Latest Odisha News

ରଶ୍ମିକାଙ୍କ ପରେ କ୍ୟାଟ୍ରିନାଙ୍କ ଡିପଫେକ୍ ଭିଡିଓ ନେଇ ସୋସିଆଲ ଝଡ଼

ମୁମ୍ବାଇ: ବର୍ତ୍ତମାନ ଚାରିଆଡେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଚାଲିଛି ଚର୍ଚ୍ଚା। ସମ୍ଭବକୁ ଅସମ୍ଭବ କରିଦେଉଛି ଏଆଇ ଟେକ୍ନୋଲୋଜୀ। ବର୍ତ୍ତମାନ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବା ଦିଗରେ ବ୍ୟବହାର ହେବାରେ ଲାଗିଛି ଏହି ଟେକ୍ନୋଲୋଜି। ଯାହାର ଏକ ନେଗେଟିଭ ଇମ୍ପାକ୍ଟ ଦେଖିବାକୁ ମିଳିଛି। ବିଶେଷ କରି ମହିଳା ସେଲିବ୍ରିଟିଙ୍କ ଉପରେ ଏହି ଟେକ୍ନୋଲୋଜି ଖୁବ ସମସ୍ୟାରେ ପକାଇଛି। ଗତ କିଛି ଦିନ ହେବ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି। ରଶ୍ମିକାଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନାଙ୍କ ଅପକମିଂ ଫିଲ୍ମ ଟାଇଗର-ଥ୍ରୀର ଏକ ସିନକୁ ଡିପଫେକ୍ କରାଯାଇଥିବା ଅଭିଯୋଗ ଆସିଛି।

ଫିଲ୍ମରେ କ୍ୟାଟ୍ରିନା ଏକ ଟାୱାଲ ପିନ୍ଧିଥିବାର ସିନ୍ ରହିଛି। ଯାହାର ଅରଜିନାଲ ଫଟୋକୁ କ୍ୟାଟ୍ରିନା ୬ ନଭେମ୍ବରରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। କ୍ୟାପସନରେ ଲେଖିଥିଲେ ଏହି ଫିଲ୍ମ ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଛି। ଫଟୋ ସହିତ ସେ ୱାର୍କ ଆଉଟ କରୁଥିବା କିଛି ଭିଡିଓ କ୍ଲିପ୍ସ ମଧ୍ୟ ପୋଷ୍ଟ କରିଥିଲେ। ମାତ୍ର ଡିପଫେକ ଭିଡିଓରେ ତାଙ୍କୁ ଲୋ-କଟ୍‌ ହ୍ବାଇଟ ଟପରେ ଦେଖିବାକୁ ମିଳୁଛି। ଉଭୟ ରଶ୍ମିକା ଓ କ୍ୟାଟ୍ରିନାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏଆଇକୁ ନେଇ ବଢିଛି ଚିନ୍ତା।

କ୍ୟାଟ୍ରିନାଙ୍କ ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ବହୁତ ରାଗିଯାଇଛନ୍ତି। ସାଇବର ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଭୋକ୍ତାମାନେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଟାୱାଲ ଦୃଶ୍ୟରେ କ୍ୟାଟ୍ରିନାଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, ‘ମୁଁ ପରଦାରେ ବିପଦପୂର୍ଣ୍ଣ ଆକ୍ସନ୍ କରିବାକୁ ଭଲ ପାଏ ଏବଂ ଟାଇଗର ଫ୍ରାଞ୍ଚାଇଜ୍ ମୋତେ ମହିଳା ଆକ୍ସନ୍ ହିରୋଇନ୍ ହେବାବେଳେ ଅନେକ ଜିନିଷ କରିବାକୁ ସୁଯୋଗ ଦେଇଛି! ମୁଁ ଜୋୟାଙ୍କ ମାଧ୍ୟମରେ ଏକ ଭଲ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଛି। ମୁଁ ଜଣେ ଯୋଦ୍ଧା। ସମସ୍ୟାକୁ ସାମ୍ନା କରିବାର ମୋର କ୍ଷମତା ଅଛି।’

ସୂଚନା ଥାଉକି ଶୁକ୍ରବାର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଡିପଫେକ ଟେକ୍ନୋଲୋଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଲିଉଡରୁ ଉଠିଛି ସ୍ବର। ଯାହାକୁ ନେଇ ଆଇଟି ମନ୍ତ୍ରୀଙ୍କ ସମେତ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ପ୍ରତିବାଦ କରିଥିଲେ। ମହିଳା ଓ ଯୁବତୀମାନଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତା ବଢୁଛି।

Leave A Reply

Your email address will not be published.