Latest Odisha News

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ଅମୃତ ଉଦ୍ୟାନ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନ ଆଜିଠାରୁ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ-୨କୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ।

ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ଗୋଟିଏ ମାସ ପର୍ୟ୍ୟନ୍ତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ।‌ ଅମୃତ ଉଦ୍ୟାନ ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଖୋଲା ରହିବ। ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି। ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି। ଆଗନ୍ତୁକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ।

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୨ ତାରିଖ ଦିନ ଉଦ୍ୟାନ ଉତ୍ସବ-୨୦୨୩ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଥିଲେ। ପୂର୍ବରୁ ରାଷ୍ଟ୍ରପତି ଭବନରେ ଥିବା ଉଦ୍ୟାନର ନାମ ମୋଗଲ ଗାର୍ଡେନ ଥିବା ବେଳେ ପରେ ଏହାର ନାମ ପରିବର୍ତ୍ତନ ହୋଇ ଅମୃତ ଉଦ୍ୟାନ ହୋଇଥିଲା । ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଏହାର ନାମ ପରିବର୍ତ୍ତନ କରିଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଏହି ଉଦ୍ୟାନ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥାଏ।

ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଏହି ଉଦ୍ୟାନ ଖୋଲିବା ଆରମ୍ଭ କରିଥିଲେ। ସେବେଠାରୁ ଏହି ଉଦ୍ୟାନ ପ୍ରତିବର୍ଷ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥାଏ | ତେବେ ଏହି ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ କେବଳ ଏକ ମାସ ସମୟ ପାଇଁ ଖୋଲୁଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର  ଦୁଇ ଥର ପାଇଁ ଖୋଲାଯାଇଛି | ଏହି ଉଦ୍ୟାନରେ ୧୨ ପ୍ରକାରର ୧୦ ହଜାରୁ ଅଧିକ ଟ୍ୟୁଲିପ ଫୁଲ ରହିଛି । ୧୩୮ରୁ ଅଧିକ ପ୍ରକାରର ଗୋଲାପ, ୭୦ରୁ ଅଧିକ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଯାହା ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।

Leave A Reply

Your email address will not be published.