ଶିକ୍ଷା ବେଳକୁ ସରକାର କଞ୍ଜୁସ୍ କାହିଁକି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର…

ବେଞ୍ଜାମିନ୍ ଫ୍ରାଙ୍କ୍‌ଲିନ୍ କହିଥିଲେ ଯଦି ତୁମେ କୌଣସି ନିବେଶରୁ ସର୍ବାଧିକ ଲାଭ ପାଇବାକୁ ଚାହୁଁଛ, ତାହା ହେଉଛି ଶିକ୍ଷା । ଶିକ୍ଷା କେବଳ ବର୍ତମାନ ତିଆରି କରିନଥାଏ, ଆମ ଭବିଷ୍ୟତକୁ ବି ସମୃଦ୍ଧଶାଳୀ କରିଥାଏ । କିନ୍ତୁ ଆମ ରାଜ୍ୟରେ ଏବେ ଦେଖାଯାଉଛି ଯେ, ସରକାର ଯେତେ ସମ୍ଭବ ଶିକ୍ଷା କ୍ଷେତ୍ରକୁ ସିମୀତ କରିବାକୁ ଚାହୁଁଛନ୍ତି । ଏମିତିକି ଶିକ୍ଷା କ୍ଷେତ୍ରରେ ସରକାର ନିଜ ଭୂମିକାରୁ ଓହରି ଆସିବାକୁ ଚାହୁଁଥିବା ପରି ଜଣାଯାଉଛି । ଏହା କେବଳ ଆମ ରାଜ୍ୟର କାହାଣୀ ନୁହେଁ, ସାରା ଦେଶରେ ଏବେ ଏହି ଧାରା ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ସମୟରେ ଏକ ଭୟଙ୍କର ପରିସ୍ଥିତି ତିଆରି କରିବ । ସଂପ୍ରତି ଶିକ୍ଷାକୁ ଯେପରି ଯୋଜନାବଦ୍ଧ ଭାବେ ଘରୋଇକରଣ କରିବା ପାଇଁ ପ୍ରୟାସ କରାଯାଉଛି, ଆଉ କିଛି ଦିନ ଭିତରେ ଶିକ୍ଷା କେବଳ ଧନୀକ ମାନଙ୍କର ବିଷୟ ହୋଇ ରହିଯିବ । ଗରିବ ମାନଙ୍କ ପାଇଁ ଉନ୍ନତମାନର ଶିକ୍ଷା ଆଉ ଉପଲବ୍‌ଧ ହୋଇପାରିବ କି ନାହିଁ ସନ୍ଦେହ ।

ଯଦିଓ ସଂପ୍ରତି ଆମ ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କର ପ୍ରଭାବ ବଢ଼ି ବଢ଼ି ଚାଲୁଛି, ତଥାପି ବି ସରକାରୀ ସ୍କୁଲ୍ ହିଁ ଶିକ୍ଷାର ମୂଖ୍ୟ ଆଧାର ହୋଇ ଠିଆହୋଇଛି । ରାଜ୍ୟର ଅଧିକାଂଶ ପିଲା ଶିକ୍ଷା ପାଇଁ ସରକାରୀ ବିଦ୍ୟାଳୟ ଗୁଡ଼ିକ ଉପରେ ନିର୍ଭର କରୁଛନ୍ତି । କାରଣ ଘରୋଇ ବିଦ୍ୟାଳୟରେ ପଢ଼ିବା ପରି ସମ୍ବଳ ଅନେକଙ୍କ ପାଖରେ ନାହିଁ । କିନ୍ତୁ ବର୍ତମାନ ସରକାରଙ୍କର ଘୋଷଣା ଅନୁଯାୟୀ ଆମ ରାଜ୍ୟରେ ପ୍ରାୟ ୧୪୩୭୯ଟି ସରକାରୀ ବିଦ୍ୟାଳୟ ଏବେ ବନ୍ଦ ହେବାକୁ ଯାଉଛି । ଏହା ସାଧାରଣ ତଥା ନିମ୍ନ ରୋଜଗାର ବର୍ଗର ପିଲାମାନଙ୍କ ପାଇଁ ଆଗାମୀ ସମୟରେ ଏକ ବଡ଼ ସଂକଟ ହୋଇ ଉଭା ହେବାକୁ ଯାଉଛି ।

ସରକାରଙ୍କ ସୂଚନା ଅନୁଯାୟୀ ଯେଉଁ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଉପଯୁକ୍ତ ପରିମାଣରେ ପିଲା ହେଉନାହାନ୍ତି, ସେଗୁଡ଼ିକୁ ବନ୍ଦ କରିଦିଆଯିବ । ଗୋଟିଏ ପଟେ ସରକାରଙ୍କ ପାଖରେ ଆବଶ୍ୟକୀୟ ପରିମାଣରେ ଶିକ୍ଷକ ଶିକ୍ଷୟତ୍ରୀ ନାହାନ୍ତି ଓ ଅନ୍ୟପଟେ ଯଥେଷ୍ଟ ପରିମାଣରେ ପିଲାଙ୍କ ଅଭାବ ଦର୍ଶାଯାଇ ଏହି ସବୁ ସ୍କୁଲ୍‌ରେ ସବୁଦିନ ପାଇଁ ତାଲା ପଡ଼ିବ ବୋଲି ନିଷ୍ପତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧୀନରେ ଥିବା ଏହି ସବୁ ବିଦ୍ୟାଳୟ ଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ । ଉଭୟ ବିଦ୍ୟାଳୟଗୁଡ଼ିକୁ ଏକତ୍ରୀକରଣ କରାଯାଇ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ବୋଲି ସରକାର କହୁଛନ୍ତି । ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସ୍‌ରେ ଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ ଜଣ କିମ୍ବା ତା’ଠାରୁ କମ୍ ପିଲା ଥିବା ବିଦ୍ୟାଳୟ, କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ, କେବଳ ନବମ ଓ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ, କେବଳ ପ୍ରଥମରୁ ତୃତୀୟ, ଷଷ୍ଠରୁ ସପ୍ତମ, ୪ର୍ଥରୁ ଦଶମ, ୮ମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯିବ । ଯଦି କୌଣସି ବିଦ୍ୟାଳୟରେ କମ୍ ପିଲା ଥିବେ ଓ ତାହାର ନିକଟବର୍ତୀ ବିଦ୍ୟାଳୟର ଭିତିଭୂମି ଭଲ ଥିବ, ସେଭଳି କ୍ଷେତ୍ରରେ ଭିତିଭୂମି ଭଲ ଥିବା ବିଦ୍ୟାଳୟ ସହିତ କମ୍ ପିଲା ଥିବା ବିଦ୍ୟାଳୟକୁ ମିଶ୍ରଣ କରାଯିବ ।

ସରକାରଙ୍କ ସୂଚନା ଅନୁଯାୟୀ ଯେକୌଣସି ଦୂରତାରେ ଥିବା ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ, ୧ କି.ମି. ଦୂରତାରେ ଥିବା ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ, ୨ କି.ମି. ଦୂରତାରେ ଥିବା ୫୦ରୁ କମ୍ ପିଲା ଥିବା ୟୁ.ପି. ସ୍କୁଲ୍ (ଷଷ୍ଠରୁ ଅଷ୍ଟମ), ୧ କି.ମି. ଦୂରତାରେ ଥିବା ୬୦ରୁ କମ୍ ପିଲା ଥିବା ୟୁ.ପି. ସ୍କୁଲ୍ (ପ୍ରଥମରୁ ଅଷ୍ଟମ), ୨ କି.ମି. ଦୂରରେ ୫୦ରୁ କମ୍ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ (ଷଷ୍ଠରୁ ଦଶମ), ୨ କି.ମି. ଦୂରରେ ୮୦ରୁ କମ୍ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ (ପ୍ରଥମରୁ ଦଶମ), ୩ କି.ମି. ଦୂରତାରେ ୬୦ରୁ କମ୍ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ (ନବମ ଓ ଦଶମ) ଆଦିକୁୁ ବନ୍ଦ କରିଦିଆଯିବ । ଆମ ରାଜ୍ୟରେ ୧ କି.ମି. ଦୂରତା ମଧ୍ୟରେ ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ମୋଟ୍ ୫୧୭୭ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪୪୮ଟି ଏପରି ବିଦ୍ୟାଳୟ ଥିବା ବେଳେ ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବନିମ୍ନ ୫୮ଟି ବିଦ୍ୟାଳୟ ରହିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୟୁ.ପି. ସ୍କୁଲ୍ ଯେଉଁଠାରେ ଉଚ୍ଚ ପ୍ରାଥମିକ ଶ୍ରେଣୀ (ଷଷ୍ଠରୁ ଅଷ୍ଟମ) ୨୦ରୁ କମ୍ ଛାତ୍ରଛାତ୍ରୀ ରହିଥିବା ୨୮୬୨ଟି ବିଦ୍ୟାଳୟ ରହିଛି ।

ଏଠାରେ ପ୍ରଶ୍ନ ଉଠୁଛି, ଯେଉଁସବୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବାକୁ ଯାଉଛି, ସେହି ବିଦ୍ୟାଳୟରେ ପଢ଼ୁଥିବା ପିଲାମାନେ କରିବେ କ’ଣ! ପଢ଼ିବେ କେଉଁଠି? ସରକାରଙ୍କ ପ୍ରସ୍ତାବ ଅନୁସାରେ ସେହି ସବୁ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ । ସରକାରଙ୍କ ଭାଷାରେ ନିକଟସ୍ଥ ଅର୍ଥ ୧ କି.ମି. ଦୂରତା । କିନ୍ତୁ ପ୍ରଥମ ଦ୍ୱିତୀୟରେ ପଢ଼ୁଥିବା ଜଣେ ଛୋଟ ପିଲା ୧ କି.ମି. ଦୂରକୁ ପଢ଼ିବାକୁ ଯାଇପାରିବ କି? ସେହି ପିଲାକୁ ସ୍କୁଲ୍‌କୁ ପଠାଇ ଘରେ ତାଙ୍କ ଅଭିଭାବକ ନିରାପଦ ମନରେ ରହିପାରିବେ କି? ଦେଖାଯାଉଛି ଯେ, ୨୦ରୁ କମ୍ ସଂଖ୍ୟକ ପିଲା ଥିବା ଅଧିକାଂଶ ବିଦ୍ୟାଳୟଗୁଡ଼ିକ ମୂଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଅବସ୍ଥିତ । ସେହି ଜିଲ୍ଲା ଗୁଡ଼ିକରେ ରାସ୍ତାଘାଟ ମୂଖ୍ୟତଃ ପାହାଡ଼, ପର୍ବତ ଓ ଜଙ୍ଗଲ ଘେରା ବିଶିଷ୍ଟ ହୋଇ ଅତ୍ୟନ୍ତ ଦୁର୍ଗମ । ଏପରି କ୍ଷେତ୍ରରେ ଆମେ କିପରି ଆଶା କରିପାରିବା ଯେ, ଗୋଟେ ଛୋଟ ପିଲା ୧ କି.ମି. ଚାଲି ଚାଲି ଯାଇ ବିଦ୍ୟାଳୟରେ ଯୋଗ ଦେଇ ପାରିବ! ସେହିସବୁ ଜିଲ୍ଲା ଗୁଡ଼ିକ ମୂଳରୁ ହିଁ ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ପଛୁଆ । ସଂପ୍ରତି ଯେପରି ଭାବେ ସ୍କୁଲ୍ ଗୁଡ଼ିକୁ ବନ୍ଦ କରିବାର ନିଷ୍ପତି ନିଆଯାଉଛି, ସେହି ଜିଲ୍ଲା ଗୁଡ଼ିକ ଆହୁରି ପଛକୁ ଚାଲିଯିବ । ସଂପ୍ରତି ଦେଖାଯାଉଛି ଯେ, ନିଜ ଗାଁ’ରେ ସ୍କୁଲ୍ ଥାଇ ବି ଆମ ଶିକ୍ଷା ବ୍ୟବସ୍ଥା ଅନେକ ପିଲାଙ୍କୁ ସ୍କୁଲ୍‌କୁ ଆଣିବାରେ ଓ ଡ୍ରପ୍ ଆଉଟ୍ ରୋକିବାରେ ସକ୍ଷମ ହୋଇପାରି ନାହିଁ ।

ଯେତେବେଳେ ସ୍କୁଲ୍ ୧ କି.ମି. ଦୂରତାକୁ ଚାଲିଯିବ ସେତେବେଳେ କେତେ ସଂଖ୍ୟକ ପିଲା ଡ୍ରପ୍ ଆଉଟ୍ ହେବେ ତାହା ଅନୁମେୟ । ସରକାରଙ୍କ ପକ୍ଷରୁ ବିଚାର କଲେ, ସରକାର କହୁଛନ୍ତି ଯେ, ଯେଉଁ ସ୍କୁଲ୍‌ରେ ୨୦ରୁ କମ୍ ପିଲା ଅଛନ୍ତି ସେଠାରେ ଅଯଥାରେ ସମ୍ବଳ ଖର୍ଚ୍ଚ କରିବା କ’ଣ ଦରକାର! କିନ୍ତୁ ୨୦ରୁ କମ୍ ବି ହୁଅନ୍ତୁ, ପିଲାମାନଙ୍କ ଶିକ୍ଷା ପାଇଁ ସମ୍ବଳ ଖର୍ଚ୍ଚ କରିବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ? ଏହା କ’ଣ ଏକ ଅଯଥା ନିବେଶ? ସ୍କୁଲ୍ ଦୂରକୁ ଚାଲିଯିବା ଯୋଗୁ ଯେଉଁ ୨୦ ଜଣ ପିଲା ଆଉ ସ୍କୁଲ୍‌କୁ ଯିବା ପାଇଁ ସକ୍ଷମ ହୋଇପାରିବେ ନାହିଁ, ସେମାନଙ୍କ ଶିକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଏହି ନିଷ୍ପତିରୁ ବୁଝିହେଉଛି । ଏହା ଦ୍ୱାରା ଗରିବ ତଥା ସାଧାରଣ ପିଲାମାନଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉନାହିଁ କି? ସରକାରଙ୍କ ଦାୟିତ୍ୱ ପିଲାମାନଙ୍କୁ ସୁବିଧା ହେବା ଭଳି ସ୍ଥାନରେ ତାଙ୍କ ପାଇଁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା । କିନ୍ତୁ ସରକାର ତ ଶିକ୍ଷା ପ୍ରଦାନ ଭଳି ସେବାକୁ ଲାଭ କ୍ଷତିର ନିକିତିରେ ଦେଖି କମ୍ ପିଲା ଥିବା ସ୍କୁଲ୍‌କୁ ବନ୍ଦ କରିବାକୁ ନିଷ୍ପତି ନେଇ ଖର୍ଚ୍ଚ କାଟ କରିବାକୁ ଚାହୁଁଛନ୍ତି । ଗୋଟିଏ ପଟେ ସହରୀକରଣ କରିବାରେ, ବଡ଼ ବଡ଼ ପାର୍କ ତିଆରି କରିବାରେ, ବିଜ୍ଞାପନ ବାବଦରେ, ଶିଳ୍ପପତି ମାନଙ୍କୁ ସବ୍‌ସିଡ଼୍ ଦେବାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ପିଲାମାନଙ୍କ ପାଇଁ ଶିକ୍ଷା ଯୋଗାଇବାରେ ସରକାର ଏତେ କଞ୍ଜୁସ୍ ହେଉଛନ୍ତି କାହିଁକି?

କିଛି ଦିନ ତଳେ ବହୁଳ ପ୍ରସାରିତ ହୋଇଥିବା ଏକ ଖବର ଅନୁସାରେ ଜାପାନ୍ ସରକାର ଜଣେ ମାତ୍ର ଛାତ୍ରୀକୁ ପ୍ରତିଦିନ ସ୍କୁଲ୍‌କୁ ଯିବା ଆସିବା କରିବା ପାଇଁ ଗୋଟିଏ ଟ୍ରେନ୍‌କୁ ଚଳାଇ ରଖିଥିଲେ । ଜାପାନ୍‌ର କ୍ୟୁ ସିରାଟାକି ଷ୍ଟେସନ୍‌ରେ କେବଳ ଜଣେ ଝିଅ ସ୍କୁଲ୍‌କୁ ଯିବା ପାଇଁ ଷ୍ଟେସନ୍‌ରେ ଅପେକ୍ଷା କରିଥାଏ । ସେହି ଷ୍ଟେସନ୍‌ରେ ଆଉ କେହି ଯାତ୍ରୀ କେବେ ବି ଟ୍ରେନ୍‌ରେ ଉଠନ୍ତି ନାହିଁ । କିନ୍ତୁ ସେହି ଛାତ୍ରୀଟି ସୁବିଧାରେ ସ୍କୁଲ୍‌ରେ ପହଂଚିବା ପାଇଁ ଓ ଘରକୁ ଫେରିବା ପାଇଁ ସେହି ଷ୍ଟେସନ୍‌ରେ ପ୍ରତିଦିନ ଟ୍ରେନ୍ ରୁହେ । ଏଥିରୁ ଜାପାନ ସରକାରଙ୍କର ଶିକ୍ଷା ପ୍ରତି ଥିବା ପ୍ରତିବଦ୍ଧତା ବୁଝାପଡ଼ୁଛି । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଆମ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଅଯଥା ଭାବୁଛନ୍ତି ।

ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଯେପରି ଭାବେ ଯୋଜନାବଦ୍ଧ ଭାବେ ରୁଗ୍‌ଣ କରି ରଖାଯାଉଛି ଓ ଘରୋଇ ବିଦ୍ୟାଳୟକୁ ପ୍ରୋତ୍ସାହନ ଦିଆଯାଉଛି, ଘରୋଇ ବିଦ୍ୟାଳୟ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ୁଛି । ଘରୋଇ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ବଢ଼ୁଥିବା ବେଳେ ସରକାରୀ ବିଦ୍ୟାଳୟରେ ଛାତ୍ରସଂଖ୍ୟା କମୁଛି । ଗୋଟିଏ ପଟେ ସରକାରୀ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ଓ ଅନ୍ୟପଟେ ଛାତ୍ର କମିଯାଉଥିବାରୁ ବିଦ୍ୟାଳୟକୁ ବନ୍ଦ କରିବାର ନିଷ୍ପତି ନିଆଯାଉଛି । ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଶିକ୍ଷାରୁ ହାତ କାଢ଼ିନେଇ ଶିକ୍ଷାକୁ ଘରୋଇକରଣ କରିବା ପାଇଁ ଦ୍ରୁତ ଗତିରେ ସରକାର ଲାଗିପଡ଼ିଛନ୍ତି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

LEAVE A REPLY

Please enter your comment!
Please enter your name here