଷ ଟଂକା ଦେବାକୁ କହିଥିଲା । କିନ୍ତୁ ଲୋକମାନେ ପାଇଲେ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ ଦେବା ସହ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣା ବିଜୁଳି, ଗରିବ ଲୋକଙ୍କୁ ରାସନ ଓ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ମିଳିବ ବୋଲି ସେ କହିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ସରକାର ଗଠନ ହେବା ସହ ସବୁ ପ୍ରତିଶ୍ରୁତିକୁ ପାଳନ କରାଯିବ ବୋଲି ରାହୁଲ କହିଛନ୍ତି।

ଆଦାନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ରାହୁଲ। କୋଲାରରୁ ରାହୁଲଙ୍କ କର୍ଣ୍ଣାଟକ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଭାଲକୀ ଓ ହମନାବାଦରେ ରାହୁଲ ପ୍ରଚାରକୁ ଜୋରଦାର କରିଛନ୍ତି। ଗୋଟିଏ ପଟେ ବିଜେପିର ବରିଷ୍ଠ ନେତାମାନେ କଂଗ୍ରେସରେ ମିଶୁଥିବା ବେଳେ ଦଳର ଚିନ୍ତା ବଢିଥିବା ଆଲୋଚନା ହେଉଛି। ଠିକ ସେହି ସମୟରେ ରାହୁଲଙ୍କ ଶାଣିତ ଆକ୍ରମଣ ଦେଖିବାକୁ ମିଳିଛି।

ସେପଟେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ବରିଷ୍ଠ ବିଜେପି ନେତା ପ୍ରଚାରକୁ ଓଲ୍ହାଇବେ। ମୋଦି କର୍ଣ୍ଣାଟକରେ ୨୦ ରୁ ଅଧିକ ସଭା ଓ ରାଲିକୁ ସମ୍ବୋଧିତ କରିବେ ବୋଲି ଯୋଜନା ହୋଇଥିବା ସୂଚନା ମିଳିଛି। ରାହୁଲଙ୍କ ସମେତ ପ୍ରିୟଙ୍କା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ କର୍ଣ୍ଣାଟକରେ ଜୋରଦାର ପ୍ରଚାର କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଭଳି ସ୍ଥିତିରେ ବିଜେପି ବନାମ କଂଗ୍ରେସ ଲଢେଇରେ କିଏ ବାଜି ମାରିବ ତାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା।

Leave A Reply

Your email address will not be published.