ଭୁବନେଶ୍ବର: ଆରପାରିରେ ଓଡ଼ିଶା ତୀରନ୍ଦାଜି ଜଗତର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଓ ପ୍ରଶିକ୍ଷକ ରାଜେଶ ହାଁସଦା । ମାତ୍ର ୪୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବ୍ରେନ୍ଷ୍ଟ୍ରୋକ୍ କାରଣରୁ ସେ ଗତ ୩ ଦିନ ହେବ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତେବେ ଏହି ଖବର ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳେଇ ଦେଇଛି । ଅନ୍ତ୍ୟେଷ୍ଟି ପାଇଁ ରାଜେଶଙ୍କ ମରଶରୀରକୁ ତାଙ୍କ ପରିବାର ମାଲକାନଗିରି ନେଇଛନ୍ତି।
ସୂଚନାଥାଉକି, ଓଡ଼ିଶାର ପ୍ରଥମ ତୀରନ୍ଦାଜି ଚେହେରା ଭାବେ ରାଜେଶ ହାସଁଦା ରାଜ୍ୟ ପାଇଁ ଅନେକ ଗୌରବ ଆଣିଥିଲେ। ଜାତୀୟ ପ୍ରତିଯୋଗିତାରେ ୧୩ ସ୍ବର୍ଣ୍ଣ ସହ ମୋଟ ୨୯ ପଦକ ଜିତିବା ସହ ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।
୧୯୯୩ରେ କୋଲକାତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବାବେଳେ ୧୯୯୮ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୦୨ରେ ଚୀନରେ ଏସୀୟ ଗ୍ରାଁ ପ୍ରିରେ ବି ପଦାର୍ପଣ କରିଥିଲେ। ୨୦୧୦ରେ କିସ୍ ରେ ପ୍ରଶିକ୍ଷକ ଭାବେ ଯୋଗଦେବା ପରେ ଓଡ଼ିଶାକୁ ଅନେକ ଜାତୀୟ ସ୍ତରର ତୀରନ୍ଦାଜ ଯୋଗାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏଥି ସହ ଅନେକଥର ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ ଗୁରୁଦାୟିତ୍ବ ତୁଲାଇଥିଲେ। ତୀରନ୍ଦାଜି ବିଶ୍ବକପ୍, ଯୁବ ଅଲିମ୍ପିକ୍ସ, ବିଶ୍ବବିଦ୍ୟାଳୟ କ୍ରୀଡ଼ା, ବିଶ୍ବ ଯୁବ ତୀରନ୍ଦାଜି ପ୍ରତିଯୋଗିତା ଆଦିରେ ନିଜ ପ୍ରଶିକ୍ଷଣର ଛାପ ଛାଡ଼ିଛନ୍ତି।
୨୦୧୧ରେ ରାଜେଶଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକ ସ୍ମାରକୀ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏକଲବ୍ୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ରାଜେଶଙ୍କ କନ୍ୟା ମନଶ୍ବରୀ ମଧ୍ୟ ଜାତୀୟ ସ୍ତରରେ ପଦକ ଜିତିଛନ୍ତି । ଏହାପରେ ରାଜ୍ୟରେ ବାପ-ଝିଅ ଯୋଡ଼ି ଚର୍ଚ୍ଚାକୁ ଆସିଥିଲେ ।
ଆଜି ରାଜେଶଙ୍କ ବିୟୋଗ ପରେ କିସ୍-କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କ୍ରୀଡ଼ା ବିଭାଗ ମହାପ୍ରବଂଧକ ଡକ୍ଟର ଗଗନେନ୍ଦୁ ଦାଶ, କିସ୍ କ୍ରୀଡ଼ା ବିଭାଗ ମୁଖ୍ୟ ରୁଦ୍ରକେଶ ଜେନା, ବରିଷ୍ଠ ଜୁଡ଼ୋ ପ୍ରଶିକ୍ଷକ କାନ୍ଦନ ମୁର୍ମୁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
