Latest Odisha News

BREAKING NEWS

ଚକ ଯା’ ଗଡ଼ି ଯା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀଜୀଉମାନଙ୍କ ଯାତ୍ରା ନିମନ୍ତେ ଉଦ୍ଦିଷ୍ଟ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ନାମରେ ଅନୁସୃଜିତ ତିନିଗୋଟି ସୁଦୃଶ୍ୟ ରଥ ମୁଖ୍ୟ ଆକର୍ଷଣ ଭାବେ ପରିଗଣିତ । ଉକ୍ତ ତିନିରଥର ନିର୍ମାଣ ଶୈଳୀ ଯେତିକି ଶାସ୍ତ୍ରୀୟତା ଉପରେ ଆଧାରିତ ତତୋଧିକ ପାରମ୍ପରିକତା ଉପରେ ପର୍ଯ୍ୟବସିତ । ରଥ ନିର୍ମାଣରେ ଶିଳ୍ପ ସେବକମାନଙ୍କର ଅବଦାନ ଅତୁଳନୀୟ । ଏଥିରେ ବଢ଼େଇ ମହାରଣାଙ୍କ ସହିତ ରୂପକାର, ଚିତ୍ରକାର, ଓଝାକମାର, ଦରଜୀ, ଆଦି ଶହ ଶହ ସଂଖ୍ୟାରେ ଶିଳ୍ପ ସେବକମାନଙ୍କର ନିଷ୍ଠାପର ସେବା ତଥା ସହଯୋଗ ବଳରେ ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥାଏ । ସେଇ କାରଣରୁ ଏଇ ଯାତ୍ରାକୁ ଶିଳ୍ପଯାତ୍ରା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

ରଥ ସଂହିତାରେ ରଥ ନିର୍ମାଣ ପଦ୍ଧତି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଥିଲେ ପୋଥିବିଦ୍ୟା ଅପେକ୍ଷା କାର୍ଯ୍ୟକ୍ଷେତ୍ରରେ ବିଶେଷ ଅନୁଭୂତି ଶିଳ୍ପୀମାନଙ୍କର ପ୍ରକୃତ କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିବା ପାଇଁ ସହାୟ ହୋଇଥାଏ । ରଥ ନିର୍ମାଣରେ ମାପ ପଦ୍ଧତି, ପ୍ରକ୍ରିୟା ତଥା ଉପାଂଶ ଓ ଉପକରଣଗୁଡ଼ିକର ନାମକରଣ-ସବୁଥିରେ ଅନେକ ସ୍ୱତନ୍ତ୍ରତା ରହିଆସିଛି ।

କହିବା ବାହୁଲ୍ୟ, ତିନିବାଡ଼ର ମୁଖ୍ୟ ମହାରଣାମାନଙ୍କର ହାତକାଠିର ମାପ ଯାହା ହାତ, ଚାଖଣ୍ଡ, ଆଙ୍ଗୁଳି ଓ ସୂତା ଉପରେ ଆଧାରିତ, ତା’ରି ସହାୟତାରେ ହସ୍ତଶିଳ୍ପର ସର୍ବବୃହତ୍ ନମୁନା ଭାବେ ସାରା ବିଶ୍ୱରେ ପରିଚିତ ପୁରୀ ରଥଯାତ୍ରାର ଏହି ତିନିଗୋଟି ରଥ ପ୍ରସ୍ତୁତ ହୋଇଥାଏ । ଏହି ହାତକାଠିର ଚିହ୍ନିତ ମାପର ରହସ୍ୟ ମହାରଣାମାନଙ୍କର କୌଳିକ ବିଦ୍ୟାର ଗୋପନୀୟତା ବହନ କରେ ଓ ଏହାର ଦୁର୍ବୋଧ୍ୟ ମାପ ପ୍ରଣାଳୀର ଅବଲମ୍ବନରେ ବିଶାଳ ରଥଗୁଡ଼ିକର ନିର୍ମାଣ କାର୍ଯ୍ୟ ଚରମ ସଫଳତା ଲାଭ କରିଥାଏ ।

ସମ୍ପୂର୍ଣ୍ଣ କାଠ ବା ପଟା ଦ୍ୱାରା ନିର୍ମିତ ସୁଉଚ୍ଚ ରଥଗୁଡ଼ିକର ଚକ ସମୂହ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଚକଗୁଡ଼ିକ ନିର୍ଭୁଲ ନିୟମ ଓ ନିର୍ଦ୍ଧାରିିତ ମାପ ଅନୁସାରେ ବିଶ୍ୱକର୍ମାମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ । ରଥ ନିର୍ମାଣ
କାଳ ଅକ୍ଷୟ ତୃତୀୟାଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ୫୯ ଦିନ ମଧ୍ୟରୁ ଅର୍ଦ୍ଧାଧିକ କାଳ କେବଳ ଚକ ନିର୍ମାଣରେ ଲାଗିଯାଇଥାଏ । ରଥ ନିର୍ମାଣ ପର୍ଯ୍ୟାୟ ନିର୍ଘଣ୍ଟ ଅନୁସାରେ ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଭଉଁରୀ ଦିନ ତିନିରଥର ଯଥା, ତାଳଧ୍ୱଜ – ୧୪, ଦର୍ପଦଳନ-୧୨ ଓ ନନ୍ଦିଘୋଷ-୧୬, ସମୁଦାୟ ୪୨ ଗୋଟି ଚକ ମଧ୍ୟରୁ ପ୍ରତ୍ୟେକ ରଥର ୨ ଗୋଟି କରି ନାହାକା ଚକ ଅଖ ସାହାଯ୍ୟରେ ଡେରାଯାଏ । ଉକ୍ତ ନାହାକା
ଚକ ପ୍ରତି ରଥର ମଧ୍ୟ ଭାଗରେ ସ୍ଥାନିତ ହୋଇଥାଏ । ତା’ପରେ ସ୍ନାନ ପୂର୍ଣ୍ଣମୀ ଦିନ ବାକି ସମସ୍ତ ଚକ ୨୧ ଗୋଟି ଅଖରେ ଡ଼େରା ଯାଇ ଅଖ ଉପରେ ପ୍ରତ୍ୟେକ ରଥରେ ୧୧ ଗୋଟି ହିସାବରେ ଦଣ୍ଡା ଯଥାରୀତିରେ ପକାଯାଏ । ଦଣ୍ଡା ଉପରେ ରଥର ଭୂମି ଅର୍ଥାତ୍ ୧୬ ଇଞ୍ଚରେ ୧୦ ଇଞ୍ଚ ମୋଟା ଆକାରର କାଠ ଯାହାକୁ ଗରଗରା କୁହାଯାଏ, ସେଥିରୁ ପ୍ରତ୍ୟେକ ରଥରେ ଦୁଇଟି ଲେଖାଁଏ ପକାଯାଏ । ପରସ୍ପର ଆଡ଼ ବାଗରେ ପଡ଼ିଥିବା ଅଖ, ଦଣ୍ଡା ଓ ଗରଗରାର ସାଧାରଣ ଛେଦବିନ୍ଦୁରେ ବିନ୍ଧ କରାଯାଇ ଚାରି ନାହାକା (ଚାରି ଗୋଟି ସୁଦୃଢ କାଠ) ସଳଖ ଭାବରେ ଠିଆ କରାଯାଏ । ଏହି ତିନିଗୋଟି ଦୃଢ଼ କାଠର ସଂଯୁକ୍ତ ସ୍ତର ପଥର ମୂଳଦୁଆ ତଥା ଚାରି ନାହାକା ରଥର ମେରୁଦଣ୍ଡ ଭଳି ରଥର ଉପରିଭାଗର ବିଶାଳ ଭାର ବହନ କରିଥାନ୍ତି । ଏହା ପ୍ରଚ୍ଛନ୍ନ ସତର୍କତା ଓ ନିୟମ ଅବଲମ୍ବନରେ ସମାହିତ ହୋଇଥାଏ ।

ରଥର ପ୍ରମୁଖ ଅଙ୍ଗ ଭାବେ ବିବେଚିତ ସମ୍ପୁର୍ଣ୍ଣ ଜ୍ୟାମିତିକ ସୂତ୍ରରେ ଆଧାରିତ ଚକଗୁଡ଼ିକ ୬ ପୁଟ ଉଚ୍ଚତା ବିଶିଷ୍ଟ ହୋଇଥାଏ । ସାଧାରଣତଃ ଫାସି, ଧଉରା ଓ ସାହଜ ପ୍ରଭୃତି କାଠରେ ନିର୍ମିତ ଚକଗୁଡ଼ିକର ତୁମ୍ବ, ପହୀ ଓ ଅର ଆଦି ଉପାଂଶ ପ୍ରଥମେ ପ୍ରସ୍ତୁତ କରାଯାଏ । ସର୍ବପ୍ରଥମେ ହାତେ ବା ଦେଢଫୁଟ ବ୍ୟାସ ଓ ୨ ଫୁଟ ଲମ୍ବର ମଜବୁତ ଫାସି କାଠ ଖଣ୍ଡରୁ ଗୋଲାକାର ତୂମ୍ବ ପ୍ରସ୍ତୁତ କରାଯାଇ ସେଥିରେ ୬ ଇଞ୍ଚ ବ୍ୟାସର ଠେକଫିଟା ବା ଅଖ ପ୍ରବେଶ କଲାଭଳି ବିନ୍ଧ ଫିଟା ଯାଇଥାଏ । ଏଥିରେ ମହାରଣାମାନେ ମୁଖ୍ୟତଃ ନିହଣ, ମୁଗୁର ଓ ଅଗର ଆଦି ଉପକରଣ ବ୍ୟବହାର କରିଥାନ୍ତି । ତୁମ୍ବ ଗୋଲେଇର ବାହାରପଟ ମଝିରେ ଜ୍ୟାମିତିକ ନିୟମରେ ସମାନ ବ୍ୟବଧାନରେ ଅର ଖଞ୍ଜା ହେବାପାଇଁ ସଠିକ୍ ଭାବରେ ୧୬ ଗୋଟି ସାଲ ଖୋଳା ଯାଇଥାଏ । ପହୀ ୯ ଇଞ୍ଚ ଚଉଡ଼ା ଓ ୮ ଇଞ୍ଚ ମୋଟ ବିଶିଷ୍ଟ ହୋଇଥାଏ । ପହୀ ପାଇଁ ଆବଶ୍ୟକ ୪ ଖଣ୍ଡ ଧନୁ ଆକୃତିର ସମାନ ଲମ୍ବର କାଠର ଦୁଇ ମେରୁକୁ କଳଷା ବା ଚାବି କୌଶଳରେ ପ୍ରସ୍ତୁତ ଖସାସାଲ ସାହାଯ୍ୟରେ ଯୋଡ଼ାଯାଇ ସମାନ୍ତରାଳ ପରିଧି ସୃଷ୍ଟି କରାଯାଏ । ୧୯୭୦ ମସିହା ପରଠାରୁ ଏହି କାଠ କରତ କଳରେ କଟା ହୋଇଆସୁଥିବାରୁ ଶିଳ୍ପୀମାନଙ୍କର ଶ୍ରମ ଯଥେଷ୍ଟ ଲାଘବ ହୋଇଥିବାର ଜଣାଯାଏ । ନିର୍ଦ୍ଦିଷ୍ଟ ଭାବେ ବାଙ୍କ ରଖାଯାଇ ଏହି କାଠ କଟାଯିବାରେ ହାରାହାରି ଏକ ଚତୁର୍ଥାଂଶ କାଠ ନଷ୍ଟ ବା ଅଦରକାରୀ
ହୋଇଥାଏ । ପ୍ରତି ଚକର ୧୬ ଗୋଟି ଅର ୮ ଇଞ୍ଚ ଚଉଡ଼ା ଓ ୨ ଇଞ୍ଚ ମୋଟା କାଠରେ ପ୍ରସ୍ତୁତ ହୋଇଥାଏ । ଏଥିରେ ଦୁଇମୁଣ୍ଡରେ ସାଲ କରାଯାଇ ତୁମ୍ବର ବାହାର ପଟେ ଖଞ୍ଜାଯାଇ ପ୍ରଥମେ ସିଙ୍ଗଡ଼ାକୁ ପୂର୍ବରୁ ପହୀର ଚଉଡ଼ା ବାଗରେ ଉଭୟପଟୁ ଫିଟା ଯାଇଥିବା ବିନ୍ଧରେ ପ୍ରବେଶ କରାଇ ଅତି କୌଶଳପୂର୍ଣ୍ଣ ଉପାୟରେ ଖଞ୍ଜା ଯାଇଥାଏ । ଯନ୍ତାକୀଳା ସାହାଯ୍ୟରେ ସମାହିତ ଏହି କୌଶଳଯୁକ୍ତ ପ୍ରକ୍ରିୟାରେ ଆଠ ଦଶଜଣ ବଢ଼େଇ ସେବକ ଓରାମୁଣ୍ଡା ବା ବୃହତ୍ କାଠ ହାତୁଡ଼ିରେ ଚାରିପଟୁ ସମତାଳରେ ପିଟି ପିଟି ସମାହିତ କରିଥାଆନ୍ତି ।

ଏଥିରେ ଭୋଇ ସେବକମାନେ ସହାୟତା କରିଥାଆନ୍ତି । ବିଭିନ୍ନ ଆକାରରେ ପ୍ରସ୍ତୁତ ଉପାଂଶଗୁଡ଼ିକୁ ପାରମ୍ପରିକ କୌଶଳରେ ସଂଯୋଗ କରି ରଥର ଏହି ବୃହତାକାର ଚକର ପ୍ରସ୍ତୁତି ମୂଳରେ ସମଗ୍ର ରଥ ନିର୍ମାଣର ବୈଚିତ୍ର ନିହିତ ଥାଏ । ଚକର ବିଭିନ୍ନ ଅଂଶର ଆକାରର ନିର୍ଦ୍ଦିଷ୍ଟତା ବିଷୟରେ ପଚାରିଲେ ବୁଢା ମହାରଣାମାନେ କହନ୍ତି-’ ରଥକୁ ଚାହିଁ ଚକ’ ବା ‘ଚକକୁ ଚାହିଁ ରଥ ‘ । ଅର୍ଥାତ୍ ରଥର ଭାର ବହନ କଲାଭଳି ଚକର ଆକାର ହେବା ଆବଶ୍ୟକ । ପହୀ ଯୋଡ଼ାହେବା ପରେ ଅଖ ଗୁଡ଼ିକ ପହୀରେ ଫୁଟିଥିବା ବିନ୍ଧଗୁଡ଼ିକୁ ବାହାରପଟୁ ଜାମ୍ କରିବା ପାଇଁ ଖୁସିଅର ନାମକ କୀଳା ଚାରିଜଣ ଭୋଇ ସେବକଙ୍କ ଦ୍ୱାରା ଅତି କୌଶଳତାର ସହ ବିଲେଇ ବା ଏକ ଝୂଲନ୍ତା କାଠଗଡ଼ ଦ୍ୱାରା ପିଟା ଯାଇଥାଏ ।ଏଥିରେ ବଢ଼େଇ ସେବକମାନେ ମଧ୍ୟ ମାର୍ଗଦର୍ଶନ କରିଥାଆନ୍ତି । ପହୀର ଭିତରପଟେ ଅରକୁ ଜାମ୍ କରିବା ପାଇଁ ମଧ୍ୟ ଛୋଟ କୀଳା ଓ ତୁମ୍ବରେ ଅରଗୁଡ଼ିକର ମୂଳକୁ ଦୃଢ଼ କରିବା ପାଇଁ ବଡ଼ ଲୁହାକଣ୍ଟା ତେର୍ଚ୍ଛା ଭାବରେ ପିଟା ଯାଇଥାଏ ଏବଂ ଏଥି ସହିତ ଚକ ନିର୍ମାଣ ଶେଷ ହୋଇଥାଏ ଏବଂ ଚକଗୁଡ଼ିକ ଅଖ ସାହାଯ୍ୟରେ ବିଶାଳ ରଥଗୁଡ଼ିକୁ ଗଡ଼ାଇ ନେବାପାଇଁ ସକ୍ଷମ ହୋଇଥାନ୍ତି । ଅରରେ ପହୀ ଲାଗିବା ପରେ ତୁମ୍ବ ବାହାରେ ଅରରେ ବିନ୍ଧ କରାଯାଇ ଏକ ସନ୍ଧିଆ କୀଳା ବା ଅନିକୀଳା ପିଟା ଯାଇଥାଏ, ଯାହାଦ୍ୱାରା କୌଣସି ଅବସ୍ଥାରେ ଚକ ଅରରୁ ଖସିବାର ଆଶଙ୍କା ରହିନଥାଏ । ଏହା ପରେ ତୁମ୍ବ ବିନ୍ଧର ଉଭୟ ପାଶ୍ୱର୍ ବାହ୍ୟ ଗୋଲେଇରେ ଓଝା ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ଲୁହା ପଟି ନିର୍ମିତ ବଳା ଓ ଭିତର ଗୋଲେଇରେ ପନ୍ଦାରି ସହ ଚାବି ଲାଗିଥାଏ । ତୁମ୍ବ ବିନ୍ଧ ଓ ଅର ଚୁଡ଼ିର ଆକାରରେ ଅନେକ କୌଶଳ ନିହିତ ଥିବାର ଜଣାଯାଏ । ଏହି ଅର ଚୁଡ଼ିର ଭିତର ଗୋଲେଇ ବାହାର ଅପେକ୍ଷା ପ୍ରାୟ ଅଧ ଇଞ୍ଚ ମୋଟା ଥାଏ ଏବଂ ସେହି ଅନୁସାରେ ତୁମ୍ବ ବିନ୍ଧର ଦୁଇପାଶ୍ୱର୍ରେ ଲାଗୁଥିବା ବଳା ଓ ପନ୍ଦାରିର ଆକାରରେ ମଧ୍ୟ ସାମାନ୍ୟ ଫରକ ରହିଥାଏ । ଏହି ଲୁହା ପଟି ନିର୍ମିତ ପନ୍ଦାରି ଅଖ ସହିତ ଘୋରି ହୋଇ ବିୟରିଂ ଭଳି କାର୍ଯ୍ୟ କରିବା ପାଇଁ ଅଖରେ କିଛି ପୋଲାଙ୍ଗ ତେଲ ଦିଆଯାଇଥାଏ ।

ରଥ ଗଡ଼ିବା ସମୟରେ ଅଧିକ ମୋଡ଼ ଖାଇଲେ ଅଥବା କୌଣସି ଚକରେ ସାମାନ୍ୟ ଦୁର୍ବଳ କାଠର ବ୍ୟବହାର ହୋଇଥିଲେ ଚକ ଭାଙ୍ଗିବା ଭଳି ସମସ୍ୟା ସୃଷ୍ଟି ହୁଏ । ସେ କ୍ଷେତ୍ରରେ ଏହି ମହାରଣା ସେବକମାନେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିଥାଆନ୍ତି । ଆବଶ୍ୟକ ସ୍ଥଳେ ରେଳବାଇରେ ବ୍ୟବହୃତ ଜ୍ୟାକ୍ ମେସିନର  ସହାୟତା ଲୋଡ଼ିବା ନଜିର ମଧ୍ୟ ରହିଛି । ରଥ ଚକ ନିର୍ମାଣର ସମ୍ପୁର୍ଣ୍ଣ ପ୍ରକ୍ର୍ରିୟାରେ ମହାରଣାମାନଙ୍କର ବହୁ ବର୍ଷର ଅନୁଭୂତି ଓ ଜ୍ଞାନକୌଶଳ ବିଦ୍ୟମାନ । କଥାରେ ଅଛି ‘ରଥ ସର୍ବସ୍ୱ ଯାତ୍ରା ଏବଂ ଚକ ସର୍ବସ୍ୱ ରଥ‘ । ଚକ ଠିକ୍ ଭାବରେ ନିର୍ମିତ ହୋଇଥିଲେ ରଥ ଠିକ୍‌ ଗଡ଼ିଚାଲେ ଏବଂ ଯାତ୍ରା ସଫଳ ହୁଏ । ବାରିସିରେ କାଠ କାଟିବା, ମାପ ଜଗିରଖି ସାଲ ବିନ୍ଧ କରି ସଠିକ୍ ଭାବରେ ଚକ ଡେରିବା ପର୍ଯ୍ୟନ୍ତ ଶିଳ୍ପୀମାନଙ୍କର ଅଦମ୍ୟ ନିଷ୍ଠା ଓ ଏକାଗ୍ରତା ପ୍ରଶଂସନୀୟ । ଅବଶ୍ୟ ଏଥିରେ ସର୍ଦ୍ଦାର ବା ମୁଖ୍ୟବଢେଇଙ୍କ ନିର୍ଦ୍ଦେଶ ଓ କରତିଆ ସେବକ ତଥା ଭୋଇ ସେବକମାନଙ୍କର ସହଯୋଗ ରହିଥାଏ ।

ଏକ ଆନୁମାନିକ ହିସାବରେ ଗୋଟିଏ ରଥ ଚକରେ ହାରାହାରି ୨୪ ବର୍ଗଫୁଟ କାଠ ଲାଗିଥାଏ, ଯାହାର ବଜାର ଦର ଓ ମଜୁରୀ ମିଶି ଆନୁମାନିକ ଟ.୨୫,୦୦୦ଙ୍କା ମୂଲ୍ୟ ହୋଇପାରେ । ୨୦୧୩ରୁ ପୂର୍ବ ବର୍ଷର ରଥ ଗୁଡ଼ିକର ଚକ, ପ୍ରଭାପଟା, କଣଗୁଜ, ପଟାଗୁଜ ପ୍ରଭୃତି ଉପାଂଶଗୁଡ଼ିକୁ ପୁନଃ ଚିତ୍ରଣ କରାଯାଇ ଏଗୁଡ଼ିକୁ ସର୍ବସାଧାରଣ କ୍ରୟ କରିବା ଭଳି ସୁଯୋଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇଅଛି । ବିଭିନ୍ନ ସଂଗ୍ରହାଳୟ ତଥା ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଏଗୁଡ଼ିକ ସଂଗୃହୀତ ହୋଇ ରହିଲେ ମହାପ୍ରଭୁଙ୍କ ଘୋଷଯାତ୍ରାର ଖ୍ୟାତି ଅଧିକ ବଢିବ ଏଥିରେ ସନ୍ଦେହ ନାହିଁ ।

ମୋଟାମୋଟି ବଡ଼ଦାଣ୍ଡରେ ରଥ ଗଡ଼ିବାରେ କୌଣସି ପ୍ରକାର ନିର୍ମାଣଗତ ସମସ୍ୟାକୁ ପ୍ରଶୟ ନଦେବା ପାଇଁ ବିଶ୍ୱକର୍ମା ସେବକମାନେ ସକଳ ବୁଦ୍ଧି ଓ କୌଶଳ ତଥା ବିପୁଳ ଶ୍ରମ ଖଟାଇ ପ୍ରଭୁଙ୍କ ଘୋଷଯାତ୍ରାରେ ଅତି
ନିଷ୍ଠାର ସହ କାର୍ଯ୍ୟ କରିଥାଆନ୍ତି, ଯେଉଁଥିରେ କ୍ଷେୟୀ, ପ୍ରାପ୍ୟ ବା ପୁରସ୍କାର ବ୍ୟତୀତ ସେମାନଙ୍କର ଆତ୍ମସନ୍ତୋଷ ହିଁ ମହାନ ପ୍ରାପ୍ତି ବୋଲି ଧରାଯାଏ । ରଥ ନିର୍ମାଣ ପରେ ରଥଯାତ୍ରା ପୂର୍ବଦିନ ରଥଖଳାରୁ ତିନି ରଥ ସିଂହଦ୍ୱାର ଅଭିମୁଖେ ଯେତେବେଳେ ପ୍ରଥମ କରି ଟଣା ହୁଏ, ସେତେବେଳେ ସେଇ ନିର୍ମାଣୀମାନଙ୍କ ଶ୍ରମ ସାର୍ଥକ ହୋଇଥିବାର ଜଣାଯାଏ । ସେମାନେ ନୀଳଚକ୍ରକୁ ଚାହିଁ ପ୍ରଣିପାତ କରି
ମନେ ମନେ କୁହନ୍ତି, ରଥ ଯା’ ଗଡ଼ିଯା…. ।

କୁଣ୍ଢେଇବେଣ୍ଟ ସାହି, ପୁରୀ , ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.