ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଚିଫ୍ ସିଲେକ୍ଟର (ମୁଖ୍ୟ ଚୟନକର୍ତ୍ତା) ଅଜିତ ଅଗରକର ନିଜ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗରକର ବିସିସିଆଇକୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ଅକ୍ଟୋବର ୪ରେ ତାଙ୍କର ଚଳିତ କାର୍ୟ୍ୟକାଳ ଶେଷ ହେବା ପରେ ସେ ଏହି ପଦବୀରେ ଆଉ ଆଗକୁ ରହିବାକୁ ଚାହୁଁନାହାନ୍ତି । ଅଗରକର ଜୁଲାଇ ୨୦୨୩ରେ ଚିଫ୍ ସିଲେକ୍ଟର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେ ୨୦୨୭ ଦିନିକିଆ ବିଶ୍ବକପ୍ ପର୍ୟ୍ୟନ୍ତ ନିଜ କାର୍ୟ୍ୟକାଳ ବୃଦ୍ଧି ପାଇଁ ଆଶା ରଖିଥିଲେ ସୁଦ୍ଧା ସାମ୍ପ୍ରତିକ ଘଟଣାବଳୀ ଯୋଗୁଁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଲର୍ଡସ ଦିନିକିଆ ମ୍ୟାଚ୍ ପୂର୍ବରୁ ଅଗରକରଙ୍କ ନେତୃତ୍ବାଧୀନ ସିଲେକ୍ସନ୍ କମିଟି ଓ ବିସିସିଆଇ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା ।
ସିଲେକ୍ଟରମାନେ ରୋହିତଙ୍କ ଭବିଷ୍ୟତ ଯୋଜନାକୁ ନେଇ କିଛି ସଂଶୟ ପ୍ରକାଶ କରିଥିବା ବେଳେ ରୋହିତ ଶତକ ହାସଲ କରି ନିଜକୁ ପ୍ରମାଣିତ କରିଥିଲେ, ଯାହା ପରେ ବିସିସିଆଇକୁ ମଧ୍ୟସ୍ଥତା କରିବାକୁ ପଡ଼ିଥିଲା । ଅଗରକର ପଦ ଛାଡ଼ିଲେ ତୁରନ୍ତ ନୂଆ ଚୟନକର୍ତ୍ତା ନିଯୁକ୍ତି ପାଇଁ ବିଜ୍ଞାପନ ଓ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ହେବ । ଭାରତର ପୂର୍ବତନ ୱିକେଟକିପର-ବ୍ୟାଟର ପାର୍ଥିବ ପଟେଲ ଏବଂ ପ୍ରଜ୍ଞାନ ଓଝା ଏହି ମୁଖ୍ୟ ପଦବୀ ପାଇଁ ପ୍ରମୁଖ ଦାବିଦାର ଭାବେ ଆଗରେ ଅଛନ୍ତି । ନିକଟରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ସଭାରେ ବୋର୍ଡ କର୍ମକର୍ତ୍ତାଙ୍କୁ ନୂଆ ସିଲେକ୍ଟର ଚୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି । ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ କହିଛନ୍ତି ଯେ କାର୍ୟ୍ୟକାଳ ଶେଷ ହେବାକୁ ଆଉ ୧୫ ଦିନ ବାକି ଅଛି ଏବଂ ଉପଯୁକ୍ତ ସମୟରେ ବୋର୍ଡ ନିଜର ନିଷ୍ପତ୍ତି ଜଣାଇବ ।

