Latest Odisha News

BREAKING NEWS

ଭରସା ହରାଉଛନ୍ତି କି କ୍ରାଇମବ୍ରାଞ୍ଚ ଓ CBI ?

ଭୁବନେଶ୍ୱର: କୌଣସି ଚର୍ଚ୍ଚିତ ଅପରାଧିକ ଘଟଣା ଘଟିଲେ ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସିବିଆଇ କଥାକୁ ନେଇ ଲଢେଇ ହୁଏ। କିନ୍ତୁ ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇକୁ ନେଇ ଏବେ ରାଜନୀତି ତୀବ୍ର। ରାଜ୍ୟର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନେଇ ଏବେ ବାଦବିବାଦ ତୀବ୍ର ହୋଇଛି।

ପୂର୍ବରୁ କୌଣସି ଅପରାଧର ସତ୍ୟାସତ୍ୟକୁ ପଦାକୁ ଆଣିବାକୁ ହେଲେ ଲୋକେ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇର କଥା କହୁଥିଲେ କିନ୍ତୁ ଏବେ ଆଉ ଉଭୟ ସଂସ୍ଥା ଉପରେ ଭରସା ପାଉନି ବୋଲି ଚର୍ଚ୍ଚା ହେଉଛି। ଏପରିକି ରାଜ୍ୟ ସରକାର କୌଣସି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ବିରୋଧୀ ଏହାକୁ ସମାଲୋଚନା କରିବା ସହ ସିବିଆଇ ତଦନ୍ତ ଦାବି କରୁଛନ୍ତି। ସେପଟେ ରାଜ୍ୟର ଶାସକ ଦଳ ମଧ୍ୟ ସିବିଆଇ ତଦନ୍ତର ସଫଳତାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଛି।

ଏବେ ନବ ଦାସ ହତ୍ୟା ଘଟଣାରେ ଆମେରିକାର ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନର ସହଯୋଗ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ବାହାର ରାଜ୍ୟକୁ ନେଇ ଗୋପାଳର ନାର୍କୋ ଟେଷ୍ଟ, ଲାଇ ଡିଟେକ୍ସନ ଟେଷ୍ଟ କରାଇଛନ୍ତି। କିନ୍ତୁ ଫଳାଫଳ କଣ ବାହାରିଛି ସେ ସଂପର୍କରେ କେହି ଜାଣିନାହାନ୍ତି। ଏବେ ମୁଖ୍ୟମନ୍ତ୍ରୀ ଏଫବିଆଇ ଦ୍ୱାରା ତଦନ୍ତ କରାଯିବାର ଘୋଷଣା କରିଛନ୍ତି ।

ଯେତେବେଳେ ଅପରାଧୀ ଚିହ୍ନଟ ହୋଇସାରିଛି, ସେତେବେଳେ ଏଭଳି ଘଟଣାରେ ଏଫବିଆଇର କୈାଣସି ଭୁମିକା ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ତଦନ୍ତ ପ୍ରକ୍ରିୟା ବର୍ତମାନ ସଂପୂର୍ଣ୍ଣ ସନ୍ଦେହ ଘେରରେ ଥିବାବେଳେ ସଠିକ ତଦନ୍ତ ସିବିଆଇ ଭଳି ନିରପେକ୍ଷ ଏଜେନ୍ସି ଦ୍ୱାରା କରାଯିବାକୁ ବିଜେପି ଦାବି କରି ଆସୁଛି।

ସେପଟେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା କରିବାକୁ କହିଛି ଶାସକ ଦଳ। ଏଭଳି ଛକାପଞ୍ଝା ମଧ୍ୟରେ ଲୋକେ ତଦନ୍ତ ବ୍ୟବସ୍ଥାକୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ୨୦୦୭ ରୁ ୨୦୧୯ ମସିହା ମଧ୍ୟରେ ୩୪୫ କେଶ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ପିପିଲି ଓ କୁନ୍ଦୁଲି ଭଳି ଗଣଦୁଷ୍କର୍ମ ଠୁ ଆରମ୍ଭ କରି ୩୬ଟି ହାଇ ପ୍ରୋଫାଇଲ କେଶ ମଧ୍ୟ କ୍ରାଇମବ୍ରାଞ୍ଚ କୁ ଦିଆଯାଇଛି। ସେଥିରୁ ବହୁ କେଶର ନିର୍ଯ୍ୟାସ ବାହାରି ପାରି ନ ଥିବା ବେଳେ ଜଗବନ୍ଧୁ ମାଝୀ ହତ୍ୟା ଘଟଣା, ଟିକିରି ଶିକ୍ଷୟିତ୍ରୀ ଓ କୁନ୍ଦୁଲି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ସଫଳ ହୋଇପାରି ନ ଥିବା କୁହାଯାଏ।

ସେହିଭଳି ସିବିଆଇ ମଧ୍ୟ ରାଜ୍ୟରେ ଚିଟଫଣ୍ଡ ଠକେଇ ଘଟଣା ଠୁ ଆରମ୍ଭ କରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ଘଟଣାରେ ବିଫଳ ହୋଇଥିବା ଦେଖାଯାଇଛି। ତେଣୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଭୟ ସଂସ୍ଥା ବିଫଳ ହେବା ପରେ ଲୋକଙ୍କ ଲୋକଙ୍କ ବିଶ୍ୱାସ ମଧ୍ୟ ହରାଉଥିବା ଚର୍ଚ୍ଚା ହେଉଛି। ତେଣୁ ବିଶ୍ୱାସ ଅବିଶ୍ୱାସ କେବଳ ରାଜନୈତିକ ସ୍ତରରେ ସୀମିତ ନ ରହି ଲୋକଙ୍କ ପାଖକୁ ମଧ୍ୟ ଯାଇଛି। ସେପଟେ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଏଫବିଆଇ କଥା କହିବା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.