Latest Odisha News

BREAKING NEWS

ରାଜସ୍ଥାନରେ ଦଳୀୟ ନେତାଙ୍କ ଚକ୍ରବ୍ୟୁହରେ ଫସିଛି ବିଜେପି, ଆଗପଛ ହେଉଛି କଂଗ୍ରେସ !

ଭୁବନେଶ୍ୱର: ରାଜସ୍ଥାନ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପିର ଟିକେଟ ଅଙ୍କ ଛିଡୁନି। ପ୍ରଥମ ପର୍ଯ୍ୟାୟରେ ୪୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରି ବିଦ୍ରୋହର ସମ୍ମୁଖୀନ ହେଉଥିବା ବିଜେପି ଏବେ ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା ପାଇଁ ଲଗାତର ବୈଠକ ଜାରି ରଖିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା ରାଜସ୍ଥାନର ଦଳୀୟ ନେତାଙ୍କ ସହ ଘନ ଘନ ବୈଠକ କରିଛନ୍ତି। ପୁର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘାୱାଲ, ରାଜ୍ୟ ବିଜେପି ସଭାପତି ତଥା ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ।

ଛଅ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ ବହୁ ସାଂସଦଙ୍କୁ ରାଜସ୍ଥାନରେ ଟିକେଟ ଦେଇଥିବା ବିଜେପି ଆଗକୁ ଆଉ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ କରିପାରେ।

ସେପଟେ ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ମଧ୍ୟରେ ବିଦ୍ରୋହ ଦେଖାଯିବା ସହ ରାସ୍ତା ଘାଟରେ ଆନ୍ଦୋଳନ ଦେଖିବାକୁ ମିଳୁଛି। ଏହାକୁ ମ୍ୟାନେଜ କରିବାକୁ ଜାତୀୟ ସଭାପତି ଜେ ପି ନଡ୍ଡା ଲାଗି ପଡିଛନ୍ତି।

ନଡ୍ଡା ଅସନ୍ତୁଷ୍ଟଙ୍କୁ ମନାଇବାକୁ ଲାଗି ପଡିଛନ୍ତି। ଏହି କ୍ରମରେ ସେ କୋଟା ଅଞ୍ଚଳର ଦଳୀୟ ନେତାଙ୍କୁ ଭେଟିଛନ୍ତି। ସେପଟେ କଂଗ୍ରେସର ଏ ଯାଏ ଟିକେଟ ଅଙ୍କ ଛିଡୁନି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ କରାଯାଇ ପ୍ରାର୍ଥୀ ଚୟନକୁ ନେଇ ଆଲୋଚନା ହୋଇଛି।

ବୈଠକରେ କଂଗ୍ରେସ କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱଙ୍କ ସମେତ ରାଜସ୍ଥାନର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା ପାଇଁ ଉଦ୍ୟମ ଜାରି ରଖିଛି।

ତେଣୁ ଦେଶର ପାଞ୍ଚୋଟି ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନ ହେଉଥିଲେ ମଧ୍ୟ ରାଜସ୍ଥାନ ପ୍ରମୁଖ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ସାଜିଛି।

Leave A Reply

Your email address will not be published.