ବ୍ରହ୍ମପୁର : ଓଡ଼ିଶାରେ ଅଗ୍ନିପଥ ଯୋଜନାକୁ ଘୋର ବିରୋଧ କରିଛି ଆପ୍। ବହ୍ମପୁର ଗୋଲାପ ପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆମ ଆଦମୀ ପାର୍ଟୀ ତରଫରୁ ଏକ ସମ୍ବାଦିକ ସମ୍ମିଳନୀରେ ଅଗ୍ନିପଥ ଯୋଜନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦେଶ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ପ୍ରତିରକ୍ଷା ବିଭାଗରେ କେନ୍ଦ୍ର ସରକାର ତରବରିଆ ଭାବେ ଅଗ୍ନିପଥ ଯୋଜନା ଲାଗୁ କରିଛନ୍ତି। ସରକାର ନିଜ ବିଫଳତାକୁ ଜନମାନସରୁ ହଟାଇବା ପାଇଁ ଯୋଜନାବଦ୍ଧ ଚକ୍ରାନ୍ତ କରୁଛନ୍ତି ଏବଂ ଫଳସ୍ୱରୂପ ସାରା ଦେଶରେ ସେନା ବାହିନୀରେ ଯୋଗ ଦେବାକୁ ଥିବା ଯୁବକ ଧର୍ଯ୍ୟ ହରାଇ ହିଂସାତ୍ମକ ଆନ୍ଦୋଳନ କରୁଛନ୍ତି ବୋଲି ଆପ୍ କହିଛି।
କେନ୍ଦ୍ର ସରକାର ପ୍ରତିରକ୍ଷା ବିଭାଗରେ ୪ବର୍ଷୀୟା ଠିକା ସୈନିକ ନିଯୁକ୍ତି ଦେଇ ଛଅ ମାସ ତାଲିମ ପରେ କଠିନ ପରିସ୍ଥିତିରେ ସେମାନଙ୍କୁ ନିୟୋଜିତ କରି ଦେଶର ସୁରକ୍ଷା ଓ ସୈନିକଙ୍କ ଜୀବନ ସହ ଖେଳ ଖେଳିବାକୁ ପ୍ରୟାସ କରୁଛନ୍ତି। ଆନ୍ଦୋଳନ ତୀବ୍ର ହେଲାପରେ ସରକାର ଅଗ୍ନିବୀରଙ୍କ ସପକ୍ଷରେ ଯେଉଁ ସଫେଇ ଦେଉଛନ୍ତି, ତାହା ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ବିଦେଶରୁ କଳାଧନ ଆଣିବା, ପନ୍ଦର ଲକ୍ଷ ଟଙ୍କା ପ୍ରତ୍ୟୋକଙ୍କ ବ୍ୟାଙ୍କ ଖାତାକୁ ଯିବା, ଦୁଇ କୋଟି ଲୋକଙ୍କୁ ଚାକିରୀ, ଆତଙ୍କବାଦର ସମାପ୍ତି ଭଳି ଜୁମଲା ଛଡ଼ା ଆଉ କିଛି ନୁହଁ ବୋଲି ଦଳର ଜିଲା ସଂପାଦକ ଆଦିତ୍ୟ ରଥ ପ୍ରକାଶ କରିଥିଲେ । ସରକାର ନିଜେ ପୁଞ୍ଜିପତିଙ୍କୁ ବିକ୍ରି କରିଥବା ଜାତୀୟ ସମ୍ପତିର ସୁରକ୍ଷା ପାଇଁ ସମାରିକ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ଯୋଗାଇ ଦେବାକୁ ଏହା ଅଭିନଵ ପ୍ରୟାସ ବୋଲି ଅଭିହିତ କରିବା ସହ, ସରକାର ତୁରନ୍ତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରନ୍ତୁ ଏବଂ ଆନ୍ଦୋଳନକାରୀ ହିଂସାରୁ ନିବୃତ ରହିବାକୁ ଆବାହକ ସୁବାଷ ରାଉତ ଆହ୍ବାନ ଦେଇଥିଲେ ।