Latest Odisha News

ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ୬୦୦ଗୁଣା ବଢିଲା ବିମାନ ଭଡ଼ା

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳା ପାଇଁ ବିମାନ ଭଡ଼ା ପ୍ରାୟ ୬୦୦ ପ୍ରତିଶତ ବୃଦ୍ଧି ପାଇଛି।

ଜାନୁଆରୀ ୨୯ରେ ହେବାକୁ ଥିବା ମୌନୀ ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ ହେବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ କୋଟି କୋଟି ଶ୍ରଦ୍ଧାଳୁ କୁମ୍ଭରେ ବୁଡ଼ ପକାଇ ସାରିଛନ୍ତି। ଏହାରି ମଧ୍ୟରେ ବିମାନ ଭଡ଼ା ବୃଦ୍ଧି ଯୋଗୁଁ ବିମାନ ନିୟାମକ ଡିଜିସିଏ ହସ୍ତକ୍ଷେପ କରିଛି।

ଟ୍ରାଭେଲ୍ ପୋର୍ଟାଲ୍ ସ୍କାଏସ୍କାନର ଅନୁଯାୟୀ, ଦିଲ୍ଲୀ-ପ୍ରୟାଗରାଜ ବିମାନ ପାଇଁ ଫ୍ଲାଇଟ ଟିକେଟ୍ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସୋମବାର ସକାଳ ୧୧ଟା ସୁଦ୍ଧା ଟିକେଟର ମୂଲ୍ୟ ୨୧,୦୦୦ ଟଙ୍କାରୁ ଅଧିକ ଥିଲା। ମୁମ୍ବାଇରୁ ପ୍ରୟାଗରାଜକୁ ଟିକେଟ୍ ମୂଲ୍ୟ ୨୨,୦୦୦ ରୁ ୬୦,୦୦୦ ଟଙ୍କା ମଧ୍ୟରେ ରହିଛି। ସେହିପରି ବେଙ୍ଗାଲୁରୁରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ଡାଇରେକ୍ଟ ଟିକେଟ ପାଇଁ ୨୬,୦୦୦ ରୁ ୪୮,୦୦୦ ଟଙ୍କା ଯାଏଁ ଖର୍ଚ୍ଚ କରିବାକୁ ପଡିବ।

ମହାକୁମ୍ଭକୁ ଦୃଷ୍ଟିରେ ରଖି ପ୍ରୟାଗରାଜକୁ ବିମାନ ଭଡ଼ା ଯୁକ୍ତିସଙ୍ଗତ ରଖିବାକୁ ଡିଜିସିଏ ଏୟାରଲାଇନ୍ସ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ମହାକୁମ୍ଭ ପାଇଁ ଡିଜିସିଏ ଜାନୁଆରୀରେ ୮୧ଟି ଅତିରିକ୍ତ ବିମାନକୁ ଅନୁମୋଦନ କରିଥିଲା। ଫଳରେ ଦେଶ ସାରା ପ୍ରୟାଗରାଜକୁ ବିମାନ ସଂଯୋଗ ୧୩୨କୁ ବୃଦ୍ଧି ପାଇବ। ବିମାନ କମ୍ପାନୀଗୁଡ଼ିକ ସବୁବେଳେ ଟିକେଟ୍ ମୂଲ୍ୟ ବୃଦ୍ଧି ପାଇଁ ଯୋଗାଣ ଏବଂ ଚାହିଦାକୁ ଦାୟୀ କରିଆସିଛନ୍ତି। ତଥାପି ଏଭଳି ଲାଭଖୋର ମନୋଭାବକୁ ନେଇ ଟ୍ରୋଲ କରାଯାଉଛି।

 

Comments are closed.