Latest Odisha News

BREAKING NEWS

ଏଣିକି ରାସ୍ତାରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି; ନିର୍ଦ୍ଦେଶ ଦେଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ସାଧାରଣ ରାସ୍ତା କିମ୍ବା ଜାତୀୟ ରାଜପଥରେ କୌଣସି ପ୍ରକାର ବୈଠକ କିମ୍ବା ରାଲି ହୋଇପାରିବନି। ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ରାଜ୍ୟରେ ରାଜନୈତିକ ରାଲିରେ ଦୁଇ ଦୁଇ ଥର ଦଳା ଚକଟା ହୋଇ ଲୋକଙ୍କ ଜୀବନ ଯିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର।

ଗତ ସପ୍ତାହରେ ବିରୋଧୀ ଦଳ ‘ତେଲଗୁ ଦେଶମ ପାର୍ଟି’(ଟିଡିପି) କନ୍ଦୁକୁରରେ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସତର୍କତା ମୂଳକ ପଦକ୍ଷେପ ନେଇ ପୁଲିସ ଆଇନ ୧୮୬୧ ବଳରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମାରେ କୁହାଯାଇଛି “ରାସ୍ତା ଓ ରାଜପଥରେ ସାର୍ବଜନିକ ବୈଠକ ଆୟୋଜିତ କରିବା ପୁଲିସ ଆଇନର ଧାରା ୩୦ରେ ଏକ ଆଇନର ବିଷୟ। । ୧୮୬୧ରେ ଏହା ଉଲ୍ଲେଖ ରହିଛି। ”

ତେଣୁ ସାର୍ବଜନିକ ବୈଠକ ଓ ରାଲି ପାଇଁ ରାସ୍ତା ଠାରୁ ଦୂରରେ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ହରିଶ ଗୁପ୍ତା। ଫଳରେ ଏଥିରେ ଟ୍ରାଫିକ୍ ଜାମ ସମସ୍ୟା ସୃଷ୍ଟି ହେବ ନାହିଁ। ଏହାଦ୍ୱାରା ଯାତାୟତରେ ସମସ୍ୟା ନହେବା ସହ ଜରୁରିକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ଗୃହ ବିଭାଗ ମୁଖ୍ୟ ସଚିବ କହିଛନ୍ତି।

ରାସ୍ତାରେ ସାର୍ବଜନିକ ବୈଠକ କିମ୍ବା ରାଲି ପାଇଁ ବିଭାଗୀୟ ଅଧିକାରୀ ଅନୁମତି ଦେବାରୁ ବିରତ ରହିବେ। ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏଥିପାଇଁ ଯଦିଓ ଅନୁମତି ଦିଆଯାଇପାରିବ ତେବେ ଏହାର କାରଣ ଲିଖିତ ଆକାରରେ ରେକର୍ଡ ହୋଇ ରହିବ ବୋଲି ସଚିବ କହିଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କର ଏପରି ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ। ଏକଛତ୍ରବାଦୀ ହୁକୁମ ଭଳି ସରକାର ନିର୍ଦ୍ଦେଶ ଦେଇଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି।

Leave A Reply

Your email address will not be published.