Latest Odisha News

BREAKING NEWS

ଅଠରନଳାରୁ ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା, ଖର୍ଚ୍ଚ ହେବ ୨ କୋଟି ୩୫ ଲକ୍ଷ ଟଙ୍କା…

ପୁରୀ: ଆରମ୍ଭ ହୋଇଛି ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ । ସବୁ କୋଠା ଫିକା ଗୋଲାପୀ ରଙ୍ଗର କରାଯିବା ପାଇଁ ରଙ୍ଗ କାମ ଆରମ୍ଭ ହୋଇଛି । ଅଠରନଳାରୁ ବଡ଼ଦାଣ୍ଡ, ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା । ବଡ଼ଦାଣ୍ଡ ସମେତ, ମୁଖ୍ୟ ରାସ୍ତାର ସମସ୍ତ କୋଠାକୁ ସମାନ ରଙ୍ଗରେ ଉପସ୍ଥାପିତ କରାଯିବ । ବଡ଼ଦାଣ୍ଡ କୋଠାଗୁଡ଼ିକ ସହ ମେଡିକାଲ ଛକରୁ ଅଠରନଳା ରାସ୍ତାର କୋଠା ସମୂହ ଗୋଟିଏ ରଙ୍ଗରେ ଶୋଭା ପାଇବ ।

ସରକାର ଏଥିପାଇଁ ପ୍ରାୟ ୨ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏନେଇ ୩ଟି ରଙ୍ଗ ଜିଲ୍ଲା ପ୍ରଶାସନ ଚୟନ କରି ରାଜ୍ୟ ସରକାରଙ୍କୁ ପଠାଇଥିବା ବେଳେ ପୂର୍ବରୁ ଥିବା ଫିକା ଗୋଲାପୀ ରଙ୍ଗକୁ ହିଁ ଚୟନ କରାଯାଇଛି । ସରକାରଙ୍କ ସମ୍ମତିରେ ବଡ଼ଦାଣ୍ଡ ଓ ଅଠରନଳା-ମେଡିକାଲ ଛକ କୋଠାଗୁଡ଼ିକର ରଙ୍ଗ ବଦଳିବ । ଐତିହ୍ୟ ନଗରୀର ପ୍ରବେଶ ଦ୍ଵାର ରୁ ହିଁ ଭକ୍ତ ପାଇବେ ନୂଆ ଅନୁଭୂତି । ଦୁଇ ପାର୍ଶ୍ଵରେ ଗୋଟିଏ ରଙ୍ଗ ହୋଇ ହେରିଟେଜ ଲୁକ ଦେବ ନୂଆ ଆକର୍ଷଣ । ଶତାବ୍ଦୀ ପୁରୁଣା ଐତିହ୍ୟ ସହରର ଗାରିମା, ଭବ୍ୟତା ଓ ସୋନ୍ଦର୍ଯ୍ୟତା ସହ ଐକ୍ୟ ବୋଧ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏକ ନୂଆ ଅନୁଭବ ଆଣିଦେବ ।

ଏହାପୂର୍ବରୁ ୨୦୧୫ ନବକଳେବର ପୂର୍ବରୁ ମଧ୍ୟ କୋଠାଗୁଡ଼ିକୁ ଫିକା ହଳଦିଆ ରଙ୍ଗ କରାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ମଧ୍ୟ ସମସ୍ତ କୋଠାକୁ ଫିକା ଗୋଲାପୀ ରଙ୍ଗ କରାଯାଇଥିବା ବେଳେ ଏହା କେବଳ ବଡ଼ଦାଣ୍ଡ ରେ ସୀମିତ ଥିଲା । ଏବେ ପୁରୀର ପ୍ରବେଶ ପଥରୁ ହିଁ ଭକ୍ତ ଭବ୍ୟ ଓ ଦିବ୍ୟ ଅନୁଭବ ପାଇବେ । ଇତିମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପରେ ୟୁନିଫର୍ମ କଲର କୋଡ୍‌ ଭିତ୍ତିରେ ସମସ୍ତ କୋଠା ରଙ୍ଗ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଏଥିପାଇଁ ସମ୍ପ୍ରତି ବଡ଼ଦାଣ୍ଡରେ ଲାଗିଥିବା ଫିକା ଗୋଲାପି ରଙ୍ଗ ସହ ଆଉ ଦୁଇଟି ରଙ୍ଗ ଚୟନ କରି ସରକାରଙ୍କୁ ପଠାଯାଇଥିଲା । ତେବେ ଦୁଇ ପାର୍ଶ୍ୱ ରାସ୍ତାରେ ଥିବା ସାଇନ ବୋର୍ଡରେ ଅନ୍ୟ ରଙ୍ଗ ବ୍ୟବହୃତ ହୋଇ, ଐତିହ୍ୟ ନଗରୀର ଗାରିମା ହ୍ରାସ ହେଉଥିବା ବେଳେ ଜିଲ୍ଲାପାଳ ଏଭଳି ସାଇନ୍ ବୋର୍ଡ ସବୁକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁନିଭର୍ସାଲ କଲର୍ କୋଡ଼କୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ ।

ପିକେଡିଏ ପକ୍ଷରୁ ପୁରୁଷୋତ୍ତମ ଭକ୍ତ ନିବାସ କୋଠା, ପୁରୁଣା ଜେଲ୍‌ ରୋଡ ବହୁତଳ ପାର୍କିଂ କୋଠା, ମେଡିକାଲ୍‌ ପାଚେରି, କୁମ୍ଭାରପଡ଼ା ଥାନା, ୱାଟକୋ କୋଠା ଆଦି ସୁସଜ୍ଜିତ କରାଯିବାକୁ ଯୋଜନା ରହିଛି । ଅନ୍ୟ ଘରୋଇ କୋଠାଗୁଡ଼ିକର ମାଲିକ ମଧ୍ୟ ଏହି ୟୁନିଫର୍ମ କଲର କୋଡକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.