Latest Odisha News

BREAKING NEWS

ପାକିସ୍ତାନରେ ଆମେରିକାର ବଡ଼ ପଦକ୍ଷେପ

ଇସଲାମବାଦ: ପାକିସ୍ତାନରୁ ଏହି ସମୟର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି । ପାକିସ୍ତାନରେ ନିଜର ବାଣିଜ୍ୟ ଦୂତାବାସ ବା କନସୁଲେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ପଛରେ ରହିଛି ଏକ ବଡ଼ କାରଣ। ଆସନ୍ତୁ ଜାଣିବା କାହିଁକି ପାକିସ୍ତାନ ଉପରେ କଠୋର ହୋଇଛି ଆମେରିକା ?
ପାକିସ୍ତାନର ପେଶାୱରରେ ଅବସ୍ଥିତ ନିଜର ବାଣିଜ୍ୟ ଦୂତାବାସକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଘୋଷଣା କରିଛି ଆମେରିକା। ଆମେରିକାର ବୈଦେଶିକ ବିଭାଗର କହିବା ଅନୁସାରେ, ଏହି ନିଷ୍ପତ୍ତି କେବଳ ଏବଂ କେବଳ ନିଜର କୂଟନୀତିଜ୍ଞମାନଙ୍କ ସୁରକ୍ଷା ପାଇଁ ନିଆଯାଇଛି।

ପେଶାୱର ଯେଉଁ ଖାଇବର ପାଖ୍ତୁନଖ୍ୱା ପ୍ରଦେଶରେ ଅଛି, ତାହାର ସୀମା ଆଫଗାନିସ୍ତାନ ସହ ଲାଗିଛି। ଏଠାରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସବୁବେଳେ ସଂଘର୍ଷ ଲାଗିରହିଛି। ମାର୍ଚ୍ଚ ମାସରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ଭୟଙ୍କର ବିରୋଧ ପ୍ରଦର୍ଶନ ହୋଇଥିଲା। କରାଚିରେ ବିକ୍ଷୋଭକାରୀମାନେ ଆମେରିକୀୟ ଦୂତାବାସର ପାଚେରି ଭାଙ୍ଗି ଦେଇଥିଲେ, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ନିଜର କର୍ମଚାରୀଙ୍କ ଜୀବନକୁ ବିପଦରେ ନ ପକାଇବା ପାଇଁ ଟ୍ରମ୍ପ ପ୍ରଶାସନ ଏହି ରଣନୈତିକ ପଦକ୍ଷେପ ନେଇଥିବା କୁହାଯାଉଛି।

ପେଶାୱର କନସୁଲେଟ୍ ବନ୍ଦ ହେବା ପରେ ଏବେ ଖାଇବର ପାଖ୍ତୁନଖ୍ୱାର ସମସ୍ତ କୂଟନୀତିକ କାର୍ଯ୍ୟ ଇସଲାମାବାଦରେ ଥିବା ଦୂତାବାସ ଦ୍ୱାରା ପରିଚାଳିତ ହେବ। ତେବେ ଆମେରିକା ସ୍ପଷ୍ଟ କରିଛି ଯେ, ବାଣିଜ୍ୟ ଦୂତାବାସ ବନ୍ଦ ହେଲେ ମଧ୍ୟ ପାକିସ୍ତାନ ସହ ତା’ର ନୀତିଗତ ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିବ ନାହିଁ।

ଆମେରିକୀୟ ବୈଦେଶିକ ବିଭାଗର ପ୍ରବକ୍ତା କହିଛନ୍ତି ଯେ, ସେମାନେ ଆଞ୍ଚଳିକ ସୁରକ୍ଷା ଏବଂ ଅର୍ଥନୈତିକ ସମ୍ପର୍କ ପାଇଁ ସକ୍ରିୟ ରହିବେ। ପେଶାୱର ବନ୍ଦ ହେଉଥିଲେ ମଧ୍ୟ ଇସଲାମାବାଦ, କରାଚି ଏବଂ ଲାହୋରରେ ଆମେରିକାର ମିଶନ ପୂର୍ବଭଳି କାମ ଜାରି ରଖିବ।

ତେବେ ଏହା ସ୍ପଷ୍ଟ ଯେ, ପାକିସ୍ତାନରେ ବଢୁଥିବା ଆତଙ୍କବାଦ ଏବଂ ଅଶାନ୍ତି ଯୋଗୁଁ ଆମେରିକା ଏବେ ସତର୍କ ହୋଇଯାଇଛି। ନିଜର ନାଗରିକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।

Comments are closed.