Latest Odisha News

BREAKING NEWS

ମହାରାଷ୍ଟ୍ରରେ ବିଜେପିର ପ୍ରେସର ଗେମ, ସିନ୍ଦେ ନିଜେ ଛାଡି ପଳାଇବେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ହରଡ଼ଘଣାରେ ପଡିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ ବିଜେପି ସରକାରରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ବିଧାୟକ ଓ ନେତାମାନଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ସେଥିପାଇଁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶ ସିନ୍ଦେଙ୍କୁ ସାକ୍ଷାତ କରିଛନ୍ତି। ସିନ୍ଦେ ଗୋଷ୍ଠୀର ଅସନ୍ତୋଷ ଭିତରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।

ଏପରିକି ପାୱାର ଗୋଷ୍ଠୀର ଏଣ୍ଟ୍ରି ପରେ ଏକନାଥ ସିନ୍ଦେ ଗୋଷ୍ଠୀ ଅସନ୍ତୁଷ୍ଟ ଥିବାରୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାରରୁ ଓହରିଯିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏ ସବୁ ଚର୍ଚ୍ଚାକୁ ସିନ୍ଦେ ଖଣ୍ଡନ କରିବା ସହ ଏସବୁ କରାଇବା ପଛରେ କିଏ ଅଛନ୍ତି ସେ ଜାଣିଛନ୍ତି ବୋଲି କହିଛନ୍ତି।

ସେପଟେ ଏସବୁ ଭିତରେ ସିନ୍ଦେ ଗୋଷ୍ଠୀ ନେତା ଉଦୟ ସାମନ୍ତଙ୍କ ବୟାନ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ସିନ୍ଦେ ଗୋଷ୍ଠୀ ଇସ୍ତଫା ଦେବେନି ବରଂ ଇସ୍ତଫା ନେବେ ବୋଲି କୁହାଯାଇଛି। ସିନ୍ଦେଙ୍କ ଛବି ଖରାପ କରିବାକୁ ଏ ସବୁ କରାଯାଉଛି ବୋଲି ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

ସେପଟେ ଶରଦ ପାୱାର ନିଜକୁ ଏବେବି ଦଳର ଅଧ୍ୟକ୍ଷ କହିବାକୁ ନେଇ ମଧ୍ୟ ରାଜନୈତିକ ଚର୍ଚ୍ଚା ଆହୁରି ବଢିଛି। ଏପରିକି ଶରଦ ଓ ଅଜିତ ପାୱାର ଗାଷ୍ଠୀ ମଧ୍ୟରେ ଲଢେ଼ଇ ଦିନକୁ ଦିନ ତୀଵ୍ର ହେବାରେ ଲାଗିଛି।

ଜୁଲାଇ ଆଠ ତାରିଖ ଅର୍ଥାତ ଆସନ୍ତାକାଲି ଶରଦ ପାୱାର ଦିନିକିଆ ଗସ୍ତରେ ନାସିକ ଯିବା ସହ ଏକ ବଡ଼ ବୈଠକରେ ଯୋଗ ଦେବେ। ନାସିକର ୟେୟୋଲାରେ ବୈଠକ ହେବ ବୋଲି ଏନସିପି ମୁଖ୍ୟ ମୁଖପାତ୍ର ମହେଶ ତାପସେ କହିଛନ୍ତି।

ଏପରିକି ଅଜିତ ପାୱାର ଗୋଷ୍ଠୀରେ ଯୋଗ ଦେଇଥିବା ୧୯ ଜଣ ବିଧାୟକ ଶରଦ ପାୱାରଙ୍କ ପଟକୁ ଫେରିବା ପାଇଁ ସତ୍ୟପାଠ ଦାଖଲ କରିଥିବା ଏନସିପିକୁ ଫେରିବାକୁ ଜଣାଇଛନ୍ତି ବୋଲି ଶରଦ ପାୱାର କ୍ୟାମ୍ପ ପକ୍ଷରୁ କୁହାଯାଇଥିବା ଚର୍ଚ୍ଚା ହେଉଛି ।

ସେପଟେ ଏଭଳି ସ୍ଥିତିରେ ବିଜେପି ଜାତୀୟ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ସେ ଏହାକୁ ଅସ୍ବୀକାର କରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ସ୍ଥିତିକୁ ନେଇ ସେ ଦ୍ବନ୍ଦ୍ୱରେ ଥିବା କହିଛନ୍ତି।

ଏସବୁ ଭିତରେ ଉଦ୍ଧବ ଗୋଷ୍ଠୀ ନେତା ନିଲମ ଗୋରହେ ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ତେଣୁ ମହାରାଷ୍ଟ୍ର ରାଜନୀତି ଅତ୍ୟନ୍ତ ଗୋଳମାଳିଆ ସ୍ଥିତିରେ ପହଁଚିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.