ଭୁବନେଶ୍ୱର : କରୋନା କଟକଣା ପାଇଁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ କେହି ହେବେନି ଫେଲ୍ । ସମସ୍ତଙ୍କୁ ପାସ୍ କରିବା ପାଇଁ ଆଜି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଲକ୍ ଡାଉନ୍ ପାଇଁ ରାଜ୍ୟରେ ଏହି ସବୁ ଶ୍ରେଣୀର ପରୀକ୍ଷା ଶେଷ ହୋଇପାରି ନ ଥିଲା । ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇ ଯାଇଥିବାରୁ ଆଉ ପରୀକ୍ଷା ହେବା ସମ୍ଭବ ହୋଇ ନ ଥିବାରୁ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ସେପଟେ ନବମ ଶ୍ରେଣୀର ସାମାଜିକ ବିଜ୍ଞାନ ପରୀକ୍ଷା ବାକି ଥିବା ବେଳେ ଆଉ ପରୀକ୍ଷା ନ କରି ଛାତ୍ରଛାତ୍ରୀମାନଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ବାକି ଥିବା ପରୀକ୍ଷା ପାଇଁ ଷାଣ୍ମାସିକ ପରୀକ୍ଷାର ମାର୍କକୁ ମିଶାଯିବ ।
ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଷାଣ୍ମାସିକ ପରୀକ୍ଷାର ମାର୍କ ଆଧାରରେ ଦ୍ଵିତୀୟ ବର୍ଷକୁ ଉତ୍ତୀର୍ଣ୍ଣ କରାଯିବ । ଯେଉଁମାନେ ଷାଣ୍ମାସିକ ପରୀକ୍ଷା କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଦେଇନଥିବେ ସେମାନେ କଲେଜ ଖୋଲିବା ପରେ ଆଉ ଥରେ ପରୀକ୍ଷା ଦେବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
Comments are closed.