Latest Odisha News

BREAKING NEWS

ସବୁଲେଖା – ଲେଖା ନୁହେଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାତଶଦ୍ଦ ଲହରି । ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ । ମୁକ୍ତସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର ଭାଷା ସଂଚରି ଯାଉଥିଲା ହୃଦୟକୁ । ଶ୍ରୁତି ଏବଂ ସ୍ମୃତି ମାଧ୍ୟମରେ ଦୀର୍ଘକାଳବ୍ୟାପୀ ଅବ୍ୟାହତ ରହିଥିଲା ଏହି ଧାରା । ଭାରତୀୟ ପରମ୍ପରାର ଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ । ପରେ ଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେ ଛନ୍ଦି ହେଲା- ବନ୍ଦୀ ହେବାକୁ ଆରମ୍ଭ କଲା ସାହିତ୍ୟ ସଂକୀର୍ଣ୍ଣତାର ଗଣ୍ଡି ଭିତରେ । ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖ ଶୋକସନ୍ତପ୍ତ ଯାତନା ଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳସାନ୍ତ୍ୱନା ! ମୁନି, ମନୀଷୀ, ମହର୍ଷି, ମହାତ୍ମାମାନଙ୍କ ଉଦ୍‌ବୋଧନରେ ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ସାହିତ୍ୟ । ଜନଜୀବନରେ ସତ୍ ଓ ଶୁଦ୍ଧ ଚିନ୍ତନର ପରିପ୍ରସାର ଦିଗରେ ସାହିତ୍ୟ ଥିଲା ସଂକଳ୍ପବଦ୍ଧ । ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶ କରି ନଥିଲା ସାହିତ୍ୟର ସରହଦ୍‌ରେ, ସମୁଦାୟ ସମାଜ ବା ‘ବ୍ୟକ୍ତି’ ଥିଲା ସାହିତ୍ୟର କେନ୍ଦ୍ରବିନ୍ଦୁ ।

ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏ ବେଶାସକ ବର୍ଗର ନିର୍ଲଜ ଚାଟୁକାର ସାଜୁଛନ୍ତି ଅଧିକାଂଶ କବି ଲେଖକ । ନିଜକୁ ନିଲାମ୍‌ କରୁଛନ୍ତି ନାମମାତ୍ର ମୂଲ୍ୟରେ । ସାହିତ୍ୟର ନାଡିନକ୍ଷତ୍ର ଠିକ୍‌ଠାକ୍ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ । ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲ୍‌ର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ । କୁତ୍ରିମ ପ୍ରସାଧନରେ ସଜ୍ଜିତ କରିଛି ନିଜକୁ ।

ସବୁ ଯୁଗରେ, ସାହିତ୍ୟର ଭିଡ ଭିତରେ, ଏଇ ‘ନା-ନା-ନା’ର ବିରଳ ସ୍ୱର ଯେତେ କ୍ଷୀଣ ଭାବରେ ହେଉସୁଦ୍ଧା – ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ, ଏ ସ୍ୱର ଦାୟିତ୍ୱରସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର ! ମେଣ୍ଢାମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ ନିରାପତା ପ୍ରେମୀଚାରଣ ଚାଟୁକାର ଲେଖକମାନଙ୍କ ଭିଡଭିତରେ ବି ଆମେ ଲକ୍ଷ୍ୟ କରିଛେ ଜଣେ ଜଣେ ସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟକରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରି ନାହାନ୍ତି, ରାଜଦଣ୍ଡ ଓ ଫାଶିମଂଚକୁ ଖାତିର୍‌କରି ନାହାନ୍ତି ମୋଟେ ।

ଇତିହାସର ଗତିପଥରେ ସାମାଜିକ ଅବସ୍ଥାନର ପରିବର୍ତନ ପାଇଁ ଯୁଗ ଯୁଗ ଲାଗିଯାଉଥିଲା । ଏବେ ଅତ୍ୟନ୍ତ ଦ୍ରୁତଗତିରେ ସମାଜ ବଦଳିବାରେ ଲାଗିଛି । ଆଜି ଆଖିବୁଜି ପୃଥିବୀ ମାନଚିତ୍ରର ଯେ କୌଣସି ସ୍ଥାନରେ ଆଙ୍ଗୁଠି ଲଗାଇ ବସେଇ ଭୂଇଁରେ ସେଇ ଦେଶରେ ସେଇ ସ୍ଥାନରେ ମଣିଷ ସ୍ୱାର୍ଥ ପାଇଁ ସବୁ କିଛି ଭୁଲିଯାଇଛି । ପ୍ରତି ମୁହୂର୍ତରେ ସମାଜ- ମଣିଷ ବଦଳିବାରେ ଲାଗିଛି । କାଲି ଯାହା ଥିଲା ଆଜି ତାହା ନାହିଁ, ଆଜି ଯାହା ଅଛି ଆସନ୍ତାକାଲି କି ତାହା ନଥିବ । ଆଦିମ ସମାଜର ପରିବର୍ତନ ହୋଇ ଧୀରେ ଧୀରେ ପୁଞ୍ଜିବାଦ ଆସିଲା । କିଛି ଦେଶରେ ପୁଞ୍ଜିବାଦକୁ ଧ୍ୱଂସକରି ସମାଜବାଦ ଆସିଲା । ପୁଣି ୭୫ ବର୍ଷ ପରେ ସାମ୍ୟବାଦକୁ ଯାଇ ନ ପାରି ସଂଶୋଧନବାଦର ଶିକାର ହୋଇ ସମାଜବାଦର ବିଚ୍ୟୁତି ଘଟି ପୁଣି ପୁଞ୍ଜିବାଦ ସାମ୍ରାଜ୍ୟବାଦରେ ପହଂଚିଗଲା । ସାମନ୍ତତନ୍ତ୍ର ରାଜତନ୍ତ୍ରର ପଦଚିହ୍ନ ନ ଲିଭୁଣୁ ଗଣତନ୍ତ୍ର ପ୍ରବେଶ କଲା ।

ଆଜି ମଧ୍ୟ ଗଣତନ୍ତ୍ର ଉପରେ ମଣିଷ ଆଶା ହରାଇ ସାରିଲାଣି । ମଣିଷର ସଭ୍ୟତାକୁ ଗଣତନ୍ତ୍ର କ’ଣ ଦେଇଛି? ସେଇ ଦାରିଦ୍ର‌୍ୟ, ଭଣ୍ଡାମୀ, ଅସହାୟତା, ଦଙ୍ଗା, ଶୋଷଣ, କଷଣ, ଯୁଦ୍ଧ, ବିପର୍ଯ୍ୟୟ ଚାରିଆଡେ ଛାଇ ହୋଇଯାଇଛି । ଯେଉଁ ଦେଶରେ ଗଣତନ୍ତ୍ର ଅଛି ସେ ଦେଶରେ ଜନଗଣ ଯେଉଁ ସ୍ୱପ୍ନ ଦେଖିଥିଲେ ସେସବୁ ସ୍ୱପ୍ନ ସାଂଘାତିକ ଭାବରେ ଭ୍ରାନ୍ତ ଏବଂ ଅର୍ଥହୀନ ପ୍ରମାଣିତ ହୋଇଛି । ନିର୍ଯାତିତ ମଣିଷକୁ ସ୍ୱାଧୀନତା ଆଣି ଦେଇପାରୁନି ।

ଜଗତୀକରଣର ଜାଲରେ ସମସ୍ତେ ଛନ୍ଦି ହୋଇପଡିଛନ୍ତି । ଜ୍ଞାନଅସ୍ତ୍ର ହରାଇ ଅଜ୍ଞାନ ଅନ୍ଧକାର ଭିତରେ ଘୁରିବୁଲୁଛନ୍ତି । ସାରା ବିଶ୍ୱର ମଣିଷ ଲୋଭ ପାପ ମୋହରେ ପଡିଯାଇଛନ୍ତି । ଭୋଗୀ ସଂସ୍କୃତିରେ ନିମଜ୍ଜିତ ହୋଇ ମାନବିକତା ଧ୍ୱଂସ ଆଡକୁ ମୁହାଁଇଛି । ନଗ୍ନତା, ଯୌନତା ବଢିଚାଲିଛି । ସମାଜର ପରିବର୍ତନ ବାହକ ଯୁବସମାଜର ନୈତିକତାକୁ କବର ଦେବା ପାଇଁ ଜ୍ଞାନ ଅର୍ଜନ ପାଇଁ ନିମଜ୍ଜିତ ରହିବା କାର୍ଯ୍ୟଟିକୁ ଦୂରେଇ ଦିଆଯାଇଛି । ଆଜି ଯୁବ ସମାଜ ସିନେମା, ଟେଲିଭିଜନ, କ୍ରିକେଟ୍‌, କମ୍ପ୍ୟୁଟର ଆଡକୁ ମୁହେଁଇଛନ୍ତି । କେହି କିଛି ନୂଆ ନୂଆ ସୃଷ୍ଟି କରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ପରଶ୍ରୀକାତରତାକୁ ବରଣ କରିନେଇଛନ୍ତି ।ଓଡିଶାରେ ଏପରିକି ସମଗ୍ର ବିଶ୍ୱରେ ସଂଖ୍ୟା ଗରିଷ୍ଠଲୋକମାନଙ୍କର ପଢାପଢି କରିବା ଅଭ୍ୟାସ କମିଯାଇଛି । ପଢାପଢି ପ୍ରତି ଆଗ୍ରହ ନଥିଲେ ବ କିଣିବା ଅଭ୍ୟାସରହିବ ନାହିଁ । ବହିବିକ୍ରି ନ ହେଲେ ପ୍ରକାଶକମାନେ ନୂଆବହିଛାପୁ ନାହାନ୍ତି । ଯାହା ଫଳରେ ଲେଖକମାନଙ୍କର ଲେଖିବାର ଆଗ୍ରହ ମରିମରି ଯାଉଛି ।

ସବୁଲେଖା – ଲେଖା ନୁହେଁ । ସବୁ ଲେଖକ ଲେଖକ ନୁହନ୍ତି । ଯେଉଁମାନେ ଅତ୍ୟନ୍ତ ଅସାଧାରଣ ବିଷୟବସ୍ତୁକୁ ଜଟିଳତା, ରସାଳ, କୌତୁକ ଓ ଚାତୁର୍ଯ୍ୟ ତଥା ଶଦ୍ଦର ପ୍ରାଚୁର୍ଯ୍ୟମଧ୍ୟରେ ସ୍ୱପ୍ନ ରାଇଜରେ- ମାନସ ପଟ୍ଟରେ ନାଚିଯାଉଥିବା ଚରିତ୍ର ଓ ଦୃଶ୍ୟ ଏବଂ ଆପଣାର ଇଚ୍ଛା ଅଭ୍ୟାସ ଚରିତ୍ରକୁ କିଂଚିତ୍ ‌ହେଲେ ମଧ୍ୟ ସ୍ପର୍ଶ କରୁଥିବା ଲେଖା ଅତି ଆଦରର ହୋଇଯାଏ ତଥା ବେଳେବେଳେ ଅନେକ ଦିନ ପର୍ଯ୍ୟନ୍ତ ମନରେ ଗଭୀର ରେଖାପାତ ସୃଷ୍ଟି କରିଥାଏ ।

ସମାଜ ପରିବର୍ତନରେ ଅଳ୍ପ ଯେଉଁ କେତେଜଣ ଦାର୍ଶନିକ, ବୈଜ୍ଞାନିକ, ଲେଖକ ବହୁ ଉପାଦେୟ ପୁସ୍ତକ ଲେଖିଯାଇଛନ୍ତି ସେଗୁଡିକୁ ଜନସମାଜରୁ ଦୂରେଇ ରଖିବାକୁ ଅପଚେଷ୍ଟା ଚାଲିଛି । ପୁଣି ସେଇ ରକ୍ଷଣଶୀଳତା ଆଡକୁ ଜନସମୁଦାୟକୁ ମୁହାଇଁ ନେବାର ଗୁପ୍ତ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ପଚାଶବର୍ଷ ଧରି ଏଇ ପୃଥିବୀରେ ଯେଉଁ ଲେଖା ପ୍ରକାଶ ପାଉଛି ଅଧିକାଂଶ ଲେଖା ତୃଣମୂଳଜୀବନ ସହ ସଂପର୍କ ରହୁନି । ଯେଉଁ ନାମକରା ଲେଖକମାନଙ୍କର ଲେଖା ନୋବେଲ୍ ପ୍ରାଇଜ୍ ‌କିମ୍ବା ଅନ୍ୟ ପୁରସ୍କାର ପାଉଛି ସେଥିରେ ମଧ୍ୟ ପ୍ରିୟାପ୍ରୀତି ତୋଷଣ ଚାଲିଛି ।

ଭାରତୀୟ ଲେଖକ/ଲେଖିକାମାନେ ନିଜର ସ୍ପଷ୍ଟ ମତାମତ କିମ୍ବା ଜୀବନ ସହ ସଂପର୍କିତ ଲେଖା ଲେଖିବାକୁ ଉଦ୍ୟମ କଲେ ବି ବିଭିନ୍ନ କ୍ଷେତ୍ରରେ ବାଧା ପାଉଛନ୍ତି । ଅଧିକାଂଶ ଲେଖକ ଯେଉଁମାନେ ନାମକରା ସେମାନେ ଉପରେ ମାଲିକ (ସରକାର-ଧନପତି)ଙ୍କ ମର୍ଜ୍ଜିକୁ ସମ୍ମାନ ଦେଉଥିବାରୁ ଲେଖାଗୁଡିକ ଚିରାଚରିତ ସାଧାରଣ ହେଉଥିବାରୁ ତାହା ସୁଖପାଠ୍ୟ କିମ୍ବା ଶିକ୍ଷଣୀୟ ହେଉ ନାହିଁ । କେବଳ କୋଟି କୋଟି ଟଙ୍କାର କାଗଜ ଓ ଅଯଥା ସମୟ ନଷ୍ଟ କରୁଛନ୍ତି । ବିଶେଷ କରି ଶିଶୁମାନେ ଦେଶର ଭବିଷ୍ୟତ କହିଡିଣ୍ଡିମ ପିଟୁଥିଲା ବେଳେ ସେଇ ଶିଶୁମନକୁ ମୂଳରୁ କିମ୍ଭୂତ କିମାକାର ଧାରଣା ସୃଷ୍ଟି କରାଇ ଧର୍ମଭୀରୁ କରାଇ ଦିଆଯିବାର ସୁକୌଶଳ ଷଡଯନ୍ତ୍ର ଚାଲିଛି । ଶିଶୁମାନଙ୍କୁ ଆରମ୍ଭରୁ ସାହସୀ, ଲଢୁଆ, ସତ୍ୟନିଷ୍ଠ କରି ଗଢି ତୋଳିଲେ ପ୍ରାଚୁର୍ଯ୍ୟର ସାମ୍ରାଜ୍ୟ ଯେ ଭାଂଗି ଚୂର୍‌ମାର୍‌ ହୋଇଯିବ ଏ ଭୟ ମଧ୍ୟ ଶାସକ-ଶୋଷକ ଗୋଷ୍ଠୀର ଅଛି । ତେଣୁ ଏହି ଦେଶ ବିରୋଧୀ ଜନବିରୋଧୀ ଗୋଷ୍ଠୀ ରାଜକୋଷକୁ ବରବାଦ କରି ବରାଦିଆ ଲେଖକ ଗୋଷ୍ଠୀ ସୃଷ୍ଟି କରିଛନ୍ତି । ଯାହା ଫଳରେ ଶିକ୍ଷା ପାଇଁ ପାଠ୍ୟକ୍ରମ ମଧ୍ୟ ସେମାନଙ୍କ ମର୍ଜ୍ଜି ଉପରେ ନିର୍ଭର କରୁଛି । ଜ୍ଞାନଅସ୍ତ୍ର ବଦଳରେ ଅଜ୍ଞାନ-ଅନ୍ଧକାର-ବିକୃତ ଅସ୍ତ୍ର ଧରାଇ ଦିଆଯାଉଛି । ଏହା ସମାଜ ପାଇଁ ଭୟଙ୍କର ବିପଦ ଡାକି ଆଣୁଛି । ଏହି ଆକ୍ରମିତ ବିପଦ ବିରୋଧରେ ଅଳ୍ପ ହେଲେ ବି କିଛି ଲେଖକ କଲମ ଚଳାଇଲେ ଇତିହାସର ଧାରା ବଦଳିଯିବ ।

ଏଇ ଗୋଲାର୍ଦ୍ଧରେ ଅନେକ ଲେଖକ ଅଛନ୍ତି ଯେଉଁମାନେ ଜୀବନ ଜୀବିକା ସହ ସଂଘର୍ଷ କରି ତୃଣମୂଳ ସହ ସଂପର୍କ ରଖି ଲେଖନୀ ଚାଳନା କରିଚାଲିଛନ୍ତି । ସେମାନଙ୍କ ପାଇଁ ବଜାର ନାହିଁକି ପ୍ରଚାର ନାହିଁ । ଅଧିକାଂଶ ମୂଲ୍ୟବାନ ରଚନା ଆଦୌ ଜନମାନସକୁ ଆସିପାରୁନି । ଏଇ ଓଡିଶାରେ ମଧ୍ୟ ଏଭଳି ଲେଖକ ଅଛନ୍ତି – ଯେଉଁମାନଙ୍କ ରଚନା ବିଶ୍ୱର ଉପଯୁକ୍ତ ସ୍ଥାନରେ ପହଂଚି ପାରିଲେ ହୁଏତ ବିଶ୍ୱବାସୀଙ୍‌କ ଜୀବନରେ ଗଭୀର ସକାରତ୍ମକରେ ଖାପାତ କରିପାରିବ ।

ଯାଜପୁରରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.