ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ। ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ବିମାନଟି ହଠାତ୍ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ମଝି ଆକାଶରେ ହଠାତ୍ ତଳକୁ ଖସିଥିଲା। ଫଳରେ ବିମାନରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ। ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଯାଇ ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲକୁ ପଠାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବିମାନଟି ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବରେ ଓହ୍ଲାଇଥିଲେ। ଏୟାର ଇଣ୍ଡିଆ କହିଛି ଯେ ଅଗଷ୍ଟ ୪ ତାରିଖରେ, ଫୁକେଟ୍ ରୁ ଦିଲ୍ଲୀ ଯାଉଥିବା ବିମାନ AI2379 ଉଡ଼ାଣ ସମୟରେ ଅସ୍ଥିରତାର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ବିମାନର ଉଚ୍ଚତାରେ ହଠାତ୍ ପରିବର୍ତ୍ତନ ଆସିଥିଲା। ବିମାନଟି ମଝିଆକାଶରୁ ହଠାତ୍ ତଳକୁ ଖସିବାକୁ ଲାଗିଲା। ସେହି ସମୟରେ ବିମାନରେ ଥିବା ଯାତ୍ରୀଙ୍କ ମୁଣ୍ଡ ବିମାନ ଛାତରେ ବାଜିଥିଲା। କିନ୍ତୁ ବିମାନଟି ନିରାପଦରେ ଦିଲ୍ଲୀରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି।
ବିମାନରେ ଥିବା ଜଣେ ଯାତ୍ରୀ କହିଛନ୍ତି ଯେ, ବିମାନଟି ହଠାତ୍ ଅତି ଦ୍ରୁତ ଗତିରେ ତଳକୁ ଖସି ଆସିଥିଲା, ଯାହାଫଳରେ ଅନେକ ଯାତ୍ରୀ ଆହତ ହୋଇଥିଲେ। ସୌଭାଗ୍ୟବଶତଃ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଅନେକଙ୍କ ଆଘାତ ଲାଗିଛି। ଏହି ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ବିମାନଟି ଉଡ଼ାଣ ସମୟରେ ହଠାତ୍ ବହୁତ ତଳକୁ ଖସି ଆସିଥିଲା। ଏହାଫଳରେ ଅନେକ ଯାତ୍ରୀଙ୍କ ମୁଣ୍ଡ ସିଧା ବିମାନର ଛାତରେ ବାଜିଥିଲା। କେତେକଙ୍କ ମୁଣ୍ଡ ଫୁଲି ଯାଇଥିବା ବେଳେ ବିମାନଟି ସମ୍ପୂର୍ଣ୍ଣ ଯାତ୍ରୀରେ ପୂର୍ଣ୍ଣ ଥିଲା।
ଏୟାରଲାଇନ୍ସ ଆହୁରି କହିଛି, “ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନବନ୍ଦରର ଏକ ମେଡିକାଲକୁ ନିଆଯାଇଥିଲା। ଯାତ୍ରୀ, କ୍ରୁ ସଦସ୍ୟଙ୍କ ସୁରକ୍ଷା ଏବଂ ସୁସ୍ଥତା ଏୟାର ଇଣ୍ଡିଆର ସର୍ବୋଚ୍ଚ ପ୍ରାଥମିକତା। ଆମେ ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛୁ ଏବଂ ତଦନ୍ତରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରୁଛୁ।”