Latest Odisha News

BREAKING NEWS

ଘର ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ଅଫିସ୍ ଦୌଡ଼ିବେନି ଲୋକ: ୭ ଦିନରେ ମିଳିବ ମଞ୍ଜୁରୀ

ଭୁବନେଶ୍ୱର: ନିଜର ଛୋଟ ଘରଟିଏ ତିଆରି କରିବାକୁ କିଏ ବା ସ୍ୱପ୍ନ ନ ଦେଖେ! କିନ୍ତୁ ଘର ପ୍ଲାନ୍ ଆପ୍ରୁଭାଲ୍ ବା ମଞ୍ଜୁରୀ ଆଣିବା ପାଇଁ ଲୋକଙ୍କୁ ମାସ ମାସ ଧରି ଅଫିସ୍ ଦୌଡ଼ିବାକୁ ପଡ଼ୁଥିଲା। ଏବେ ଏହି ସମସ୍ୟାର ଅନ୍ତ ଘଟିବ। ରାଜ୍ୟ ସରକାର ଏନେଇ ଏକ ବଡ଼ ଓ ଐତିହାସିକ ପଦକ୍ଷେପ ନେଇଛନ୍ତି।

ଏଣିକି ମାତ୍ର ୭ ଦିନ ଭିତରେ ଘର ପ୍ଲାନ୍ ଆପ୍ରୁଭାଲ୍ ମିଳିବ। ‘ସୁଯୋଗ’ (SUJOG) ଆପ୍ ଜରିଆରେ ଆବେଦନ କଲେ ଗୋଟିଏ ସପ୍ତାହ ମଧ୍ୟରେ କାମ ଶେଷ ହେବ। ଯଦି କୌଣସି ଅଫିସର ୭ ଦିନରୁ ଅଧିକ ସମୟ ଫାଇଲ୍ ଅଟକାଇ ରଖନ୍ତି, ତେବେ ତାଙ୍କୁ ଫାଇନ୍ ବା ଜରିମାନା ଦେବାକୁ ପଡ଼ିବ। ନିର୍ଦ୍ଧାରିତ ସମୟ ପରେ ଯେତିକି ଦିନ ଡେରି ହେବ, ସେଥିପାଇଁ ଅଫିସରଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା ହିସାବରେ କଟାଯିବ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଖୁସି ଖବର ଦେଇଛନ୍ତି। ବିଭାଗୀୟ ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। ୭ ଦିନ ପରେ ବି ଯଦି ଫାଇଲ୍ ମଞ୍ଜୁର ନହୁଏ, ତେବେ ତାହା ଆପେ ଆପେ ଅନ୍ୟ ଅଫିସରଙ୍କ ପାଖକୁ ଟ୍ରାନ୍ସଫର୍ ହୋଇଯିବ। ପ୍ଲାନ୍ ଆପ୍ରୁଭାଲରେ କାହିଁକି ଡେରି ହେଉଛି, ସେନେଇ ସରକାର ଏକ ସର୍ଭେ ମଧ୍ୟ କରିଥିଲେ। ତା’ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ରାଜ୍ୟ ସରକାର ଆଉ ଏକ ବଡ଼ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ୨୦୩୬ ମସିହା ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଲୋକଙ୍କୁ ଘର ଯୋଗାଇ ଦିଆଯିବ। ଏଥିପାଇଁ ଜମି ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ସୁଲଭ ଆବାସ ଯୋଜନା ଅଧୀନରେ EWS ଓ LIG ବର୍ଗର ଲୋକଙ୍କୁ ଘର ମିଳିବ। ଜମି ଆବଣ୍ଟନ ହେବା ମାତ୍ରେ ଘର ତିଆରି କାମ ଜୋରସୋରରେ ଚାଲିବ।

ନଗର ଉନ୍ନୟନକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ‘ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନା’ର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୯ଟି ଛୋଟବଡ଼ ସହରକୁ ସାମିଲ କରାଯିବ। ଏହି ସବୁ ସହରରେ ସୌନ୍ଦର୍ଯ୍ୟକରଣ କରାଯିବ। ଭଲ ରାସ୍ତା, ପାନୀୟ ଜଳ ଏବଂ ସ୍ୱେରେଜ୍ ବ୍ୟବସ୍ଥାର ଉନ୍ନତି ହେବ। ଟାଉନ୍ ପ୍ଲାନିଂ (ଟିପି) ସ୍କିମ୍ ଜରିଆରେ ସହରାଞ୍ଚଳରେ ଜମିର ବିକାଶ କରାଯିବ।

ସରକାରଙ୍କ ଏହି କଡ଼ା ନିୟମ ଫଳରେ ଦୁର୍ନୀତି କମିବ ଏବଂ ସାଧାରଣ ଲୋକଙ୍କୁ ନିଜ ସ୍ୱପ୍ନର ଘର ତିଆରି କରିବାରେ ବଡ଼ ଆଶ୍ୱସ୍ତି ମିଳିବ ବୋଲି ସରକାର ଆଶା ରଖିଛନ୍ତି।

Leave A Reply

Your email address will not be published.