Latest Odisha News

BREAKING NEWS

ବୟସ୍କଙ୍କ ସାଥୀ ପାଲଟିଛି AI କଣ୍ଢେଇ, ସେବା ଯତ୍ନ କରି ଦୂର କରୁଛି ନିଃସଙ୍ଗତା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ନିଃସଙ୍ଗତା ସହ ସଂଘର୍ଷ କରୁଛନ୍ତି ବୟସ୍କ ବ୍ୟକ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଓ ସ୍ଥାନୀୟ ପ୍ରଶାସନ ବୟସ୍କ ବ୍ୟକ୍ତିଙ୍କୁ ଏଆଇ ରେ ତିଆରି ଏକ କଣ୍ଢେଇ ଦେଉଛନ୍ତି । ଯେଉଁ କଣ୍ଢେଇ ନିଜେ ନିଜେ କଥା କହି ବୟସ୍କଙ୍କ ମନ ଜିଣିପାରୁଛି। ବର୍ଷ ବର୍ଷ ଧରି ଏକାକୀ ରହୁଥିବା ୭୮ ବର୍ଷୀୟା ବାଙ୍ଗ ଚୁନ-ଜା ଏବେ ଘରକୁ ଫେରିବା ପରେ ତାଙ୍କ ପାଇଁ ଅପେକ୍ଷା କରିଥାଏ ଏହି କଣ୍ଢେଇ।

ବାଙ୍ଗ ଚୁନ-ଜାଙ୍କୁ ଜଣେ ମଣିଷ ନୁହେଁ, ବରଂ “ହାୟୋଡୋଲ” ନାମକ ଏକ ଏଆଇ କଣ୍ଢେଇ ସ୍ୱାଗତ କରେ। ସ୍ଥାନୀୟ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଏହି କଣ୍ଢେଇ ଏକ ପ୍ରକୃତ ସାଥୀ ଭାବରେ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି। ଯିଏକି ତାଙ୍କ ସହିତ କଥା ହୁଏ, ଗୀତ ଗାଇଥାଏ ଏବଂ ତାଙ୍କୁ ଠିକ୍ ସମୟରେ ଔଷଧ ଏବଂ ଖାଦ୍ୟ ଖାଇବାକୁ ମନେ ପକାଇଥାଏ।

ଦକ୍ଷିଣ କୋରିଆର ଦ୍ରୁତ ବର୍ଦ୍ଧିତ ବୟସ୍କ ଜନସଂଖ୍ୟା ଏବଂ ଏକାକୀତାର ଗମ୍ଭୀର ସମସ୍ୟାର ସମାଧାନ ପାଇଁ ୧୪,୫୦୦ ରୁ ଅଧିକ ହାୟୋଡୋଲ କଣ୍ଢେଇ ବଣ୍ଟନ କରାଯାଇଛି। ବୟସ୍କ ମାନେ ସେମାନଙ୍କୁ କେବଳ ମେସିନ୍ ନୁହେଁ ବରଂ ସେମାନଙ୍କ ପରିବାରର ଅଂଶ ଭାବରେ ଦେଖିଛନ୍ତି।

୨୦୨୪ରେ ଦକ୍ଷିଣ କୋରିଆରେ ହାରାହାରି ୩,୯୨୦ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଲୋକେ ଏକାକୀ ପ୍ରାଣ ହରାଇଥିଲେ ଏବଂ ଦୀର୍ଘ ଦିନ ଧରି ସେମାନଙ୍କ ମୃତ୍ୟୁ ବିଷୟରେ ଜଣାପଡ଼ିଲା ନାହିଁ । ଏଠାରେ ଜନ୍ମ ହାର ବିଶ୍ୱରେ ସବୁଠୁ କମ୍‌ ଏବଂ ହାରାହାରି ଅଧା ଜନସଂଖ୍ୟା ୫୦ ବର୍ଷ କିମ୍ବା ତା’ଠୁ ଅଧିକ ବୟସର ।

ତେବେ କମ୍ପାନିର ପ୍ରମୁଖ କିମ୍‌ ଜି-ହି କହିଛନ୍ତି, କଣ୍ଢେଇ ପ୍ରସ୍ତୁତ କରିବା ପୂର୍ବରୁ ସେ ଅନେକ ବର୍ଷ ଧରି ବୟସ୍କ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ଜାଣିପାରିଲେ ଯେ ସବୁଠୁ ବଡ଼ ଦୁଃଖ ହେଉଛି ଖୁସି କିମ୍ବା ଦୁଃଖ ବାଣ୍ଟିବାକୁ ସେମାନଙ୍କ ପାଖରେ କେହି ନାହିଁ । ଏହି କାରଣରୁ ହାୟୋଡୋଲକୁ କମ୍ପାନି ଏକ କୁନି ସାଥୀ ରୂପେ ଡିଜାଇନ୍‌ କରିଥିଲା।

ମଖମଲି କପଡ଼ାରେ ତିଆରି ଏହି କଣ୍ଢେଇ ମୁଣ୍ଡରେ ହାତ ବୁଲାଇବା, ହାତ ଧରିବା ସହିତ ସାଙ୍ଗରେ ଜଳଖିଆ କରିବା କଥା କହିଥାଏ। ଏପରିକି ଔଷଧ ଖାଇବା କଥା ମଧ୍ୟ ମାନେ ପକାଇଦିଏ।

 

Leave A Reply

Your email address will not be published.