Latest Odisha News

BREAKING NEWS

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ !

ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ!

ବିଚିତ୍ର ବିଶ୍ୱାଳ

ସଂପ୍ରତି ସମାଜିକ ଗଣମାଧ୍ୟମରେ, ଫେସବୁକ୍ ହେଉ କି ୟୁ-ଟ୍ୟୁବ୍ ହେଉ ସବୁଠୁ ବେଶୀ ଦେଖାଯାଉଛି ରାନୁ ମଣ୍ଡଳଙ୍କ ‘ତେରୀ ମେରୀ, ମେରୀ ତେରୀ’ ଗୀତ । ସାରା ଦେଶରେ ଏବେ ରାନୁ ମଣ୍ଡଳ ଜଣେ ଚର୍ଚ୍ଚିତ ଚେହେରା । ମାତ୍ର କେଇ ଦିନ ଆଗରୁ ରାନୁ ମଣ୍ଡଳ ଥିଲେ ସଂପୂର୍ଣ୍ଣ ଅପରିଚିତ । ଏପରିକି ନିଜ ପରିବାରଜନଙ୍କ ପାଖରେ ବି ସେ ଥିଲେ ନିହାତି ଅଲୋଡ଼ା । ରେଲୱେ ଷ୍ଟେସନରେ ଗୀତ ଗାଇ ଲୋକଙ୍କ ପାଖରେ ହାତପାତି ପେଟ ଭରୁଥିଲେ। ଖାଇବା ପାଇଁ ବି ତାଙ୍କ ପାଖରେ ସାଧନ ନଥିଲା । ଷ୍ଟେସନ୍ ଥିଲା ତାଙ୍କ ଠିକଣା । ଅନ୍ୟ ଅର୍ଥରେ କହିଲେ ସେ ଭିକ୍ଷାବୃତ୍ତି କରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ନିଜର ଗୁଜୁରାଣ ଚଳାଉଥିଲେ । ଏବେ କିନ୍ତୁ ରାନୁ ମଣ୍ଡଳ ଜଣେ ସେଲିବ୍ରେଟି । ଭାଗ୍ୟ ବଦଳି ଯାଇଛି ତାଙ୍କର । ବଲିଉଡ୍ ହିରୋ ସଲମାନ ଖାନ୍ ତାଙ୍କୁ ପଂଚାବନ ଲକ୍ଷ ଟଙ୍କାର ଗୋଟେ ଫ୍ଲାଟ୍ ଉପହାର ଦେଇଛନ୍ତି । ଆହୁରି ଅନେକ ଆର୍ଥିକ ସାହାଯ୍ୟ ବି ତାଙ୍କ ପାଖକୁ ଛୁଟିବାକୁ ଲାଗିଛି । ବଲିଉଡର ସଙ୍ଗୀତକାର ହିମେଶ୍ ରେଶ୍ମିୟା ତାଙ୍କ ଆଗାମୀ ସିନେମାରେ ରାନୁ ମଣ୍ଡଳଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି ।

ପଶ୍ଚିମବଙ୍ଗର ଏକ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରୁଥିବା ବେଳେ ଜଣେ ଯୁବକ ତାଙ୍କର ଭିଡିଓ କରି ଫେସବୁକରେ ଅପଲୋଡ଼ କରିଦେଇଥିଲେ। ଏଠାରେ କହିବାର ଆବଶ୍ୟକ ନାହିଁ ଯେ, ତାଙ୍କ କଣ୍ଠରେ ଯାଦୁ ଅଛି ଓ ସେ ଅତି ଚମତ୍କାର ଗୀତ ଗାଉଥିଲେ । ବାସ୍ ସେଇ ଭିଡିଓ ପରେ ରାନୁ ମଣ୍ଡଳଙ୍କ ଦୁନିଆ ବଦଳି ଯାଇଛି । ସେଇ ଭିଡିଓ ଦେଖିବା ପରେ ହିମେଶ୍ ରେଶ୍ମିୟା ତାଙ୍କୁ ନେଇ ଷ୍ଟୁଡିଓରେ ଗୀତ ଗାଇବାକୁ ସୁଯୋଗ ଦେଲେ ଓ ତା’ପରେ ଯାହା ହେଲା ତାହା ଆମେ ସମସ୍ତେ ଦେଖୁଛେ । ଦେଶର କୋଟି କୋଟି ଲୋକ ରାନୁ ମଣ୍ଡଳଙ୍କ କଣ୍ଠକୁ ଭୁରିଭୁରି ପ୍ରଶଂସା କରୁଛନ୍ତି । ଲୋକମାନେ ପାଗଳ ପରି ରାନୁ ମଣ୍ଡଳଙ୍କ ଗୀତକୁ ସର୍ଚ୍ଚ କରି ଦେଖୁଛନ୍ତି । ଆଜି ଯାହାକୁ ଦେଖିବ ରାନୁ ମଣ୍ଡଳ ଗାଇଥିବା ତେରୀ ମେରୀ, ମେରୀ ତେରୀ ଗୀତର ଦିୱାନା । ସୋସିଆଲ୍ ମିଡିଆରେ ରାନୁ ମଣ୍ଡଳ ଥିବା ପ୍ରତ୍ୟେକ ଭିଡିଓ ଆଜି ମିଲିୟନରୁ ଅଧିକ ହିଟ୍ ପାଇସାରିଲାଣି । ଅନେକ ତ ତାଙ୍କୁ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍କରଙ୍କ ସହିତ ତୁଳନା କରୁଛନ୍ତି ।

ଏଠାରେ ଗୋଟିଏ କଥା ସତ୍ୟ ଯେ, ସେଦିନ ଯଦି ସେହି ଫେସବୁକ ଭିଡିଓ ହୋଇନଥାନ୍ତା, ତାହେଲେ ରାନୁ ମଣ୍ଡଳ ଆଜି ବି ଷ୍ଟେସନରେ ଭିକ ମାଗୁଥାନ୍ତେ । ଭିକାରୀରୁ ବଲିଉଡ଼କୁ ଲମ୍ଫ ମାରିବା ନିଶ୍ଚୟ ଏକ ବିରଳ ଓ ଆକସ୍ମିକ ଘଟଣା । ଆମେ ସମସ୍ତେ ଏହି ଆକସ୍ମିକ ଘଟଣାକୁ ସେଲିବ୍ରେଟ୍ କରୁଛେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ରାନୁ ମଣ୍ଡଳଙ୍କ ପ୍ରତିଭାରେ ସାରା ଦେଶ ଆଜି ଚକିତ ଓ ପାଗଳ ପ୍ରାୟ, ସେଭଳି ଏକ ପ୍ରତିଭା ଏତେ ଦିନ ଧରି ଲୋକଲୋଚନକୁ ଆସିପାରିନଥିଲା କାହିଁକି ଓ ଏଭଳି ଏକ ପ୍ରତିଭା ନିଜ ପେଟ ପୋଷିବା ପାଇଁ ଷ୍ଟେସନରେ ଗୀତ ଗାଇବା ପରି ବୃତ୍ତିକୁ ଆପଣେଇଥିଲେ କାହିଁକି? ଆମ ସମାଜରେ କ’ଣ ପ୍ରତିଭାର ଏଇଆ ମୂଲ୍ୟ! ଯେମିତି କଥାରେ ଅଛି, ଶହେ ଜଣ ଦୋଷୀ ପଛେ ଖସି ଯାଆନ୍ତୁ କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନପାଉ, ସେମିତି ପ୍ରତିଭା ନଥିବା ଶହେ ଜଣ ପଛେ ପୁରସ୍କୃତ ହୁଅନ୍ତୁ କିନ୍ତୁ ପ୍ରତିଭା ଥିବା ଲୋକଟିଏ ଅନ୍ଧାରରେ ହଜି ନଯାଉ । କିନ୍ତୁ ଆମ ସମାଜ ଓ ଆମ ବ୍ୟବସ୍ଥା ପ୍ରତିଭାକୁ ଉପଯୁକ୍ତ ମୂଲ୍ୟ ଦେଇପାରୁଛି କି? ଏହା ହିଁ ଆଜିର ସମୟରେ ଏକ ମସ୍ତବଡ଼ ପ୍ରଶ୍ନ ।

ଆଜି ଗୋଟିଏ ରାନୁ ମଣ୍ଡଳ ସିନା ଅନ୍ଧାର ଗଳିରୁ ଉଠି ଆସି ଆଲୁଅରେ ପହଂଚି ଯାଇଛନ୍ତି । କିନ୍ତୁ ଆମ ଦେଶରେ ଏବେ ବି ଅନେକ ରାନୁ ମଣ୍ଡଳ ସେମିତି ଅନ୍ଧାରରେ ପଡ଼ିରହିଛନ୍ତି । ଯେଉଁମାନଙ୍କ ପାଖରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଯଥେଷ୍ଟ ଦକ୍ଷତା ଅଛି । କିଏ ଗୀତ ଗାଇବା କ୍ଷେତ୍ରରେ ତ କିଏ ଗୀତ ଲେଖିବା କ୍ଷେତ୍ରରେ କିଏ ବାଦ୍ୟ ଯନ୍ତ୍ର ବଜେଇବା କ୍ଷେତ୍ରରେ ତ କିଏ ପାଠ ପଢ଼ିବା କ୍ଷେତ୍ରରେ ତ କିଏ କ୍ରୀଡ଼ା କ୍ଷେତ୍ରରେ । ସେମାନଙ୍କ ପାଖରେ ଯଥେଷ୍ଟ ପ୍ରତିଭା ଥାଇ ମଧ୍ୟ ସେମାନେ ଆଜି ବି ଅଜଣା ଅଶୁଣା । ଅନ୍ଧାର ଭିତରେ ହଜି ହଜି ଚାଲୁଛନ୍ତି । କାରଣ ସେମାନଙ୍କ ପାଖରେ ଯଥେଷ୍ଟ ସୁଯୋଗ ନାହିଁ।

ରାନୁ ମଣ୍ଡଳ ଘଟଣାକୁ ସେଲିବ୍ରେଟ୍ କରିବା ସହିତ ଏବେ ବି ଅନ୍ଧାରରେ ଥିବା ଶହ ଶହ ରାନୁ ମଣ୍ଡଳଙ୍କ ପାଖରେ ସୁଯୋଗ ପହଂଚିବା କଥା । ସେଥିପାଇଁ ଆମ ସରକାର, ବ୍ୟବସ୍ଥା ଓ ସମାଜ ସମସ୍ତଙ୍କର ଦାୟିତ୍ୱ ରହିଛି । ପ୍ରତିଭାକୁ ଆବିଷ୍କାର କରିବା ଓ ସେମାନଙ୍କୁ ଉପଯୁକ୍ତ ସୁଯୋଗ ଦେବା ସରକାର, ଶାସନ ବ୍ୟବସ୍ଥା ଓ ନାଗରିକ ସମାଜ ସମସ୍ତଙ୍କ ଦାୟିତ୍ୱ । କାରଣ ଆମ ଦେଶରେ ବିସମତାର ପରିସ୍ଥିତି ଅତ୍ୟନ୍ତ ଉତ୍କଟ । ସମସ୍ତଙ୍କ ପାଖରେ ନିଜକୁ ପ୍ରସ୍ଫୁଟିତ କରିବାର ସମାନ ସୁଯୋଗ ନାହିଁ । ତେଣୁ ଏଥିପାଇଁ ସାମୂହିକ ପ୍ରୟାସ ଲୋଡ଼ା । ଜଙ୍ଗଲରେ ଫୁଲଟିଏ ଫୁଟି ଜଙ୍ଗଲରେ ଝଡ଼ିଗଲେ ଫୁଲର କିଛି କ୍ଷତି ହୁଏନି କିନ୍ତୁ ସେ ଫୁଲର ସୁରଭିରେ ଯେଉଁମାନେ ସୁରଭିତ ହୋଇଥାନ୍ତେ ସେମାନେ ନିଶ୍ଚୟ ତାହାକୁ ଅନୁଭବ କରିବାରୁ ବଂଚିତ ହେବେ । ସେମିତି ଅନ୍ଧାରରେ ଥିବା ଅନେକ ରାନୁ ମଣ୍ଡଳ ଆଲୋକକୁ ନଆସିପାରିଲେ ସେମାନେ ତ ନିଶ୍ଚୟ କିଛି କ୍ଷତି ସହିବେ, କିନ୍ତୁ ସବୁଠୁ ବେଶୀ ହରେଇବ ଆମ ସମାଜ । ତେଣୁ କେବଳ ଗୋଟିଏ ରାନୁ ମଣ୍ଡଳ ଘଟଣାରେ ଆମେ ଚରମ ପରିତୃପ୍ତି ଅନୁଭବ ନକରି ଅନ୍ଧାର ଗହ୍ୱରରେ ପଡ଼ିରହିଥିବା ଭିନ୍ନ ଭିନ୍ନ କ୍ଷେତ୍ରର ମୂଲ୍ୟବାନ ପ୍ରତିଭାମାନଙ୍କୁ ଆଲୋକକୁ ଆଣିବା ସରକାର ଓ ନାଗରିକ ସମାଜ ସମସ୍ତଙ୍କର ଦାୟିତ୍ୱ ହେଉ ।

…………………….
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.