Latest Odisha News

BREAKING NEWS

୫-ଟିରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ବିଜେଡି ଠାରୁ ଆଦାୟ କରାଯାଉ: କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଅଧ୍ୟକ୍ଷତା କରିଥିଲେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ । ଏହି ସଭାରେ ସେ ବିଜୁ ଜନତାଦଳ ଉପରେ ବର୍ଷିବା ସହିତ ୫-ଟିର ପ୍ରଚାର ପ୍ରସାରରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାରର ସବୁଠୁ ବଡ ଟ୍ରମ୍ପକାର୍ଡ ଥିଲା ୫-ଟି । ସେହି ୫-ଟିକୁ ନିର୍ବାଚନ କମିଶନର ଅସିଦ୍ଧ ଘୋଷଣା କରି ସମସ୍ତ ସରକାରୀ ୱେବସାଇଟ୍‌ରୁ ହଟାଇବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ବୋଲି ନିଜକୁ କହୁଥିବା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ବିଦା କରିସାରିଛନ୍ତି । ଯେଉଁ ୫-ଟି ର ପ୍ରଚାର ପ୍ରସାରରେ ବିଜେଡି ତାର ସମସ୍ତ ବଳ ଲଗାଇ ଦେଇଥିଲା ସେହି ୫-ଟି ଆଜି ‘ମିସିଙ୍ଗ୍‌’ ହୋଇଯାଇଛି ।

ଏବେ ଯେତେବେଳେ ନିର୍ବାଚନ କମିଶନର ୫-ଟିକୁ ଅବୈଦ୍ଧ କହୁଛନ୍ତି ଏହା ପ୍ରମାଣିତ କରୁଛି ଯେ, ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ଥିଲା । ଯେହେତୁ ୫-ଟି କେବଳ ବିଜୁ ଜନତା ଦଳର ଏକ ରାଜନୈତିକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଥିଲା ସେ ଦୃଷ୍ଟିରୁ ୫-ଟି ପ୍ରଚାର ପ୍ରସାରରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା ୫ ଶହ କୋଟି ଟଙ୍କାକୁ ବିଜୁ ଜନତା ଦଳ ଠାରୁ ଭରଣା କରାଯାଉ ବୋଲି ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ ଆହୁରି କହିଛନ୍ତି ଯେ, ୫-ଟିର ଆଳ ଦେଖାଇ ସ୍କୁଲ କାନ୍ଥରେ ରଙ୍ଗମାରି ୫ ହଜାର କୋଟି, ଆମ ଓଡିଶା ନବୀନ ଓଡ଼ିଶାରେ ୪ ହଜାର କୋଟି, ଲକ୍ଷ୍ମୀବସ୍ ଯୋଜନାରେ ୩ ହଜାର କୋଟି, ମାଣ୍ଡିଆ ମିଶନରେ ୨୨ ଶହ କୋଟି ଭଳି ଏଭଳି ଅନେକ ଦୁର୍ନୀତିରେ ପାଖାପାଖି ୪୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଛି । ଖଣି, ଚିଟ୍‌ଫଣ୍ଡ ଦୁର୍ନୀତି ପରେ ୫-ଟି ହେଉଛି ଆଉ ଏକ ବଡ ଦୁର୍ନୀତି ।

ଓଡିଶାବାସୀ ଏବେ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀ କାହିଁକି ୫-ଟି ଦୁର୍ନୀତି ଉପରେ ମୁହଁ ଖୋଲୁନାହାନ୍ତି? ୫-ଟି ଆଳରେ ମୁଖ୍ୟମନ୍ତ୍ରୀ ସରପଞ୍ଚ ରୁ ସାଂସଦ ପର୍ଯ୍ୟନ୍ତ ସମସ୍ତ ଜନପ୍ରତିନିଧିମାନଙ୍କର କ୍ଷମତାକୁ ହଡପ କରି କିଛି ଅଣଓଡ଼ିଆ ଅଧିକାରୀଙ୍କ ହାତରେ ଦେଇଥିଲେ । ମୁଖ୍ୟମନ୍ତ୍ରୀ ୫-ଟି ଭଳି ଏକ ଅଗଣତାନ୍ତ୍ରିକ ଓ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଆରମ୍ଭ କରିଥିବାରୁ ରାଜ୍ୟବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନେ ବିଜୁ ଜନତା ଦଳ ସ୍ୱାର୍ଥରେ କାମ କରିବାରୁ ବିରତ ହେଉନାହାନ୍ତି । ନିର୍ବାଚନ କମିଶନ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଦା କରିସାରିଛନ୍ତି କିନ୍ତୁ ଆଜି ବି ସେଠାରେ ଗୋପବନ୍ଧୁ ଦାସ ନାମକ ଜଣେ ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି ଯେ, ବିଜେଡି ପାଇଁ ଗୋପାଳପୁରରେ ପ୍ରଚାର କରୁଥିଲେ । ରାଜନୀତିରେ ସିଧାସଳଖ ଯୋଗ ଦେଇସାରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେ ହେଉଛନ୍ତି ଦ୍ୱିତୀୟ ପ୍ରଶାସନିକ ଅଧିକାରୀ । ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେବେ ବିଦା ହେବେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତ୍‌କାଳୀନ ପ୍ରଶାସନିକ ଅଧିକାରୀମାନେ କାମ କରିବା ପ୍ରମାଣିତ ହେବା କାରଣରୁ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ମାନ୍ୟବର ଅଦାଲତ ଅସିଦ୍ଧ ଘୋଷଣା କରିଥିଲେ । ଯେଉଁଥିପାଇଁ ପରବର୍ତ୍ତି ସମୟରେ ଦେଶରେ ଗଣତନ୍ତ୍ରର କଳା ଦିନ ଭାବରେ ପରିଚିତ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିଲା । ଏବେ ଓଡ଼ିଶାରେ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୁଲମଖୋଲାଭାବେ ବିଜୁ ଜନତା ଦଳ ପାଇଁ କାମ କରୁଛି । ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଯେଉଁ କାରଣ ପାଇଁ ଅସିଦ୍ଧ ହୋଇଥିଲା ସେହି ସମାନ କାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଆଗାମୀ ଦିନରେ ଅସିଦ୍ଧ ହୋଇପାରେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.