Latest Odisha News

BREAKING NEWS

ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ୨୨ ସେପ୍ଟେମ୍ବର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ ତାରିଖରୁ ବିଶେଷକରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

ଆଇଏମଡିର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏହି ସମ୍ଭାବ୍ୟ ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ପରବର୍ତ୍ତୀ ୩-୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ। ସେପ୍ଟେମ୍ବର ୨୩ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ନିକଟତର ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ କ୍ଷେତ୍ରଟି ସମ୍ପୂର୍ଣ୍ଣ ରୂପ ନେବା ପରେ ହିଁ ଏହାର ତୀବ୍ରତା ଏବଂ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନଠାରୁ ବାତ୍ୟାକୁ ନେଇ କୌଣସି ପ୍ରକାର ଆତଙ୍କିତ ବା ଭୟଭୀତ ନହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ସେପ୍ଟେମ୍ବର ୨୨ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଦେବ। ସେହିଦିନ ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା (୭-୧୧ ସେମି) ହେବାର ସମ୍ଭାବନା ଥିବାରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ସେହିପରି ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ୧୨ଟି ଜିଲ୍ଲାକୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଦିଆଯାଇଛି

ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ବର୍ଷାର ପ୍ରକୋପ ଆହୁରି ବଢ଼ିବ। ଏହି ଦୁଇ ଦିନ ପାଇଁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାକୁ ଅତି ପ୍ରବଳ ବର୍ଷା (୧୨-୨୦ ସେମି) ପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହାବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ସମେତ ଆଠଟି ଜିଲ୍ଲା ପାଇଁ ପ୍ରବଳ ବର୍ଷାର ୟେଲୋ ୱାର୍ଣ୍ଣିଂ ରହିଛି।

ଲଘୁଚାପ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ ଆଉ ୧୦ଟି ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଲେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ସେପ୍ଟେମ୍ବର ୨୧ ତାରିଖରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.