Latest Odisha News

BREAKING NEWS

ଅପରାଜିତାଙ୍କ ବ୍ୟାଗ୍ ଉପହାର: ମୁଣ୍ଡରେ ହାତ ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଏବେ ଜାତୀୟ ରାଜଧାନୀରେ ଚାଲିଛି ରୋଚକ ରାଜନୀତି  । ଅନନ୍ୟ ଢଙ୍ଗରେ ବିରୋଧ କରୁଛନ୍ତି ବିଭିନ୍ନ ଦଳ । କେତେବେଳେ ଟିସାର୍ଟ,ବ୍ୟାଗ୍, ମାସ୍କରେ ବିରୋଧୀଙ୍କୁ ଆକ୍ଷେପ କରି ରାଜନୈତିକ ସ୍ଲୋଗାନ୍ ଲେଖାହେଲାଣି ତ ଆଉ କେତେବେଳେ ମାସ୍କରେ ମୋଦି ବିରୋଧ ସ୍ବର ଝଲସିଲାଣି । ଯେଉଁଠି ରାଜନୀତିରେ ବଚନ ହିଁ ସବୁବେଳେ ଭାରିପଡେ ସେଠି ଏବେ ଦେଖିବାକୁ ମିଳିଛି ପ୍ରିଣ୍ଟିଙ୍ଗ୍ ଟ୍ରେଣ୍ଡ । ଏବେ କଥାରେ କମ୍ ଆଉ ପ୍ରିଣ୍ଟରେ ବେଶୀ ଜବାବ ରଖୁଛନ୍ତି ରାଜନୈତିକ ଦଳ । ଏହାରି ଭିତରେ ଆଜି ସମାନ ବ୍ୟାଗର ଜବାବ ବ୍ୟାଗର ହିଁ ରଖିଛନ୍ତି ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ । ଆଜି ସଂସଦର ଶୀତକାଳୀନ ଅଧିବେଶନରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଭେଟି ଦେଇଛନ୍ତି ଅପରାଜିତା । ଯାହା ଏବେ ରାଜ୍ୟ ତଥା ଜାତୀୟ ରାଜନୀତିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ତେବେ କଂଗ୍ରେସ ସାଂସଦ ପ୍ରିୟଙ୍କା ପାଲେଷ୍ଟାଇନ ଏବଂ ବାଂଲାଦେଶ ଫିଚର ହୋଇଥିବା ବ୍ୟାଗ ଧରି ସଂସଦରେ ରାଜନୈତିକ ବାର୍ତ୍ତା ପହଞ୍ଚାଇବା କିଛି ଦିନ ପରେ ଏବେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ  ପ୍ରିୟଙ୍କାଙ୍କୁ ‘୧୯୮୪’ ଲେଖାଥିବା ଏକ ବ୍ୟାଗ ଉପହାର ଦେଇଛନ୍ତି, ଯାହା ଶିଖ ବିରୋଧୀ ଦଙ୍ଗାର ବର୍ଷକୁ ଉଲ୍ଲେଖ କରୁଛି ।

ତେବେ ଅପରାଜିତା ଏହି ବ୍ୟାଗ୍ ଭେଟିଦେବା ପୂର୍ବରୁ ଗତ ସପ୍ତାହରେ ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ ଧରି ପ୍ରିୟଙ୍କା ସଂସଦକୁ ଆସିଥିଲେ । ଏହାକୁ ନେଇ ଅନେକ ଆଲୋଚନା ସୃଷ୍ଟି ହୋଇଥିଲା । ପାଲେଷ୍ଟାଇନଙ୍କ ପ୍ରତି କଂଗ୍ରେସର ସମର୍ଥନ ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ ପ୍ରିୟଙ୍କା । ଆଉ ଏହା ଥମିନଥିବା ବେଳେ ପ୍ରିୟଙ୍କା ପୁଣି ଏକ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦକୁ ଆସିଥିଲେ । ଏହି ବ୍ୟାଗରେ ଲେଖାଥିଲା ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡାହୁଅ । ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସେ ଏହି ବ୍ୟାଗ ଧରି ସଂସଦକୁ ଆସିଥିଲେ । ବାଂଲାଦେଶର ସଂଖ୍ୟାଲଘୁମାନଙ୍କ ସୁରକ୍ଷା ଲାଗି ସରକାର କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ସେ ଦାବି କରିଥିଲେ । ୧୯୭୧ରେ ବାଂଲାଦେଶର ଏକ ସ୍ବତନ୍ତ୍ର ଦେଶରେ ଭାବେ ଗଢି ଉଠିବା ଯୁଦ୍ଧରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାର ମଧ୍ୟ କହିଥିଲେ ପ୍ରିୟଙ୍କା ।

ଯାହାକୁ ସେତେବେଳେ କଡା ଜବାବ ଦେଇଥିଲେ ପୁରୀର ବିଜେପି ସାଂସଦ ସମ୍ୱିତ ପାତ୍ର । ପାତ୍ର କହିଥିଲେ, ଗାନ୍ଧି ପରିବାର ସବୁବେଳେ ତୁଷ୍ଟିକରଣ ବ୍ୟାଗ ଧରି ବୁଲେ । ଏହି ତୁଷ୍ଟିକରଣ ବ୍ୟାଗ ହିଁ ସେମାନଙ୍କର ପରାଜୟର କାରଣ ପାଲଟୁଛି । ଆଉ ଆଜି ପ୍ରିୟଙ୍କାଙ୍କ ବ୍ୟାଗ ରାଜନୀତିକୁ ବ୍ୟାଗରେ ହିଁ କାଉଣ୍ଟର କରିଛନ୍ତି ଅପରାଜିତା । ମନେ ପକାଇ ଦେଇଛନ୍ତି କଂଗ୍ରେସ ଅମଳର ଶିଖ୍ ବିରୋଧୀ ଦଙ୍ଗାର କଥା ଆଉ ରକ୍ତପାତର କଥା ।

ତେବେ କହିରଖୁଛୁ, ୧୯୮୪ ହେଉଛି ସେହି ବର୍ଷ ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କର ଜଣେ ଶିଖ୍ ଦେହରକ୍ଷୀ ହିଁ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ଗୁଳି କରି ନିହତ କରିବା ପରେ ପୂରା ଦେଶରେ ଦେଖାଦେଇଥିଲା ଶିଖ୍ ବିରୋଧୀ ଦଙ୍ଗା । ଆଉ ଆଜି କଟା ଘା’ରେ ଚୂନ ଦେବା ସଦୃଶ ସେହି ଦିନକୁ ମନେପକାଇ ଦେଇ  ଅପରାଜିତା ପ୍ରିୟଙ୍କାଙ୍କୁ ‘୧୯୮୪’ ମସିହା ଲେଖାଥିବା ଏକ ବ୍ୟାଗ୍ ଉପହାର କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଂସଦ ଗୃହକୁ ଯିବା ବେଳେ ପ୍ରିୟଙ୍କାଙ୍କୁ ଅପରାଜିତା ବ୍ୟାଗ୍ ଭେଟି ଦେଇଥିବା ବେଳେ ଉପହାର ଦେଖି ହସିକରି ମୁଣ୍ଡରେ ହାତ ଦେଇଛନ୍ତି ପ୍ରିୟଙ୍କା ।

Leave A Reply

Your email address will not be published.