Latest Odisha News

BREAKING NEWS

ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ରଥ ନିର୍ମାଣ; ଚାପ ଖେଳିଲେ ଠାକୁର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ଆଜି ପବିତ୍ର ଅକ୍ଷୟ ତୃତୀୟ ହେଉଛି ପ୍ରଥମ ପର୍ବ । ପାରମ୍ପରିକ ଭାବେ ଆଜି ଦିନରେ ରଥକାଠ ଅନୁକୂଳ ହେଉଥିବା ବେଳେ ରବିବାର ଦିନ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ଅକ୍ଷୟ ତୃତୀୟାର ସମସ୍ତ ନୀତିକାନ୍ତି ପାଳିତ ହୋଇଛି । ସେହିପରି ଭାବେ ଆଜି ଦିନରେ ଶ୍ରୀଜୀଉମାନଙ୍କର ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଶ୍ରୀମନ୍ଦିର ପରିସରରେ ଶ୍ରୀଜୀଉମାନେ ଚନ୍ଦନଯାତ୍ରା ଉପଲକ୍ଷେ ଖେଳିଛନ୍ତି ଚାପ ।

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଚାଲିଥିବା ଲକ୍‌ଡ଼ାଉନ୍ ପରିସ୍ଥିତିରେ ଅବଶ୍ୟ ଏହା ବ୍ୟତିକ୍ରମ । କିନ୍ତୁ ରଥଯାତ୍ରା ଉତ୍ସବ ଲାଗି ଅକ୍ଷୟ ତୃତୀୟାରେ ଯେଉଁ ପାରମ୍ପରିକ ପର୍ବ ଅନୁଷ୍ଠିତ ହୋଇଥାଏ ତାହା ସମ୍ପନ୍ନ ହୋଇଛି ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ପରିସର ମଧ୍ୟରେ ଅକ୍ଷୟ ତୃତୀୟା ବିଧି ସହିତ ଚନ୍ଦନ ଯାତ୍ରା ନୀତି ପାଳିତ ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ରଥକାଠ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ପରିସରସ୍ଥିତ ଆନନ୍ଦବଜାର ପଛପଟରେ ଥିବା ସ୍ନାନ ମଣ୍ଡପ ଓ ଚାହାଁଣୀ ମଣ୍ଡପ ନିକଟ ବାହାରବେଢାରେ ଧରୁଆ କାଠକୁ ଭୋଇ ସେବକମାନେ ଉତ୍ତରଦ୍ୱାର ଦେଇ ଆଣିଥିଲେ ।

ରଥନିର୍ମାଣ ଲାଗି ଥିବା ସମସ୍ତ କାଠ ଗୁଡ଼ିକୁ ସ୍ତ୍ରୋତୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରିବା ପରେ ସେଠାକୁ ଆଜ୍ଞାମାଳ ଆସିଥିଲା । ପୂର୍ବରୁ ସେଠାରେ ଦେଉଳକରଣ ଓ ମହାରଣା ସେବକ ଉପସ୍ଥିତ ରହିଥିଲେ । ପୂର୍ବରୁ ସେଠାରେ ବନଯୋଗ ବିଧିରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ମହାରଣା ସେବକ ସୁନା କୁରାଢିରେ ରଥକାଠ ଛେଦନ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ପାରମ୍ପରିକ ଭାବେ ଆରମ୍ଭ ହୋଇଛି ।

ସେହିପରି ଭାବେ ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ମୁକ୍ତିମଣ୍ଡପ ନିକଟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଥାନକୁ ସଜ୍ଜିତ ପାଲିଙ୍କିରେ ଚଳନ୍ତିପ୍ରତିମା ମଦନମୋହନ ଏବଂ ରାମକୃଷ୍ଣ ଆସିଥିଲେ । ଏଠାରେ ଚାପ ଖେଳଲାଗି ବିରାଟ ଅସ୍ଥାୟୀ କୁଣ୍ଡ ସ୍ଥାପନ କରାଯାଇଥିଲା । ଠାକୁରମାନଙ୍କୁ ଏହି ଅସ୍ଥାୟୀ କୁଣ୍ଡରେ ସେବାୟତମାନେ ଚାପ ଖେଳାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଯୋଗୁଁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ପର୍ବ ଶ୍ରୀମନ୍ଦିର ପରିସରରେ କରିବାକୁ ପରାମର୍ଶ ଦେଇଥିଲେ । ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ସମସ୍ତ ନୀତିକାନ୍ତି କରାଯିବାକୁ ଗତକାଲିଠାରୁ ବୈଠକ ହେବା ସହିତ ପ୍ରସ୍ତୁତି ପର୍ବ ଚାଲିଥିଲା ।

ସୂଚନାଯୋଗ୍ୟ, ପବିତ୍ର ଅକ୍ଷୟ ତୃତୀୟା ତିଥିରେ ତିନି ରଥକାଠ ବଡ଼ଦାଣ୍ଡରେ ଅନୁକୂଳ ହେବାପରେ ରଥ ନିର୍ମାଣ କରିଥାଆନ୍ତି ମହାରଣା ସେବକମାନେ । ସରକାରଙ୍କ ଲକ୍‌ଡ଼ାଉନ୍ ନିୟମକୁ ପାଳନ କରାଯାଇ ଶ୍ରୀମନ୍ଦିର ପରିସରରେ ଏହି ପାରମ୍ପରିକ ବିଧି ଅନୁଷ୍ଠିତ ହୋଇଯାଇଛି । ସେହିପରି ଭାବେ ଏହି ତିଥିରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ । ଠାକୁର ମାନେ ଦୁଇଟି ବିରାଟ ଡଙ୍ଗା ସାହାଯ୍ୟରେ ଚାପ ଖେଳିଥାଆନ୍ତି । ମାତ୍ର ଚଳିତ ବର୍ଷ ଶ୍ରୀମନ୍ଦିର ପରିସର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଏହି ପର୍ବ ପାଳିତ ହୋଇଛି ।

Leave A Reply

Your email address will not be published.