Latest Odisha News

BREAKING NEWS

ସୋମବାର ଓଡ଼ିଶା ଆସୁଛନ୍ତି ଅମିତ ଶାହଙ୍କ ଭରସାଯୋଗ୍ୟ ‘ବ୍ଯାଟସମ୍ୟାନ’ ବଂଶଲ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ଓଡ଼ିଶା ଆସୁଛନ୍ତି ନବ ନିଯୁକ୍ତ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ। ନିକଟରେ ଅମିତ ଶାହ ଓଡ଼ିଶା ଗସ୍ତ ସାରି ଫେରିବା ପରେ ରାଜ୍ୟ ବିଜେପି ପ୍ରଭାରୀ ବଦଳିଥିଲେ। ଆଉ ଶାହଙ୍କ ଭରସାଯୋଗ୍ୟ ‘ବ୍ୟାଟସମ୍ୟାନ’ ସୁନୀଲ ବଂଶଲଙ୍କୁ ବିଜେପି ସଭାପତି ଜେପି ନଡ୍ଡା ନିଯୁକ୍ତ କରିଥିଲେ। ରାଜ୍ୟ ବିଜେପି ବଂଶଲଙ୍କ ନେତୃତ୍ୱରେ ୨୦୨୪ରେ ଓଡ଼ିଶାର ଜବରଦସ୍ତ ଗୋଲ୍ କରିବ ବୋଲି ‘ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ କହିଥିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ଗୋଟିଏ ଭଲ କୋଚର ଆବଶ୍ଯକ ଥିଲା। ଏବେ ତାହା ମିଳିସାରିଛି ବୋଲି ସମ୍ବଲପୁର ବିଧାୟକ କହିଥିଲେ।

BjdElectrycity

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀ ରାଜ ହରିଚନ୍ଦନ କହିଛନ୍ତି ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ୱରରେ ଦୁଇ ଦିନିଆ କାର୍ଯକ୍ରମ ରହିଛି। ଅପରାହ୍ନରେ ବିିମାନ ଯୋଗେ ଆସିବେ। ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ।

ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶତାଧିକ ବିଜେପି କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିବେ। ଏହି ଗସ୍ତ ସମୟରେ ଦଳର ସଭାପତିଙ୍କ ସମେତ ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ସେ ଦଳର ନେତୃତ୍ୱକୁ ନେଇ ଆଲୋଚନା କରିବେ। ଏହାବାଦ ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅମିତ ଶାହଙ୍କ ଭରସାଯୋଗ୍ୟ ‘ବ୍ଯାଟସମ୍ୟାନ’ ବଂଶଲ

୨୦୧୪ ଲୋକସଭା ନିର୍ବାଚନରେ ୟୁପିରେ ଲୋକସଭା ନିର୍ବାଚନ ବିଜେପି ବିଜୟୀ ପଛର ନେପଥ୍ୟ ନାୟକ ସୁନୀଲ ବଂଶଲଙ୍କୁ ଦିଆଯାଏ। ଏହି ସମୟରେ ୟୁପିରେ ସମାଜବାଦୀ ପାର୍ଟି କ୍ଷମତାରେ ଥିଲା। କିନ୍ତୁ ଶାହ ନିର୍ବାଚନର ୬ ମାସ ପୂର୍ବରୁ ତାଙ୍କର ଭରସାଯୋଗ୍ୟ ବ୍ୟାଟସମ୍ୟାନ ଭାବେ ବଂଶଲଙ୍କୁ ନିଯୁକ୍ତ କରାଇଥିଲେ। ଯାହାର ସଫଳତା ୮୦ ଲୋକସଭା ଆସନରୁ ୭୧ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା।ସେହିପରି ୨୦୧୭ ୟୁପି ବିଧାନସଭା ନିର୍ବାଚନ, ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୨ ବିଧାନସଭା ନିର୍ବାଚନରେ ବିଜୟୀ ପଛରେ ସୁନୀଲ ବଂଶଲ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୟୁପିରେ ବିଜେପି ସହରୀ ଦଳ ବୋଲି କୁହାଯାଉଥିଲା। କିନ୍ତୁ ବୁଥରୁ ବିଧାନସଭା ଆସନ ଯାଏ ନିଜ ରଣନୀତି ତିଆରି କରି କର୍ମୀଙ୍କୁ ‘ବୁଷ୍ଟର ଡୋଜ’ ଦେଇ ଭୋଟ୍ ହାତେଇବାରେ ଓସ୍ତାଦ ବଂଶଲ । ତେଣୁ ବିଭିନ୍ନ ସମୟରେ ୟୁପିରେ ତାଙ୍କୁ ଭୋଟ୍ ମେସିନ ବୋଲି ମଧ୍ୟ କୁହାଯାଏ। ଏଥିସହ ଜଣେ ଟାସ୍କ ମାଷ୍ଟର ଭାବେ ପରିଚିତ ଆରଏସଏସରୁ ଆସିଥିବା ଏହି ନେତା ଗୋଷ୍ଠୀ କନ୍ଦଳର ଘୋର ବିରୋଧୀ। ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ନାରାକୁ ଦଳରେ ପ୍ରୟୋଗ କରି ବିଭିନ୍ନ ସମୟରେ ମୋଦୀ-ଶାହଙ୍କ ଦ୍ୱାରା ପ୍ରଂଶସିତ ହୋଇସାରିଛନ୍ତି। ଯାହାଙ୍କୁ ବଂଶଲ ବିଶୃଙ୍ଖଳକାରୀ ବୋଲି ଚିହ୍ନଟ କରନ୍ତି ତାଙ୍କର ଦଳରେ କୌଣସି ପ୍ରଭାବ ରୁହେ ନାହିଁ। ଏମିତିକି ୟୁପି ବିଧାନସଭା ନିର୍ବାଚନ ବେଳେ କେସବ ପ୍ରସାଦ ମୌର୍ଯ୍ୟା ଏବଂ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା କନ୍ଦଳରେ ତାଳି ପକାଇ ଭୋଟ୍ ବିଭାଜନ କରିବାରେ ବଂଶଲ ସଫଳ ହୋଇଥିଲେ।

ରାଜ୍ୟ ବିଜେପିର ଘା’

ଶରୀରରେ ଘା’ ହେଉ ଅବା ସଂଗଠନରେ କନ୍ଦଳ ଥିଲେ ଆଗକୁ ବଢିବା କଷ୍ଟକର। ତେଣୁ ଆଗ କ୍ଷତ ଚିହ୍ନ ଶୁଖିବା ଦରକାର। ରାଜ୍ୟ ବିଜେପି ତୃଣମୂଳ ସ୍ତରରେ ଯେତିକି ସବଳ ନୁହେଁ ନେତାଙ୍କ ମଧ୍ୟରେ କିନ୍ତୁ ଗୋଟିଏ ଭଲ ଧାରଣା ରହିଛି। ଯେଉଁଥିପାଇଁ ରାଜ୍ୟର ମଙ୍ଗୁଆଳ ହେବାକୁ ଅନେକ ଆଗ୍ରହ ଦେଖାଇଥାନ୍ତି। ଆଉ ଏହି କାରଣ ପାଇଁ ନେତା ନେତା ମଧ୍ୟରେ କନ୍ଦଳ ରହିଛି। ବିଭିନ୍ନ ରାଜ୍ୟରେ ପ୍ରଭାରୀ ଭାବେ ନିଯୁକ୍ତ ହୋଇ ସଫଳତା ସାଉଁଟିଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜ ରାଜ୍ୟରେ ଅଣଦେଖା। ଯେତେବେଳେ କି ସେ ରାଜ୍ୟରୁ ଅନେକ ଥର ନିର୍ବାଚିତ ହୋଇଛନ୍ତି ଏବଂ ରାଜ୍ୟର ଜଣେ ଜଣାଶୁଣା ନେତା ମଧ୍ୟ। ସେହିପରି ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁଙ୍କ ପରି ନେତା ଦଳରେ ଥାଇ ମଧ୍ୟ ଅଣଦେଖା ହୋଇ ରହିଛନ୍ତି। ଏହାବାଦ ବିଭିନ୍ନ ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି। ଏଥିସହ ନେତା କେବଳ ଟିଭି ବିତର୍କରେ ଭାଗ ନେଇ ପ୍ରମୁଖ ନେତାଙ୍କ ଅନୁଗତ ହେବାକୁ ପ୍ରୟାସ କରୁଥିବାବେଳେ ନିଜର କିନ୍ତୁ ନିଜସ୍ୱ ନିର୍ବାଚନମଣ୍ଡଳୀ ନଥିବା ବେଳେ ନିଜ ସପକ୍ଷରେ ଜନମତ ହାତେଇବାରେ ପ୍ରୟାସ କରୁନଥିବା ଦେଖିବାକୁ ମିଳିଛି। ଶାହ ରାଜ୍ୟ ବିଜେପିର ନେତାଙ୍କୁ ନେଇ ରୁଦ୍ଧ ଦ୍ୱାର ବୈଠକ କରିବା ବେଳେ ଦଳରେ ଥିବା କନ୍ଦଳ ବାବଦରେ ଅବଗତ ବୋଲି ମଧ୍ୟ କହିଥିବା  ସୂଚନା ରହିଛି। ଏହି କନ୍ଦଳ ନାଁର ଘା’କୁ ଶୁଖାଇବାକୁ ପ୍ରୟାସ କରି ଆଗାମୀ 4 ମାସ ପାଇଁ ଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ତେବେ ବିଭିନ୍ନ ସମୟରେ ନେତୃତ୍ବ ପରିବର୍ତ୍ତନ କରି ଦଳ ଭିତରେ ଉତ୍ସାହ ଭରିବାକୁ ପ୍ରୟାସ କରୁଥିବା ବଂଶଲ ଓଡିଶା ବିଜେପିର ନେତୃତ୍ୱ ମଧ୍ୟ କରିପାରନ୍ତି।

ବଂଶଲଙ୍କୁ ଅଡ଼ୁଆ ଦିଲ୍ଲୀରେ ବିଜେଡି-ବିଜେପି ଘଣି !

2009ରେ ବିଜେଡି ସହ ମେଣ୍ଟ ଭାଙ୍ଗିବା ପରେ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ବିଜେପି। ଯଦିଓ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ରହିଛି କିନ୍ତୁ ରାଜ୍ୟର ଶାସକ ଦଳ ବିଜେଡି କେନ୍ଦ୍ର ସରକାରକୁ ସମର୍ଥନ କରୁଛି। ତେଣୁ ରାଜ୍ୟ ବିଜେପି ମଧ୍ୟ ବିଜେଡିକୁ ସମାଲୋଚନା କରିବା ବେଳକୁ ତଣ୍ଟିରେ କଣ୍ଟା ଲାଗିବା ଭଳି ସଦୃଶ ହୋଇଛି। କିନ୍ତୁ ଏଠାରେ ବିଜେପି ନିଜେ ଦାବି କରୁଛି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି, ଶିଳ୍ପ ବନ୍ଦ ହେଉଛି, ବାବୁଙ୍କ ସରକାର ଚାଲିଛି ଇତ୍ୟାଦି । କିନ୍ତୁ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ରାଜ୍ୟ ବିଜେପି ବିଫଳ ରହିଛି। ଏପରି ସ୍ଥିତିରେ କିପରି ଦିଲ୍ଲୀର ‘ସହଯୋଗୀ’ ବିଜେଡିକୁ ଓଡିଶାରେ ଘେରିହେବ ତାହା ସୁନୀଲ ବଂଶଲଙ୍କୁ ଅ଼ଡୁଆ ପକାଇପାରେ।

ଅନ୍ୟପଟେ ବଂଶଲ ପଶ୍ଚିମବଙ୍ଗ, ତେଲେଙ୍ଗାନା ପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହି ଦୁଇ ରାଜ୍ୟରେ ଓଡ଼ିଶା ବିଜେପି ଅପେକ୍ଷା ଦଳ ମଜବୁତ ରହିଛି। ତେଣୁ ବଂଶଲ ଦିଲ୍ଲୀ ବିଜେପି ଆଗରେ ନିଜର ସାର୍ଟିଫିକେଟ ଦେବାକୁ କେଉଁ ରାଜ୍ୟକୁ ଅଧିକ ଅଗ୍ରାଧିକାର ଦେବେ ତାହା ସମୟ କହିବ।

Leave A Reply

Your email address will not be published.