Latest Odisha News

BREAKING NEWS

ଗୋଳିଆ ହେଉଛି କୋଟିଆ ସ୍ଥିତି: ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସି ଘରେ ଘରେ କଲେ ସରକାରୀ ଯୋଜନାର ପ୍ରଚାର

କୋରାପୁଟ: କୋଟିଆକୁ ନିଜ ଦଖଲକୁ ନେବା ପାଇଁ ଗୋଟିଏ ପରେ ଗୋଟିଏ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ। ନିକଟରେ କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଆନ୍ଧ୍ର ଖେଳିଥିଲା ‘ଗିରିଜନ କାର୍ଡ’। ଏପରି କରି ସୁଲଭ ଦରରେ ବିପିଏଲ ହିତାଧିକାରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବାକୁ ପ୍ରୟାସ କରିଥିଲା। ଏବେ କିନ୍ତୁ ଏହି ବିବାଦୀୟ ଅଞ୍ଚଳରେ ପହଞ୍ଚିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ଗିରିଜନ ବିଭାଗ ମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଦଳ।

କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସାଠାରେ ପହଞ୍ଚି ସରକାରୀ ଯୋଜନାର ପ୍ରଚାର କରିଛନ୍ତି। ଯେଉଁମାନେ ଆନ୍ଧ୍ର ସରକାରଙ୍କ ଯୋଜନାର ହିତାଧିକାରୀ ସେମାନଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପିଡିକା। ଏଥିସହ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି।

ଗତକାଲି ପୂର୍ବାହ୍ନ ୧୧ଟାରେ ନେରେଡିବାଲସାରେ ପହଞ୍ଚିଥିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। ପାଖାପାଖି ୪ ଘଣ୍ଟା ରହି ଲୋକଙ୍କ ସହ କଥା ହୋଇଥିଲେ ଆଉ ନିଜ ସରକାରର ଯୋଜନା ବାବଦରେ ଘରେ ଘରେ ପଶି ପ୍ରଚାର କରି ପଳାଇ ଯାଇଥିଲେ। ତେବେ ସରକାରୀ ଯୋଜନାର ପ୍ରଚାର ଉପମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ପହଞ୍ଚିବା ପରେ ଜଣାପଡିଥିଲା।

୧୭ ତାରିଖରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନେରେଡିବାଲାସା ଗାଁରେ ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା। ବିଡିଓ ଓ ତହସିଲଦାର ଲୋକଙ୍କ ସମସ୍ୟା ଶୁଣିବା ସହିତ ସମାଧାନ ଉପରେ ଗୁରୁତ୍ବ ଦେଇଥିଲେ। ଏହାପରେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ସଂପୃକ୍ତ ଅଞ୍ଚଳରେ ନିଜର ପତିଆରା ଜାହିର କରିବାକୁ ପ୍ରୟାସ କରିଛି। ଆଉ ଦୁଇଦିନ ପରେ ନେରେଡିବାଲାସାରେ ପହଞ୍ଚି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଘର ଘର ବୁଲି ସରକାରୀ ଯୋଜନାର ପ୍ରଚାର କରିଛନ୍ତି। ଅର୍ଥାତ ଯୋଜନାବଦ୍ଧ ଭାବେ ଓଡି଼ଶା ସରକାରର ପ୍ରଭାବକୁ କମାଇବା ପାଇଁ ଏପରି ପ୍ରୟାସ କରିଛି ଆନ୍ଧ୍ର ପ୍ରଦେଶ।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ପ୍ରଦେଶ ସରକାର ଏହି ଅଞ୍ଚଳରେ ଭତ୍ତା, ରାସନ, ଆମ୍ମା ବାଡି, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, ଜଙ୍ଗଲ ଜମି ପଟ୍ଟା ଭଳି ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ କସରତ କରୁଛି। କୋଟିଆ ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ସେମାନଙ୍କ ଭୋଟର ପରିଚୟ ପତ୍ର ଆନ୍ଧ୍ରପ୍ରଦେଶରେ ସାମିଲ କରାଇ ନିଜ ଦଖଲକୁ ନେବାକୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରୟାସ କରୁଥିବା ସୂଚନା ରହିଛି।

Leave A Reply

Your email address will not be published.