Latest Odisha News

BREAKING NEWS

ଓଡିଶାରେ ବୁଦ୍ଧିଜୀବୀ ସଂସ୍କୃତିରେ ଅବନତି ଘଟିଛିି, ଯାହା ଆମ ସିନେମାରେ ପ୍ରତିଫଳିତ ହୋଇଛି : ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର, ଲେଖକ ଓ ସଂଳାପକାର ବିଜୟ ମିଶ୍ର ରବିବାର ଭୁବନେଶ୍ୱରରେ ଇହଲୀଳା ସମ୍ବରଣ କରିଛନ୍ତି । ଓଡିଆ ସାହିତ୍ୟ ଓ ମନୋରଞ୍ଜନ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଓଡିଶା ସମ୍ବାଦକୁ ସେ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ କଣ କହିଥିଲେ ଆସନ୍ତୁ ଜାଣିବା ।

ଓଡିଆ ସିନେ ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ଜୟଦେବ ସମ୍ମାନ ମିଳିଥିଲା ବି ସେ ଓଡିଆ ସିନେମା ଜଗତଠାରୁ ଦୂରେଇ ଯାଇଥିଲେ ଲେଖକ, ନାଟ୍ୟକାର ଓ ସଂଳାପକାର ବିଜୟ ମିଶ୍ର ।

ନାଟ୍ୟ ଜଗତ ପାଇଁ କାମ କରୁଥିବା ବେଳେ ଓଡିଆ ସିନେମା ଜଗତରୁ ଦୂରେଇ ଯିବା ନେଇ ଅନେକ କାରଣ ରହିଥିଲା ।

ତାଙ୍କ କହିବାନୁଯାୟୀ, ସୃଜନଶୀଳତାର ଅଭାବ, ମୌଳିକ କାହାଣୀ ପ୍ରତି ଅନାଗ୍ରହ ଓ ପ୍ରଯୋଜକମାନଙ୍କ ଲାଭଖୋର ମନୋବୃତ୍ତି କାରଣରୁ ସେ ଏହି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥଲେ ।

ଅନେକ ରାଜ୍ୟ ଓ ଜାତୀୟ ସ୍ତରର ପୁରସ୍କାର ପାଇଥିଲେ ସୁଦ୍ଧା ସେ ଓଲିଉଡଠାରୁ ଦୂରରେ । କିଛି ଦିନ ତଳେ ଆମ ପ୍ରତିନିଧି ଅକ୍ଷୟ ମିଶ୍ରଙ୍କ ଦ୍ୱାରା ନିଆଯାଇଥିବା ସାକ୍ଷାତକାର ।

ପ୍ରଶ୍ନ – ଆମ ଦେଶରେ ଅନ୍ୟ ଅଂଚଳରେ ଆଞ୍ଚଳିକ ଫିଲ୍ମଗୁଡିକ ନୂଆ ବିଷୟବସ୍ତୁ ନେଇ ପରୀକ୍ଷା କରୁଛନ୍ତି । ସେମାନେ ସେକ୍ସ କିମ୍ବା ଜଟିଳ ସମ୍ପର୍କ ନେଇ କାହାଣୀ ଲେଖିବାକୁ ଓ ସିନେମା କରିବାକୁ ଡରୁ ନାହାନ୍ତି । ଓଡିଆ ଚଳଚ୍ଚିତ୍ରଗୁଡିକ ଏଭଳି ନୂଆ ପରୀକ୍ଷା ନିରୀକ୍ଷା କରିବା ସ୍ଥିତିରୁ ଦୂରେଇ ରହୁଛନ୍ତି ବୋଲି ଆପଣ ଭାବୁଛନ୍ତି କି? ଯଦି ହଁ, ତା ହେଲେ ଏପରି କାହିଁକି ?

ବିଜୟ ମିଶ୍ର – ଏହା ସତ ଯେ ଓଡିଆ ଫିଲ୍ମରେ ସେପରି କିଛି ନୂଆ ପରୀକ୍ଷା କରାଯାଉନାହିଁ ।

ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ନିଜର ମୌଳିକ କାହାଣୀକୁ ଗୁରୁତ୍ୱ ନଦେଇ ଅନ୍ୟ ଭାଷାଭାଷୀ ଫିଲ୍ମ ଆଣି ଓଡିଆରେ ରୁପାନ୍ତର କରୁଛନ୍ତି ।

ଅନ୍ୟ ଭାଷାରେ ମଧ୍ୟ ଭଲ ଚଳଚ୍ଚିତ୍ର ରହିଛି । କିନ୍ତୁ ଆମ ଲୋକମାନେ ଶସ୍ତା ଚଳଚ୍ଚିତ୍ର ଆଣି ତାକୁ କପି ପେଷ୍ଟ ଫର୍ମାଟରେ ଚଳଚ୍ଚିତ୍ର କରୁଛନ୍ତି । ଏହି କାରଣରୁ ଆମ ରାଜ୍ୟରେ ବର୍ଷକୁ ୩୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ ହେଉଛି କିନ୍ତୁ ଏହାର କ୍ୱାଲିଟି ମେଣ୍ଟେନ୍ ହେଉନି ।

ପ୍ରଶ୍ନ- ଓଡିଶାରେ ଫିଲ୍ମ ନିର୍ମାତାମାନେ ବଜେଟ୍ କମ୍ ଯୋଗୁଁ ଭଲ ଫିଲ୍ମ କରି ହେଉନି ବୋଲି କହିଥାନ୍ତି । ଏହି ସମୟରେ ବଙ୍ଗଳା, କେରଳ ଓ ତାମିଲନାଡୁରେ ଅଳ୍ପ ଖର୍ଚ୍ଚରେ ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ ଫିଲ୍ନ ବେଶ୍ ବ୍ୟବସାୟ କରୁଛି । ଏଥିରୁ ଜଣାପଡୁଛି ଯେ ଉତ୍ତମ ଯୋଜନା କଲେ ଆପଣ ଦର୍ଶକଙ୍କୁ ପାଇପରିବେ । ଆମ ପାଖରେ କଣ ଭଲ କାହାଣୀ ନାହିଁ ନା ଆଉ କଣ ଅସୁବିଧା ରହିଛି କୁହନ୍ତୁ?

ବିଜୟ ମିଶ୍ର – ହଁ, ଭଲ ଆଇଡିଆ ଥିବା କାହାଣୀକାରଙ୍କ ଅଭାବ ରହିଛି । ଅଧିକାଂଶ ପ୍ରଯୋଜକ ଟଙ୍କା ଖର୍ଚ୍ଚ କରିବ ପରେ ଅପେକ୍ଷା କରି ରହୁଛନ୍ତି କିପରି ଜଲଦି ଲାଭ ପାଇପାରିବେ । ଏହା ଫିଲ୍ମ ତିଆରି କରିବା ପଛର ଇଚ୍ଛାକୁ କମାଇ ଦେଇଥାଏ । ଏହା ହେଉଛି କାରଣ ଯେଉଁଥିପାଇଁ ଭଲ କାହାଣୀଟିଏ ଲେଖାଯାଇପାରି ନ ଥାଏ ।

ବେଳେ ବେଳେ ପ୍ର ଯୋଜକ ୧୫ ଦିନ ଭିତରେ କାହାଣୀ ଲେଖିବା ପାଇଁ ଚାପ ପକାନ୍ତି । ଯାହା ଆମକୁ ସୁଯୋଗ ଦିଏନି କିଛି ଗବେଷଣା କରିବା ପାଇଁ । କମ ବଜେଟରେ ମଧ୍ୟ ଭଲ କାହାଣୀଟିଏ ଲେଖି ହେବ କିନ୍ତୁ ସେଥି ପାଇଁ ସମୟ ଦରକାର ।

ପ୍ରଶ୍ନ- ଆପଣଙ୍କ ମତରେ କେଉଁ କାରଣ ପାଇଁ ଇଣ୍ଡଷ୍ଟ୍ରିରେ ମାନ ବା ଷ୍ଟାଣ୍ଡାର୍ଡ କମି କମି ଯାଉଛି ।

ବିଜୟ ମିଶ୍ର- ଓଡିଆ ସିନେମାରେ କ୍ୱାଲିଟି କମ ହେବାରେ ବହୁତଗୁଡିଏ କାରଣ ରହିଛି । ୬୦ ଦଶକରେ ଯେଉଁ ସୃଜନଶୀଳତା ଥିଲା ତା ଆଉ ନାହିଁ । ଏବେ ପ୍ରଯୋଜକମାନେ ଏହାକୁ ବ୍ୟବସାୟ ବୋଲି ଭାବିଲେଣି । ଭଲ କାହାଣୀଟିଏ ପ୍ରସ୍ତୁତ କରିବା ପାଇଁ ସାଧାରଣ ଜ୍ଞାନର ଅଭାବ ଓ ପ୍ରୋତ୍ସାହନର ଅଭାବ ଦେଖାଦେଉଛି ।

ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମଧ୍ୟରେ କୌଣସି ଏକ ବିଷୟ ସମ୍ପର୍କରେ ସେପରି ଆଲୋଚନା ହେଉନାହିଁ । ଅଳ୍ପ ସମୟ ମଧ୍ୟରେ ଏକ ପ୍ରସ୍ତୁତ କାହାଣୀ ବଡ କଷ୍ଟ ଦାୟକ । ପ୍ରଯୋଜକମାନେ ଅନ୍ୟ ଭାଷାରେ ଥିବା ଭଲ ଭଲ ଚଳଚ୍ଚିତ୍ରକୁ ଦେଖୁନାହାନ୍ତି । ବିଶ୍ୱସ୍ତରରେ ପ୍ରସ୍ତୁତ ଉଚ୍ଚକୋଟୀର ସିନେମା ସେମାନେ ଦେଖିଲେ ତାଙ୍କର ଚିନ୍ତାଧାରା ଓ ଦୃଶ୍ୟପଟରେ ପରିବର୍ତ୍ତନ ଆସନ୍ତା । ଏସବୁ ଯୋଗୁଁ ଭଲ କାହାଣୀଟିଏ ଜନ୍ମ ନେଇପାରୁନାହିଁ ।

ପ୍ରଶ୍ନ- ପାଠପଢୁଆ ଓଡିଆମାନେ ଓଡିଆ ସିନେମା ଦେଖୁନାହାନ୍ତି । ସେମାନଙ୍କୁ ଆପଣ ଦାୟୀ କରିବେ କି? ପୁଣି ଥିଏଟରକୁ ସେମାନଙ୍କୁ ଫେରାଇ ଆଣିବା ପାଇଁ କଣ କରିବାର ଆବଶ୍ୟକତା ରହିଛି ।

ବିଜୟ ମିଶ୍ର- ଯେତେବେଳେ ଆମେ ଭଲ ସିନେମା ପ୍ରସ୍ତୁତ କରିପାରୁନେ ସେ ସମୟରେ ଥିଏଟରକୁ ଆସୁ ନ ଥିବା ଶିକ୍ଷିତ ଦର୍ଶକଙ୍କୁ ଆମେ କାହିଁକି ଦୋଷ ଦେବା । ସେମାନେ ଟିଭି ଓ ଇଣ୍ଟରନେଟରେ ଭଲ ସିନେମାଟିଏ ଦେଖି ପାରୁଛନ୍ତି । ଆମ ସିନେମା ତାଙ୍କୁ ଏକ ନୂଆ ଅନୁଭୂତି ଦେବାର ଆବଶ୍ୟକତା ରହିଛି ।

କେରଳ, ମହାରାଷ୍ଟ୍ର, ବେଙ୍ଗଲ ଓ ତାମିଲନାଡୁରେ କମ୍ ବଜେଟର ଫିଲ୍ମ ବି ବହୁ ସଂଖ୍ୟକ ଦର୍ଶକଙ୍କୁ ଆକୃଷ୍ଟ କରିପାରେ କାରଣ ସେଥିରେ ସେମାନଙ୍କ ପାଇଁ କିଛିଟା ନୂତନତ୍ୱ ଥାଏ । ଆମେ ତାଙ୍କଠୁ ଭଲ ଫିଲ୍ମ କପି ନ କରି ଖରାପ ଫିଲ୍ମ କପି କରି ସିନେମା କରୁଛେ । ଏହି କାରଣରୁ ମୁଁ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛି ।

ପ୍ରଶ୍ନ- ଆମ ସିନେମାର ନିମ୍ନଗତି ପାଇଁ ସମାଜରେ ଏବେ ଆଗକୁ ବଢୁନଥିବା ବୁଦ୍ଧିମତା ସ୍ତର ତଥା ବୁଦ୍ଧିଜୀବୀମାନଙ୍କ ଅଭାବକୁ ଦାୟୀ କରିବେ କି?

ବିଜୟ ମିଶ୍ର- ମୁଁ ଅନୁଭବ କରେ ଯେ ଆମ ପାଖରେ ବୁଦ୍ଧିଜୀବୀ ସଂସ୍କୃତିର ଅଭାବ ହିଁ ଆମକୁ ତଳକୁ ତଳକୁ ନେଇଯାଉଛି ।

ପଢିବା ବଢିଲେ ଚିନ୍ତାଧାରାର ପରିସର ବୃଦ୍ଧି ପାଇବ । ନୂଆ ଆଇଡିଆ ଆସିବ । ଆମ ଇଣ୍ଡଷ୍ଟ୍ରିର ଅନେକ ସେକ୍ସପିଅରଙ୍କ ନାଁ ମଧ୍ୟ ଜାଣିନଥିବେ । ଏହି ସମୟରେ ଋଷିଆ, ଫ୍ରାନ୍ସ, ଜର୍ମାନୀର ନାଟକ ସମ୍ପର୍କରେ ନ କହିବା ଭଲ ।

ପ୍ରଶ୍ନ – ଭଲ ସିନେମା ତିଆରି ଦିଗରେ ସରକାର ଆଗେଇ ଆସିବାର ଆବଶ୍ୟକତା ରହିଛି କି ?

ବିଜୟ ମିଶ୍ର- ସରକାର କେବଳ ଆର୍ଥକ ସହଯୋଗ ଦେଇ ପାରିବେ କିନ୍ତୁ ଅନ୍ୟ ଦିଗ ସମ୍ପର୍କରେ କଣ କରିବା । ଏହା କ୍ୱାଲିଟି ବା ଗୁଣାତ୍ମକ ମାନ ତ ବଢାଇ ପାରିବନି । ଭଲ ସିନେମା ପାଇଁ ସୃଜନଶୀଳତା ଦରକାର ।

ଏବେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ସ୍ୱୀକୃତି ପାଇବା ପାଇଁ ଟାଲେଣ୍ଟ ଥିବା ଲୋକଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଛି । ଥିଏଟର ଓ ସିନେମା ହଲ୍‌କୁ ବଞ୍ଚାଇବାକୁ ସରକାରଙ୍କ ଉଦ୍ୟମ କିଛିଟା ସାହାଯ୍ୟ କରିଛିି । କିନ୍ତୁ ଏହା ଆମ ସିନେମା କ୍ଷେତ୍ରରେ ହୋଇପାରିନାହିଁ ।

Leave A Reply

Your email address will not be published.