Latest Odisha News

BREAKING NEWS

ମୋଦି-ଶାହଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ପୂରଣ ହେଲା ପୂର୍ବ ଭାରତ ବିଜୟ ଅଭିଯାନ: ‘ଅଙ୍ଗ-ବଙ୍ଗ-କଳିଙ୍ଗ’ ଗଡ଼ରେ ଗେରୁଆ ବାନା

ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ-୨୦୨୬ର ଫଳାଫଳ କେବଳ ଏକ ସାଧାରଣ କ୍ଷମତା ହସ୍ତାନ୍ତର ନୁହେଁ, ବରଂ ଭାରତୀୟ ରାଜନୈତିକ ଇତିହାସରେ ଏହା ଏକ ଯୁଗାନ୍ତକାରୀ ଅଧ୍ୟାୟ। ଦୀର୍ଘ ୧୫ ବର୍ଷ ଧରି ବେଙ୍ଗଲ ମାଟିରେ ନିଜର ଏକଛତ୍ରବାଦ ଆଧିପତ୍ୟ ବିସ୍ତାର କରିଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଶେଷରେ ଧରାଶାୟୀ ହୋଇଛି। ଆଉ ଏହି ଧ୍ୱଂସସ୍ତୂପ ଉପରେ ଉଡ଼ିଛି ଭାରତୀୟ ଜନତା ପାର୍ଟିର ଗେରୁଆ ବାନା। ଏହି ବିଜୟ କେବଳ ଏକ ରାଜ୍ୟ ଦଖଲର କାହାଣୀ ନୁହେଁ, ବରଂ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ବହୁପ୍ରତୀକ୍ଷିତ ‘ଅଙ୍ଗ-ବଙ୍ଗ-କଳିଙ୍ଗ’ ବିଜୟ ଅଭିଯାନର ଏକ ଅଂଶ।

ପ୍ରାଚୀନ ଇତିହାସରେ ପୂର୍ବ ଭାରତକୁ ‘ଅଙ୍ଗ (ବିହାର ଓ ଆଖପାଖ ଅଞ୍ଚଳ), ବଙ୍ଗ (ବେଙ୍ଗଲ) ଏବଂ କଳିଙ୍ଗ (ଓଡ଼ିଶା)’ ଭାବେ ନାମିତ କରାଯାଇଛି। ଏନଡିଏ ମେଣ୍ଟ ଜରିଆରେ ବିହାରରେ ସ୍ଥିତି ମଜବୁତ କରିବା ପରେ, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନର ଅନ୍ତ ଘଟାଇ ବିଜେପି ନିଜର ବିଜୟ ଧ୍ୱଜା ଉଡ଼ାଇଥିଲା। ବାକି ରହିଯାଇଥିଲା କେବଳ ପଶ୍ଚିମବଙ୍ଗ। ବର୍ତ୍ତମାନ ମମତା ବାନାର୍ଜୀଙ୍କୁ ପରାସ୍ତ କରି ବିଜେପି ନିଜର ଏହି ଐତିହାସିକ ‘ଅଙ୍ଗ-ବଙ୍ଗ-କଳିଙ୍ଗ’ ସଂକଳ୍ପକୁ ସମ୍ପୂର୍ଣ୍ଣ କରିଛି। ବର୍ତ୍ତମାନ ପୂର୍ବ ଉପକୂଳର ଏହି ବିଶାଳ ଭୂଖଣ୍ଡ ବିଜେପିର ସିଧାସଳଖ ନିୟନ୍ତ୍ରଣରେ ଅଛି।

୨୦୨୧ ବିଧାନସଭା ନିର୍ବାଚନରେ ‘ଖେଲା ହୋବେ’ ସ୍ଲୋଗାନ ଦେଇ ବିଜେପିର ବିଜୟ ରଥକୁ ଅଟକାଇ ଦେଇଥିଲେ ମମତା। କିନ୍ତୁ ଗତ ପାଞ୍ଚ ବର୍ଷ ମଧ୍ୟରେ ବେଙ୍ଗଲର ରାଜନୈତିକ ପାଣିପାଗ ବଦଳିଯାଇଥିଲା। ଟିଏମ୍‌ସି ନେତାଙ୍କ ନାମରେ ବାରମ୍ବାର ଆସୁଥିବା ଦୁର୍ନୀତି ଅଭିଯୋଗ (ବିଶେଷକରି ଶିକ୍ଷକ ନିଯୁକ୍ତି ଦୁର୍ନୀତି ଓ ରାସନ ଦୁର୍ନୀତି), ସନ୍ଦେଶଖାଲି ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ସଂଗଠନ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଦଳ ପାଇଁ ବୁମେରାଂ ସାଜିଲା। ଏହା ସାଙ୍ଗକୁ ଲଗାତାର ତିନୋଟି ପାଳି ଶାସନରେ ରହିବା କାରଣରୁ ଉପୁଜିଥିବା ସରକାର ବିରୋଧୀ ହାୱାକୁ ବିଜେପି ଅତି ଚତୁରତାର ସହ ନିଜ ସପକ୍ଷରେ ବ୍ୟବହାର କରିଛି।

ବେଙ୍ଗଲ ବିଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ କଠୋର ପରିଶ୍ରମ ଓ ସୁଚିନ୍ତିତ ରଣନୀତିର ଫଳ ବୋଲି ପ୍ରମାଣିତ ହୋଇଛି। ନିରବଚ୍ଛିନ୍ନ ଗ୍ରାଉଣ୍ଡ୍ ୱାର୍କ, ସ୍ଥାନୀୟ ନେତୃତ୍ୱ (ବିଶେଷ କରି ଶୁଭେନ୍ଦୁ ଅଧିକାରୀଙ୍କ ଭଳି ନେତା) ଙ୍କୁ ଆଗକୁ ଆଣିବା ଏବଂ ବୁଥ୍ ସ୍ତରରେ ଆରଏସ୍‌ଏସ୍ ର ସାଂଗଠନିକ ଦକ୍ଷତା ହିଁ ଏହି ଅସମ୍ଭବ ମନେହେଉଥିବା କାର୍ଯ୍ୟକୁ ସମ୍ଭବ କରିଦେଲା।

ପଶ୍ଚିମବଙ୍ଗର ଏହି ଜନାଦେଶ ଜାତୀୟ ସ୍ତରରେ ବିରୋଧୀ ମେଣ୍ଟ ପାଇଁ ଏକ ଶକ୍ତ ଧକ୍କା। ବିରୋଧୀ ଶିବିରର ସବୁଠାରୁ ଶକ୍ତିଶାଳୀ ତଥା ଆକ୍ରାତ୍ମକ ନେତ୍ରୀ ଭାବେ ପରିଚିତ ମମତା ବାନାର୍ଜୀଙ୍କ ପରାଜୟ, ଜାତୀୟ ରାଜନୀତିରେ ବିରୋଧୀଙ୍କ ସ୍ୱରକୁ ବହୁମାତ୍ରାରେ ଦୁର୍ବଳ କରିଦେବ। ଅନ୍ୟପଟେ ଏହି ବିଜୟ ବିଜେପିକୁ ଭାରତର ପୂର୍ବ ଦ୍ୱାରରେ ଏକ ନିରଙ୍କୁଶ ଶକ୍ତି ଭାବେ ପ୍ରତିଷ୍ଠିତ କରିଛି। ‘ମା, ମାଟି ଓ ମାନୁଷ’ର ମାଟିରେ ପଦ୍ମ ଫୁଟାଇବା ଭାରତୀୟ ଜନତା ପାର୍ଟିର ସାଂଗଠନିକ ଇତିହାସରେ ସର୍ବଦା ଏକ ସୁବର୍ଣ୍ଣ ଅଧ୍ୟାୟ ହୋଇ ଲିପିବଦ୍ଧ ରହିବ।

Leave A Reply

Your email address will not be published.