ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି ପ୍ରଦାନ କରିଥିଲା । ଏଠି ଥିଲା ଓଡ଼ିଶାବିଖ୍ୟାତ ରାଜବଂଶର ରାଜବାଟୀସବୁ ଏବଂ ପ୍ରଜାମାନେ ଥିଲେ ପ୍ରଖର ଯୋଦ୍ଧା ଜଣେଜଣେ । କିଂବଦନ୍ତୀରୁ ଇତିହାସ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଆଭାସଚିତ୍ର ବିଚିତ୍ରବର୍ଣ୍ଣାଳୀରେ ବିସ୍ମୟକର ।

ରାଜାମାନେ କେବଳ ରାଜନୀତି କରୁନଥିଲେ କି ଶାସନ କରୁନଥିଲେ, ସାହିତ୍ୟ କଳା-ସଂସ୍କୃତି ପାଇଁ ତଥା ଏକ ସାଂସ୍କୃତିକ ଓଡ଼ିଶାର ଅଭ୍ୟୁତ୍‌ଥାନ ପାଇଁ ଅନନ୍ୟ ଅନୁପ୍ରେରଣାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦର୍ଶନ କରିଆସୁଥିଲେ – ପ୍ରଜାମାନେ ମାଟି ଆଉ ମାଆର ମହତ ରକ୍ଷା ପାଇଁ ପ୍ରାଣପାତ କରିବାକୁ କୁଣ୍ଠିତ ହେଉନଥିଲେ କଦାପି । ମାତ୍ର ବ୍ରିଟିଶ୍ ଶାସନକାଳରେ ଏହି ଶୂରବୀରର ଭୂଖଣ୍ଡକୁ ଶାସନଗତ ସୁବିଧାବାଦ ତଥା ସାମ୍ରାଜ୍ୟବାଦର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ସାମିଲ୍ କରାଇଦିଆଗଲା ମାଡ୍ରାସ୍ ପ୍ରେସିଡେନ୍‌ସୀ ସହିତ । ଏହାଫଳରେ ପାରମ୍ପରିକ ରାଜଶକ୍ତିର ସ୍ପର୍ଦ୍ଧା ହେଲା ଭୂଲୁଣ୍ଠିତ ଏବଂ ପ୍ରଜାଶକ୍ତି ହେଲା ପଦାନତ । ପରାଧୀନ ଭାରତବର୍ଷରେ ଦକ୍ଷିଣ ଓଡ଼ିଶାର ଏହି ଦଶା ଏକ ଐତିହାସିକ ବିଡମ୍ବନା । ତଥାପି ପାଉଁଶ ତଳର ନିଆଁ ପରି ଏ ମାଟିର ମଲାଟ ତଳେ ପ୍ରସ୍ତୁତ ହେଉଥିଲା ଅନାଗତ ଭବିଷ୍ୟତର ଆଗ୍ନେୟ ଆହ୍ୱାନୀ ।

ଉତ୍କଳ ସମ୍ମିଳନୀର ମହାମଂଚରେ ସ୍ୱତଂତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଯେଉଁ ଭାଷାଭିତ୍ତିକ ଆଂଦୋଳନର ଆବାଜ ଉଠିଥିଲା, ତାହାର ପୃଷ୍ଠଭୂମିରେ ଥିଲା ଏହି ଦୁର୍ବାର ଦକ୍ଷିଣ ଓଡ଼ିଶାର ଦୃପ୍ତ ଦାବୀନାମା । କାରଣ ମାନକ ଓଡ଼ିଆ ଭାଷାର ଭଣ୍ଡାରକୁ ସର୍ବାଧିକ ଅବଦାନ ଦେଇଛନ୍ତି ଏ ମାଟିର ବରପୁତ୍ରବର୍ଗ – ଭଂଜ, ବଳଦେବ, ଗୋପାଳକୃଷ୍ଣଙ୍କଠାରୁ ଆରମ୍ଭ କରି ବହୁ ବିଦ୍ୱାନ ପଣ୍ଡିତଙ୍କର ଏହି ପବିତ୍ରଭୂମି ଓଡ଼ିଆ ଭାଷାର ଆଭିଜାତ୍ୟକୁ ଅକ୍ଷୁଣ୍ଣ ରଖିବାରେ ଛାଡ଼ିଯାଇଛି ଅକ୍ଷୟକୀର୍ତ୍ତିର ଊଜ୍ଜ୍ୱର୍ସ୍ୱଳ ଇତିହାସ ।

ମୁଁ ଏସବୁ ତଥ୍ୟର ଜଂଜାଳ ଭିତରକୁ ନଯାଇ ସତ୍ୟର କେତୋଟି ଝଲକ ମାତ୍ର ସୂଚାଇଦେବାକୁ ଚାହୁଛି – ସେ ସତ୍ୟ ଯେତେ ଅପ୍ରିୟ ହେଉନା କାହିଁକି ଏକାଂତ ପ୍ରଣିଧାନଯୋଗ୍ୟ । ବ୍ରିଟିଶ ସରକାର ଦକ୍ଷିଣ ଓଡ଼ିଶାକୁ ମାଡ୍ରାସ୍ ପ୍ରେସିଡେନ୍‌ସୀର ଅନ୍ତର୍ଭୁକ୍ତ କରିବା ଦ୍ୱାରା ଯେପରି ଏହାର ପାରମ୍ପରିକ ରାଜଶକ୍ତିକୁ ମ୍ଳାନନିଷ୍ପ୍ରଭ କରିଦେଇ ପ୍ରଜାଶକ୍ତିର ପ୍ରମତ୍ତତାକୁ ପ୍ରାଣହୀନ କରିଦେଇଥିଲେ, ସ୍ୱାଧୀନତା ପରେ ଏଇ କିଛିବର୍ଷ ତଳେ ଓଡ଼ିଶା ସରକାର ସେହିପରି ଅବିଭକ୍ତ ଗଂଜାମ-କୋରାପୁଟକୁ ନେଇ ମୁଣ୍ଡ ଉଠାଇଆସିଥିବା ଦକ୍ଷିଣ ଓଡ଼ିଶାକୁ ଆହୁରି ଗୁଡ଼ିଏ ନୂଆ ନାଆଁର ତାଲିକାରେ ଜିଲ୍ଲାୱାରୀ ଖଣ୍ଡଖଣ୍ଡ କରିଦେବା ଦ୍ୱାରା ଏହାର ଅଖଣ୍ଡ ଆତ୍ମଶକ୍ତିକୁ ସବୁଦିନ ପାଇଁ ବିଭାଜିତ କରିଦେଲେ । ଏହାଦ୍ୱାରା ଜିଲ୍ଲାପାଳ ଚାକିରିର କେବଳ ବଢ଼ତି ହେଲା, ଅଧିକ ସରକାରୀ ଅଫିସ ଖୋଲାଯାଇ ଦପ୍ତରଗୁଡାକୁ ପରାଙ୍ଗପୁଷ୍ଟ ସରକାରୀ ଦରବାରର ଗୋଟିଏ ଗୋଟିଏ କରଆଦାୟକାରୀ କ୍ୟାମ୍ପସ୍‌ରେ ପରିଣତ କରାଗଲା ଏବଂ ଭୂଇଁଫୋଡ଼ ଶାସନର ଦୁର୍ନୀତି-ଧାରାକୁ ନୂଆନୂଆ ଜିଲ୍ଲାରେ ବିସ୍ତାର କରିଦିଆଗଲା । ମାତ୍ର ଦୁଇଟି ଜିଲ୍ଲାକୁ ଛୋଟବଡ଼ ଗୁଡ଼ିଏ ଜିଲ୍ଲାରେ ତାଲିକାଧୀନ କରାଇ ଓଡ଼ିଶା ସରକାର କି ବାହାଦୁରି ଦେଖାଇଲେ ତା’ ମାଆ ମହାଦେଈକୁ ଜଣା, ମାତ୍ର ମୋର ବିନମ୍ର ମତ ଯେ ଏହାଦ୍ୱାରା କେବଳ ଶାସନର ଓ ପ୍ରଶାସନର ଫାଇଦା ହେଲା; ହେଲେ ଦକ୍ଷିଣ ଓଡ଼ିଶାର ଜନଗଣ ଦ୍ୱିତୀୟଥର ପାଇଁ ଦେଖାଇ ଶିକାର ହେଲେ ଏକ ସୁଦୂରପ୍ରସାରୀ ସରକାରୀ ଷଡଯଂତ୍ରର ! ଏ ଷଡଯଂତ୍ରର ସ୍ୱରୂପକୁ ଏବେ ହୁଏତ ଦକ୍ଷିଣଓଡ଼ିଶାବାସୀ ଦେଖିପାରୁନାହାନ୍ତି, କିନ୍ତୁ ଅଦୂର ଭବିଷ୍ୟତରେ ଏହାର ବିଷମୟ ପରିଣାମକୁ ଅଙ୍ଗେ ନିଭାଇବେ ନାତି-ଅଣନାତିଙ୍କୁ ନେଇ ଆମର ଉତ୍ତର ଦାୟାଦ ।

ପ୍ରଥମତଃ, ଏହି ବିଭାଜନକୁ ନିଜର ଆର୍ଥିକ ଆଁ’ର ଚାହିଦା ମେଣ୍ଟାଇବାକୁ ଯାଇ ଓଡ଼ିଶା ସରକାର ନୂଆଯୋଜନା ନାଆଁରେ କାଏମ୍ କରିଦେଲେ, କିନ୍ତୁ ଦକ୍ଷିଣ ଓଡ଼ିଶାର ଆତ୍ମିକ ସୂତ୍ରକୁ ଛିନ୍ନ କରିଦେଲେ ସବୁଦିନ ପାଇଁ । ଆଦିବାସୀ ଓ ଅଧିବାସୀଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ମିଳିତ ସ୍ଥିତିକୁ ନେଇ ଯେଉଁ ଦକ୍ଷିଣ ଓଡ଼ିଶା ଦିନେ ଏକ ଦକ୍ଷ ଓ କାର୍ଯ୍ୟକ୍ଷମ ଓଡ଼ିଶା ହୋଇ ସାରା ଓଡ଼ିଶାର ଦକ୍ଷିଣଦୁଆରୀ ଘର ବୋଲାଉଥିଲା, ତାହା ଆଜି ଗୋଟାଏ ଭଂଗାଘର – ଯେଉଁଠି ଜନଅସନ୍ତୋଷର ପ୍ରତିକ୍ରିୟାସ୍ୱରୂପ ନବଜନ୍ମ ନେଇଛି ମାଓବାଦୀ ଲାଲ୍‌ବାହିନୀ । ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାଯିବ ଯେ ଅବିଭକ୍ତ ଗଂଜାମ-କୋରାପୁଟର ଦକ୍ଷିଣ ଓଡ଼ିଶା ଯେତେ ମାଓବାଦୀ ଆକ୍ରମଣରେ ଅତିଷ୍ଠ ହେଉନଥିଲା, ବର୍ତ୍ତମାନର ଶାସନ-ପ୍ରଶାସନର ମିଳିତ ମେଣ୍ଟର ଚକ୍ରାନ୍ତରେ ଚୂର୍ଣ୍ଣୀଭୂତ ଦକ୍ଷିଣ ଓଡ଼ିଶା ପ୍ରତ୍ୟହ ପ୍ରାଣପୀଡ଼ା ଭୋଗୁଛି ନବ୍ୟ ମାଓବାଦୀ ଅଭିଯାନର ସଂତ୍ରାସୀ ସଂପ୍ରସାରଣ ଦ୍ୱାରା ।

ଦକ୍ଷିଣ ଓଡ଼ିଶାର ଏହି ନୈତିକ ଓ ସାଂସ୍କୃତିକ ମଂଚକୁ ମୁଁ ରାଜନୈତିକ ମଂଚ ଭାବରେ ବ୍ୟବହାର କରିବାକୁ ଯାଉନାହିଁ । ମାତ୍ର ଗୋଟିଏ କଥା ଏଠାରେ ସ୍ପଷ୍ଟ ସୂଚାଇଦେବାକୁ ଚାହୁଛି ଯେ ଗତକାଲିର ରାଜତନ୍ତ୍ରଲାଳିତ ରାଜାମାନଙ୍କର ରାଜନୀତି ଏ ମାଟିର କଳା-ସାହିତ୍ୟ-ସଂସ୍କୃତିର କ୍ରମବିସ୍ତାର ପାଇଁ ଯେଉଁ ନବଜାଗରଣକୁ ଜନ୍ମ ଦେଇଥିଲା, ଆଜିକାଲିକାର ଗଣତନ୍ତ୍ରପାଳିତ ମନ୍ତ୍ରୀମାନଙ୍କର ରାଜନୀତି ଅତୀତର ସେ ରେନେଁସା ବା ନବଜାଗରଣକୁ ଦେଇସାରିଛି ଦାରୁଣ ମୃତ୍ୟୁଦଣ୍ଡାଦେଶ ! ଆଉ ଏ ମାଟିରେ ଭଂଜ, ବଳଦେବ କି ଗୋପାଳକୃଷ୍ଣମାନେ ଜନ୍ମ ନେବା ଏକ ଦିବାସ୍ୱପ୍ନ । ଆଜି ଏଠି କେବଳ ଟଙ୍କା – ଟଙ୍କା – ଟଙ୍କା.. ଟଙ୍କା ପଛରେ ସମସ୍ତେ ଟିଙ୍କ – କିଏ ପଚାରୁଛି କଳା-ସାହିତ୍ୟ-ସଂସ୍କୃତି କଥା ? ଇଏ ଆଜି କି ରାଜନୀତି? ଏଇ ଦକ୍ଷିଣ ଓଡ଼ିଶାରୁ ବିଶ୍ୱନାଥ ଦାସ, ସଦାଶିବା ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ବିଜୁ ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ପୁଣି ସର୍ବାଗ୍ରେ ସ୍ମରଣୀୟ ଗଜପତି କୃଷ୍ଣଚଂଦ୍ର ମଧ୍ୟ ଏଇ ଦକ୍ଷିଣ ଓଡ଼ିଶାରୁହିଁ ସାକାର କରିଛଂତି ସ୍ୱତଂତ୍ର ଓଡ଼ିଶାର ସ୍ୱପ୍ନ । ଦିଲ୍ଲୀରୁ ଆମଦାନୀ ହୋଇଥିବା ବିଜୁତନୟ ନବୀନ ମଧ୍ୟ ଏହି ବୀରମାଟି ଦକ୍ଷିଣ ଓଡ଼ିଶାର ସମର୍ଥନ ପାଇ ଏବେ ସାରାଓଡ଼ିଶାର ମୁଖ୍ୟମନ୍ତ୍ରୀ । ଅଥଚ ଏ ଲୋହିତ ଲାଭାର ମାଟି ଯେଉଁ ତିମିରେକୁ ସେଇ ତିମିରେ ।

ଦକ୍ଷିଣ ଓଡ଼ିଶାର ଦାବୀନାମା ଆଜି ସରକାରୀ ସିରସ୍ତାର ଫାଇଲ୍ ଫାଙ୍କରେ ଫେରାର୍ ! ଦୂରପର୍ବତସବୁ ଦିବ୍ୟସୁଂଦର ଦିଶୁଛି – କିଂତୁ ସବୁ ଜଂଗଲ ପାଲଟିଛି ଜଉଘରର – ଜଳୁଛି, ଜଳୁଛି, ନିଭିବାର ନାହିଁ ଏ ନିସ୍ତାରହୀନ ଜ୍ୱଳନରୁ । କିଏ ବୁଝିବ ଦକ୍ଷିଣର ଏ ଦୁଃଖ? ସମସ୍ତେ ତ ‘ଦକ୍ଷିଣା’ ଦାୟରେ ଦୋରସ୍ତ ! ଚାହୁଁଚି କିଏ ଚିଲିକାର ନୀଳଚଂଚଳ ଚାହାଣିକୁ? ଚିତ୍ରପଟ ଚିରିଗଲାଣି – ଚାଲିଛି କେବଳ ଚିଙ୍ଗୁଡ଼ିଚାଷ – ଘେରିବନ୍ଧା ଫେରିବାଲାଙ୍କ ପର୍ଦ୍ଦାଫାଶ !

ଏଇ ଓଡ଼ିଶାର ଦକ୍ଷିଣଦୁଆରୀ ଘରୁ କେତେ କଳାକାର, କେତେ ଶିଳ୍ପୀ ପୃଥିବୀପ୍ରଖ୍ୟାତ ହୋଇପାରିଛନ୍ତି । ଖଲ୍ଲିକୋଟ ଏଇ କଳାସଂସ୍କୃତିର ଆଧୁନିକ ଏନ୍ତୁଡ଼ିଶାଳ । କିନ୍ତୁ କାହିଁ, କର୍ପୂର ଉଡ଼ିଗଲା ପରେ କନାକୁ ବି ଅନାଉଛି କିଏ ?

ଦକ୍ଷିଣ ଓଡ଼ିଶା ତନ୍ତ୍ରଭୂମି । ଏହି ତନ୍ତ୍ରଭୂମିର ମନ୍ତ୍ର ଆଜି ମସୀଲିପ୍ତ । ଗାଆଁଗାଆଁରେ ଗ୍ରାମଦେବତୀର ଦେଉଳସବୁ ଦିଶୁଛି ଅସ୍ଥିକଙ୍କାଳସାର ଅସ୍ତିତ୍ୱ ପରି । ଦିଅଁମାନେ ଶୋଇପଡିଛନ୍ତି ପଥରବେଦିରେ । ଆଉ ଶୁଭୁନାହିଁ ପ୍ରେରଣାର ପୂରବୀ : ଭାଷା ଛଂଦର ଭୈରବୀ ।

ଏ ଭୂମି ହେଉଛି ସଂସ୍କୃତିର ସଂଗମକ୍ଷେତ୍ର । ଏଠି ଏକାଧାରରେ ସାମନ୍ତବାଦୀ ସାହିତ୍ୟ ଓ ଆଦିବାସୀ ଲୋକସାହିତ୍ୟର ଯୁଗନଦ୍ଧ ଅଭିବ୍ୟକ୍ତି ଉଲ୍ଲେଖଯୋଗ୍ୟ । ଭଂଜଭୂମି ଗଂଜାମରେ ରୀତିକାବ୍ୟର ମହାସମୁଦ୍ର ଉଛୁଳି ଉଠିଥିଲାବେଳେ ଆଦିଭୂମି କୋରାପୁଟର ପବନରେ ଲହରି ସୃଷ୍ଟି କରିଛି ଆଦିବାସୀ ସାହିତ୍ୟର ପ୍ରାଣସ୍ପଦନ । ଓଡ଼ିଆ ଭାଷାକୁ ମହାର୍ଘ ମାନ୍ୟତା ପ୍ରଦାନ କରିବାରେ ଦକ୍ଷିଣ ଓଡ଼ିଶାର ଅବଦାନ ଅବିସ୍ମରଣୀୟ ।

ଅଥଚ ମାତୃଭାଷାର ମର୍ଯ୍ୟାଦା ପାଇଁ ମିନିଟିଏ ଚିନ୍ତନ କି ଚର୍ଚ୍ଚା କାହିଁ ? ଆଜି ତାମିଲ୍‌, ତେଲଗୁ, ମାଲୟାଲମ୍ କନ୍ନଡ଼ ସମେତ ସଂସ୍କୃତ ଭାଷା ନିଜନିଜର ମାନ୍ୟତା ଦାବୀରେ କେନ୍ଦ୍ରରୁ ଶହେକୋଟି ଲେଖାଏଁ ଆର୍ଥିକ ଅନୁଦାନ ପାଇସାରିଲେଣି, ମାତ୍ର ଆମର ନିଦ ଭାଙ୍ଗି ପାରିଲାନାହିଁ ଏଯାଏଁ । ସାଧାରଣ ଓଡ଼ିଆ ଭାଷାକୁ ମାନ୍ୟତାସଂପନ୍ନ ଏକ ମାନକ ମହାଭାଷାରେ ପରିଣତ କରିସାରିଥିବା ଦକ୍ଷିଣ ଓଡ଼ିଶା ଆଜି ଦାବୀଦାର୍ – କେନ୍ଦ୍ରରୁ ଓଡ଼ିଆ ଭାଷା ପାଇଁ ଶହେକୋଟି ଟଙ୍କା ଆଦାୟ କ୍ଷେତ୍ରରେ । ଏଥିପାଇଁ ଅବିଳମ୍ବେ ଆରମ୍ଭ ହେଉ କ୍ଷେତ୍ରପ୍ରସ୍ତୁତିର ପର୍ବ । ଦକ୍ଷିଣ ଓଡ଼ିଶାରେ ପ୍ରଥମେ ପ୍ରତିଷ୍ଠା ହେଉ ଓଡ଼ିଶାର ସାଂସ୍କୃତିକ ରାଜଧାନୀ । ବିଦ୍ୱାନ, ବୁଦ୍ଧିଜୀବୀ, ବାଗ୍ମୀବର୍ଗ ଏକଜୁଟ ହୁଅନ୍ତୁ ଏବଂ ଏହି ମହତ ଲକ୍ଷ୍ୟ ଓ ଲୟ ନିମନ୍ତେ ପରମ ଶୁଭେଚ୍ଛୁ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତୁ ଏ ମାଟିର ଅଭୁଲା ରାଜବଂଶ । ଏଠୁ ଦାବୀର ଫର୍ଦ୍ଦ ପଢ଼ାହେଲେ ଯାଇ ଓଡ଼ିଶା ସରକାରଙ୍କ କୁମ୍ଭକର୍ଣ୍ଣୀ ନିଦ୍ରାର ଅନ୍ତ ଘଟିବ ନିଶ୍ଚୟ ।

ଆଜି ଆଉଥରେ ଏକ ଜୋର୍‌ଦାର୍ ଭାଷାଆଂଦୋଳନର ସମୟ ପହଞ୍ଚିଛି । ଦକ୍ଷିଣ ଓଡ଼ିଶା ନିକଟରୁ ଏହାର ନିର୍ଭରଯୋଗ୍ୟ ନେତୃତ୍ୱ ଦାବୀ କରୁଛି ମୁଁ ।

ଯାଜପୁର ରୋଡ, ଯାଜପୁର ମୋ: ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।