Latest Odisha News

BREAKING NEWS

ମା, ମାଟି ଓ ମାତୃଭାଷାକୁନେଇ ସାହିତ୍ୟିକମାନେ ଲେଖନୀ ଚାଳନା କରନ୍ତୁ…

କୁଜଙ୍ଗ: ଭାରତର ଆତ୍ମା ଗ୍ରାମାଂଚଳରେ ରହିଛି । ଗ୍ରାମାଂଚଳର ସର୍ବାଙ୍ଗୀନ ଉନ୍ନତିରେ ଦେଶର ଉନ୍ନତି ହୋଇ ପାରିବ । ଏଣୁ ଆଜିର ଲେଖକମାନେ ମା, ମାଟି ଓ ମାତୃଭାଷାକୁ ନେଇ ଲେଖନୀ ଚାଳନା କରନ୍ତୁ ବୋଲି ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଆମ ଗାଁ ଆମ ସାହିତ୍ୟ ସାରସତ୍ୱ ସମାରୋହରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ବରିଷ୍ଠ ସ୍ତମ୍ଭକାର ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କୁଜଙ୍ଗ ସୂଚନାକେନ୍ଦ୍ରଠାରେ ଅନୁଷ୍ଠିତ ଏହି ସମାରୋହରେ ‘ଗାନ୍ଧିଜୀଙ୍କ ସ୍ୱପ୍ନର ଗାଁ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ସଂଚାରର ପ୍ରତିଷ୍ଠାତା ସମ୍ପାଦକ ଡ଼ାକ୍ତର ଦାମୋଦର ରାଉତ ଉଦ୍‌ଘାଟକ ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଗାନ୍ଧିଜୀଙ୍କ ସ୍ୱପ୍ନର ଗାଁ ଏବେ ବି ଅଧୁରାହୋଇ ରହିଛଇବୋଲି କହିବା ସହିତ ରାମାୟଣ, ମହାଭାରତ, ଭାଗବତ ଭଳି ମହାନ ଗ୍ରନ୍ଥର କଥାବସ୍ତୁକୁନେଇ ସାରସତ୍ୱ ସ୍ରଷ୍ଟାମାନେ ଯୁଗ ଉପଯୋଗୀ ଲେଖା ଲେଖି ଚାଲିଲେ ସାହିତ୍ୟ ରୁଧିମନ୍ତ ହେବା ସହିତ ଯୁଗଉପଯୋଗୀ ହୋଇ ପାରିବ ବୋଲି କହିଥିଲେ ।

ମୁଖ୍ୟ ବକ୍ତାଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ଆଲୋଚନାରେ ଅଂଶ ଗ୍ରହଣ କରି ଆମ ସାହିତ୍ୟ ଆମ ଗାଁର ଚିତ୍ର ନିଖୁଣଭାବେ ଚିତ୍ରିତ ହେଲେ ତାହା ସମାଜର ହିତ ସାଧନ କରିପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ପଣ୍ଡିତ ମନୋରଞ୍ଜନ ନନ୍ଦ, ଗାଳ୍ପିକ ଅଲେଖ ବେହେରା, କବି ଓ ସାମ୍ବାଦିକ ହରିଗୁରୁ ଦାସ, ସମାଜସେବୀ ସୁନାକର ବେହେରା ଆଲୋଚନା ଚକ୍ରରେ ଭାଗନେଇ ସାହିତ୍ୟ ଏକାଡ଼େମୀର ଏଭଳି ନୂତନ ପଦକ୍ଷେପର ଭୂୟସୀ ପ୍ରଶଂସା କରିବା ସହିତ ଗ୍ରାମାଂଚଳରେ ଏହିଭଳି ଆଲୋଚନାଚକ୍ର ଅନୁଷ୍ଠିତ ହେଲେ ଗ୍ରାମାଂଚଳରେ ମଧ୍ୟ ଉଚ୍ଚକୋଟୀର କବି ଲେଖକ ମାନେ ସୃଷ୍ଟିହୋଇ ପାରିବେ ବୋଲି କହିଥିଲେ । ଏକାଡ଼େମୀର ସଦସ୍ୟ ଅକ୍ଷୟ କୁମାର ରାଉତଙ୍କ ସାଙ୍ଗଠନିକ ଦକ୍ଷତାକୁ ମଧ୍ୟ ମଂଚାସୀନ ଅତିଥିମାନେ ପ୍ରଶଂସା କରିଥିଲେ ।

ପ୍ରାରମ୍ଭରେ ସମାଜସେବୀ ତଥା ସାମ୍ବାଦିକ ବିଭୂତି ଭୂଷଣ ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଦ୍ୱିତୀୟ ଅଧିବେଶନରେ କବୟତ୍ରୀ ଡ଼କ୍ଟର ବନପ୍ରଭା ପରିଡ଼ା, ସବିତା ମହାପାତ୍ର, ଗୀତା ଦାସଙ୍କ ସଞ୍ଜୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶତାଧିକ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମାଜସେବୀ ବିଜୟ କୁମାର ଖଟେଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.