ଗଜପତି: ସୀମାନ୍ତରେ ଆନ୍ଧ୍ରର ଜବରଦସ୍ତି ଜନଗଣନା। ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଓଡ଼ିଶା ପ୍ରଶାସନ ପକ୍ଷରୁ ଜନଗଣନା ସର୍ଭେ ହୋଇଥିଲା। ତେବେ ଗତକାଲି ସେଠାରେ ଆନ୍ଧ୍ର ଅଧିକାରୀମାନେ ଜୋର୍ ଜବରଦସ୍ତି ସର୍ଭେ କରିଛନ୍ତି ଓ କିଛି ଘରକାନ୍ଥରେ ଉଲ୍ଲେଖ ଥିବା ଓଡ଼ିଶାର ତଥ୍ୟ ଉପରେ ରଙ୍ଗ ବୋଳି ଦେଇଥିଲେ। ଆଉ ନିଜ ରାଜ୍ୟର ତଥ୍ୟ ଉଲ୍ଲେଖ କରିଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଆନ୍ଧ୍ର ପ୍ରଶାସନର ଅନୁପ୍ରବେଶ ଓ ଜନଗଣନା ନମ୍ବର ଲେଖାଯିବା ଖବର ପାଇ ଗଜପତି ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ଆନ୍ଧ୍ର ଲେଖିଥିବା ନମ୍ବର ଲିଭାଇ ଓଡ଼ିଶା ଜନଗଣନା ନମ୍ବର ଲେଖାଯାଇଛି ।
ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ତହସିଲଦାର ଏବଂ ଗାରାବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏଭଳି ସ୍ଥିତି ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ତୁରନ୍ତ ଆନ୍ଧ୍ର ଲେଖିଥିବା ନମ୍ବରକୁ ଲିଭାଇ, ଓଡ଼ିଶାର ଜନଗଣନା ନମ୍ବର ଲେଖିଥିଲେ । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କରାଯାଉଥିବା ଉପଜିଲ୍ଲାପାଳ କହିଛନ୍ତି । ଆନ୍ଧ୍ରରୁ ଆସି ବିବାଦ ସୃଷ୍ଟି କରୁଥିବା ଅଧିକାରୀଙ୍କ ଉପରେ ନଜର ରଖିବା ସହ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ଗଙ୍ଗାବାଡ଼ରେ ପୂର୍ବରୁ ଉଭୟ ରାଜ୍ୟର ପ୍ରଶାସନ ମୁହାଁମୁହିଁ ହେବା ଏବଂ ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଆସି ଧମକ ଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ତିନିଥର ଚିଠି ଲେଖି ସହଯୋଗ ଲୋଡ଼ାଯାଇଥିଲା। କିନ୍ତୁ ଆନ୍ଧ୍ର ପ୍ରଶାସନ କୌଣସି ପଦକ୍ଷେପ ନନେଇ ନୂଆ ବିବାଦ ସୃଷ୍ଟି କରୁଛି।