Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନ, ନବଙ୍କ ଜାଗା କିଏ ନେବ ?

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା। ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୩ ତାରିଖରେ ଫଳାଫଳ ବାହାରିବ। ତାରିଖ ଘୋଷଣା ପରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ହେଉଥିବାରୁ ଏହା ପ୍ରମୁଖ ରାଜନୈତିକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଲଢେଇ ବୋଲି କୁହାଯାଉଛି। ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଶାସକ ଦଳକୁ ବିରୋଧୀ ଯେଉଁ ଢଙ୍ଗରେ ଘେରୁଛନ୍ତି ସେତେବେଳେ ଉପନିର୍ବାଚନ ଘୋଷଣା ବିଜେଡି ସମେତ ବିରୋଧୀଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି।

ଯେଉଁ ଦଳ ଏଥିରେ ଜିତିବ ସେ ମାନସିକ ସ୍ତରରେ ଶକ୍ତ ହେବ। ପଶ୍ଚିମ ଓଡ଼ିଶାରେ ପଦମପୁର ଉପନିର୍ବାଚନ କିଛି ଦିନ ତଳେ ଶେଷ ହୋଇଥିବା ବେଳେ ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଏତେ କମ ଦିନ ବ୍ୟବଧାନରେ ପଶ୍ଚିମ ଓଡିଶାର ଦୁଇଟି ଜିଲ୍ଲାରେ ଉପନିର୍ବାଚନ ହେଉଥିବାରୁ ଚର୍ଚ୍ଚା ଜୋର। ଗୋଟିଏ ପଟେ ପଦମପୁର ଉପନିର୍ବାଚନରେ ଶାସକ ବିଜେଡି ଭଲ ବ୍ୟବଧାନରେ ଜିତିଥିବାବେଳେ ଝାରସୁଗୁଡ଼ା ଉପରେ ସମସ୍ତଙ୍କର ନଜର ରହିଛି।

ସେପଟେ ତାରିଖ ଘୋଷଣାର ବହୁ ପୂର୍ବରୁ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।ନବ ଦାସଙ୍କ ଝିଅ ଦୀପାଳି ଦାସ ଉପନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ନବ ଦାସଙ୍କ ସହ ଦୀପାଳି ବହୁ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାବେଳେ ନବଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଉଭା ହେଉଥିଲେ। ନବଙ୍କ ଦେହାନ୍ତ ପରେ ଦୀପାଳି ଆହୁରି ଆକ୍ଟିଭ।

ନବଙ୍କ ଦେହାନ୍ତ ପରେ ଦୀପାଳି ନିଜେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭାଉଜ ଚାର୍ଭି ମଧ୍ୟ ଦୀପାଳିଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ତେଣୁ ଦୀପାଳିଙ୍କୁ ଟିକେଟ ଦେଇ ଶାସକ ଦଳ ନବଙ୍କ ଭୋଟବ୍ୟାଙ୍କ ସହ ଅନୁକମ୍ପା ଭୋଟ ପାଇବାକୁ ଯୋଜନା କରୁଥାଇପାରେ ବୋଲି ଆଲୋଚନା ହେଉଛି। ଏପରିକି ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବାରୁ ଦଳ ଦୀପାଳିଙ୍କୁ ଟିକେଟ ଦେଇ ମହିଳା ଭୋଟକୁ ନିଜ ଆଡକୁ ଆଣିବାକୁ ଉଦ୍ୟମ କରିବ ବୋଲି କୁହାଯାଉଛି।

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଦମଦାର ପ୍ରଦର୍ଶନ ପାଇଁ ସଜବାଜ ହେଉଥିବା କୁହାଯାଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଝାରସୁଗୁଡ଼ାରେ ଶାସକ ଦଳକୁ ମାତ ଦେଇ ଏକ ବାତାବରଣ ତିଆରି କରିବାକୁ ଯୋଜନା କରୁଛନ୍ତି ବିରୋଧୀ। ୨୦୧୯ ନିର୍ବାଚନରେ ବିଜେପି ଦିନେଶ ଜୈନଙ୍କୁ ପ୍ରାର୍ଥୀ କରିଥିବାବେଳେ ପୁଣିଥରେ ଦଳ ତାଙ୍କୁ ରିପିଟ କରିବ ନା ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା ତେଣୁ ଏଥର ଏହାକୁ ବିଜୟରେ ପରିବର୍ତ୍ତନ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି।

ରାଜ୍ୟ ବିଜେପିର ମଙ୍ଗ ଧରିଥିବା ମନମୋହନ ସାମଲଙ୍କ ପାଇଁ ଏହି ଉପନିର୍ବାଚନ ଏସିଡ ଟେଷ୍ଟ ସଦୃଶ ହେବ ବୋଲି କୁହାଯାଉଛି। ଧାମନଗର ଉପନିର୍ବାଚନରେ ବିଜେପିକୁ ବିଜୟ ମୁକୁଟ ପିନ୍ଧାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନମୋହନ ସାମଲ ଏବେ ଦଳର ମଙ୍ଗୁଆଳ। ତେଣୁ ଏଥିରେ ସେ କେତେ ସଫଳ ହେବେ ତାକୁ ରାଜନୈତିକ ମହଲ ଅପେକ୍ଷା କରିଛି।

ଗୋଟିଏ ପଟେ ଧାମନଗର ଉପନିର୍ବାଚନ ଜିତିବା ପରେ ବିଜେଡିକୁ ଯେ ହରେଇହେବ ଏ ଧାରଣା ସୃଷ୍ଟି ହୋଇଥିବା ବେଳେ ପଦମପୁର ଉପନିର୍ବାଚନ ପରେ ସେ ଧାରଣା ଟିକେ ଫିକା ପଡିଛି। ତେଣୁ ଝାରସୁଗୁଡ଼ା ଉପନିର୍ବାଚନରେ ଯଦି ବିଜେଡି ବଡ଼ ମାର୍ଜିନରେ ଜିତେ ତାହେଲେ ଧାମନଗର ବାର୍ତ୍ତା ଆଉ କାମ ଦେବନି ବୋଲି କୁହାଯାଉଛି।

ସେହିପରି ନବଙ୍କ ଯୋଗୁ ଦିନେ ଝାରସୁଗୁଡ଼ାକୁ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ଦଳ ସେଠି ଏବେ ଦୁର୍ବଳ ହୋଇଥିବା କୁହାଯାଉଛି। ପୂର୍ବ ନିର୍ବାଚନରେ ଝାରସୁଗୁଡାରୁ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାୟକ ଏଥର ଉପନିର୍ବାଚନରେ ଟିକେଟ ପାଇବେ ନା ଦଳ ଆଉ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କଂଗ୍ରେସର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଦଳ ପାଇଁ ଏହି ନିର୍ବାଚନ କର ବା ମର ସ୍ଥିତି ଭଳି ହୋଇଛି। ଯଦି କଂଗ୍ରେସ ଝାରସୁଗୁଡ଼ା ଉପନିର୍ବାଚନରେ ସମ୍ମାନଜନକ ଭୋଟ ନ ପାଏ ତେବେ ଦଳ ବିପକ୍ଷରେ ଏକ ଭୁଲ ବାର୍ତ୍ତା ଯିବ ବୋଲି କୁହାଯାଉଛି।

ଗତ ନିର୍ବାଚନରେ ଝାରସୁଗୁଡାରେ ବିଜେଡି ବିଜେପି ମଧ୍ୟରେ ଲଢେ଼ଇ ହୋଇଥିଲା। ବିଜେଡି ପ୍ରାର୍ଥୀ ନବ ଦାସ ୯୮ ହଜାର ୬୨୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨ ହଜାର ୯୨୧ ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮ ହଜାର ୮୨୩ ଖଣ୍ଡ ଭୋଟ ପାଇଁ ତୃତୀୟରେ ରହିଥିଲେ। ନବ ଦାସ ବିଜେପିର ଦିନେଶଙ୍କୁ ୪୫ ହଜାର ୬୯୯ ଖଣ୍ଡ ଭୋଟରେ ହରାଇଥିଲେ। ତେଣୁ ଏଥର ମଧ୍ୟ ବିଜେଡି ବିଜେପି ମଧ୍ୟରେ ଲଢେ଼ଇ ହୋଇପାରେ ଵୋଲି କୁହାଯାଉଛି।

ସେପଟେ ନବ ଦାସଙ୍କ ହତ୍ୟାକୁ ନେଇ ଶାସକ ଦଳ ବିରୋଧରେ ଯେଉଁ ଅଭିଯୋଗ ଲଗାତର ଆସୁଛି ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଦୀପାଳିଙ୍କୁ ପ୍ରାର୍ଥୀ କରି ବଡ଼ ବ୍ୟବଧାନରେ ଜିତିଲେ ଦଳ ଏ ସବୁ ଚର୍ଚାରୁ ମୁକୁଳି ପାରିବ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.