Latest Odisha News

BREAKING NEWS

ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହା

ପୁରୀ/ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି । ସେ ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ପୁରୀରେ ଅନୁଷ୍ଠିତ ହେଉଥିବା ଜାତୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ଯୋଗଦାନ କରିବେ ।

ଗଣମାଧ୍ୟମକୁ ସୂଚନାଦେଇ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଏଠାରୁ ପୁରୀ ଅଭିମୁଖେ ଯିବେ ଅମିତ ଶାହା । ପୁରୀରେ ଅନୁଷ୍ଠିତ ହେଉଥିବା ଜାତୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବେ ।

ଆଜି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ କଟକ-ଭୁବନେଶ୍ୱର ଓ ପୁରୀ ରାସ୍ତାରେ ହଜାର ହଜାର ଦଳୀୟ ପୋଷ୍ଟର ମରାଯାଇଥିବା ଲକ୍ଷ୍ୟ କରାଯାଇଛି ।

ଏଥିମଧ୍ୟରେ ପୁରୀରେ ବିଜେପି ମହିଳା କାର୍ଯ୍ୟକାରିଣୀ ସଦସ୍ୟାମାନେ ପହଞ୍ଚି ଗଲେଣି । ପ୍ରାୟ ୨୦୦ ଜଣ କାର୍ଯ୍ୟକାରିଣୀ ସଦସ୍ୟା ଏହି ବୈଠକରେ ଯୋଗଦେବେ ।

ତେବେ ଏହି ସୋମବାର ଏହି କାର୍ଯ୍ୟକାରିଣୀ ବୈଠକ ହେବା ପୂର୍ବରୁ ରବିବାର ଦିନ ମହିଳା ବିଜେପି ମୋର୍ଚ୍ଚା ପକ୍ଷରୁ ଏକ ର‌୍ୟାଲିର ଆୟୋଜନ କରାଯାଇଥିଲା ।

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି, ଅମିତ ଶାହାଙ୍କ ମିଶନ ୧୨୦ ଉପରେ ଏହି ବୈଠକରେ ପ୍ରାଧାନ୍ୟ ଦିଆଯାଇ ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚାକୁ କିପରି ଆଗାମୀ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ କରାଯାଇପାରିବ ସେ ନେଇ ଅମିତ ଶାହାଙ୍କ ସହିତ ଆଲୋଚନା ହେବ ।

Leave A Reply

Your email address will not be published.